ଉତ୍ତରପ୍ରଦେଶରେ ନାଗରିକତା ଆଇନ ଲାଗୁ ପାଇଁ ପ୍ରକ୍ରିୟା ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ଶରଣାର୍ଥୀ ଚିହ୍ନଟ

ଲକ୍ଷ୍ନୌ : ଦେଶର ପ୍ରଥମ ରାଜ୍ୟଭାବେ ଉତ୍ତରପ୍ରଦେଶ ନାଗରିକତା (ସଂଶୋଧନ) ଆଇନ ଲାଗୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ବସବାସ କରୁଥିବା ପ୍ରାୟ ୪୦ ହଜାର ଅଣ-ମୁସଲିମ ଶରଣାର୍ଥୀଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ହିନ୍ଦୁ ସଂପ୍ରଦାୟର ଲୋକ ।

ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ୪୦ ହଜାର ଶରଣାର୍ଥୀଙ୍କ ମଧ୍ୟରୁ ପ୍ରାୟ ୩୦ରୁ ୩୫ ହଜାର ଶରଣାର୍ଥୀ ପିଲିଭିଟ ଜିଲ୍ଲାରେ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନ ଓ ବାଂଲାଦେଶରୁ ଆସିଛନ୍ତି । ତେବେ ଆଫଗାନିସ୍ତାନରୁ ଅଳ୍ପ ସଂଖ୍ୟକ ଶରଣାର୍ଥୀ ଅଛନ୍ତି । ଏମାନେ କେଉଁ ପରିସ୍ଥିତିରେ ଭାରତକୁ ଆସିଲେ ସେ ସଂପର୍କରେ ସେମାନଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଉଛି । ତେବେ ଏହା ହେଉଛି ପ୍ରାରମ୍ଭିକ ତାଲିକା । ରାଜ୍ୟରେ ଆଗକୁ ମଧ୍ୟ ଶରଣାର୍ଥୀ ଚିହ୍ନଟ ପ୍ରକ୍ରିୟା ଜାରି ରହିବ । ଏଥିଲାଗି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ତାଲିକା ଚୂଡ଼ାନ୍ତ ହେବା ପରେ ତାହାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପ୍ରଦାନ କରାଯିବ ବୋଲି ଉତ୍ତରପ୍ରଦେଶର ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ମାସରେ ଆଇନରେ ପରିଣତ ହୋଇଥିବା ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର