ୟୁପିରେ ଗଣିତ ବିଗାଡ଼ିବେ ‘ଭୋଟ୍ କଟୱା’

କାଉଣ୍ଟ୍‌ଡାଉନ୍‌ ୨୦୧୯

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଉତ୍ତର ପ୍ରଦେଶରେ ରାଜନୀତି ସରଗରମ ‌ହେବାରେ ଲାଗିଛି। ଲୋକସଭାକୁ ସର୍ବାଧିକ ସାଂସଦ ଏହି ରାଜ୍ୟରୁ ଯାଉଥିବାରୁ ଉତ୍ତର ପ୍ରଦେଶ ସବୁ ଦଳର ଫୋକସରେ ରହିବା ସ୍ବାଭାବିକ। ପୁଣି ରାଜ୍ୟ ରାଜନୀତିର ଦୁଇ ଗୁରୁତ୍ବପୂର୍ଣ୍ଣ ଖେଳାଳି ସମାଜବାଦୀ ପାର୍ଟି ଏବଂ ବହୁଜନ ସାମଜ ପାର୍ଟି ମେଣ୍ଟ କଥା ଘୋଷଣା କରି ହଟଚମଟ ସୃଷ୍ଟି କରିଛନ୍ତି। ଏହାର ମୁଖ୍ୟ କାରଣ ହେଲା ଗତ ୨୦୧୪ ଲୋକସଭା ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବିଜେପିକୁ ଟକ୍କର ଦେବାପାଇଁ ଏହି ଦୁଇ ଦଳ ଏକଜୁଟ ହୋଇଯାଇଛନ୍ତି। କିନ୍ତୁ ଏହି ମେଣ୍ଟରୁ କଂଗ୍ରେସକୁ ବାଦ୍ ଦେଇଥିବାରୁ ରାଜ୍ୟ ରାଜନୀତି ଟିକିଏ ଗୋଳମାଳିଆ ହୋଇଯାଇଛି। ୨୦୧୪ ଲୋକସଭା ଏବଂ ୨୦୧୭ ରାଜ୍ୟ ବିଧାନସଭା ନିର୍ବାଚନରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିବା କଂଗ୍ରେସ ଏଥର ଅଧିକ ‌େଲାକସଭା ଆସନ ପାଇଁ ଦାବି କରୁଥିଲା। କାରଣ ଥିଲା ଯେ ନିକଟରେ ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଅନୁଷ୍ଠିତ ବିଧାନସଭ‌ା ନିର୍ବାଚନରେ ଏହା ବିଜୟୀ ହୋଇଥିଲା। ସେହି ଦୃଷ୍ଟିରୁ ଆଗାମୀ ନିର୍ବାଚନରେ ୟୁପିରେ ମଧ୍ୟ ଏହା ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। ତେଣୁ ମେଣ୍ଟରେ ଅଧିକ ଆସନ ପାଇଁ ଏହା ଦାବି କରିଥିଲା। ମାତ୍ର ଉଭୟ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଏଥିରେ ରାଜି ହେଲେନି ଏବଂ ମେଣ୍ଟରୁ କଂଗ୍ରେସକୁ ବାଦ ଦେଲେ। ଅନ୍ୟ ଉପାୟ ନ ପାଇ କଂଗ୍ରେସ ଏବେ ରାଜ୍ୟର ସମସ୍ତ ୮୦ଟି ସ୍ଥାନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି।
ଏସପି-ବିଏସପି, ବିଜେପି ଏବଂ କଂଗ୍ରେସ ଆଭିିମୁଖ୍ୟରୁ ସ୍ପଷ୍ଟ ହୋଇଯାଉଛି ଯେ ୟୁପି‌େର ଆଗାମୀ ଲୋକସଭା ନିର୍ବାଚନ ଲଢ଼େଇ ତ୍ରିକୋଣୀୟ ହେବ। ତେବେ ସବୁଠାରୁ ଉଲ୍ଲେଖନୀୟ କଥାଟି ହେଉଛି ଯେ ରାଜ୍ୟରେ ଏଭଳି କିଛି ଛୋଟ ଛୋଟ ଦଳ ଅଛନ୍ତି ଯାହାକୁ ଅଣଦେଖା କରିହେବ ନାହିଁ। ଜାତି ଓ ‌େଗାଷ୍ଠୀ ଭିତ୍ତିରେ ଗଠିତ ଏହି ଦଳଗୁଡ଼ିକ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। କାରଣ ସେମାନଙ୍କର ନିଜ ନିଜ ଅଞ୍ଚଳରେ ନିଦ୍ଦିଷ୍ଟ ଭୋଟ ବ୍ୟାଙ୍କ ରହିଛି। ଏମାନେ ଯାହା ଆଡ଼କୁ ଢ଼ଳିବେ ସେହି ଅଞ୍ଚଳରେ ଉକ୍ତ ଦଳକୁ ଫାଇଦା ହେବ। ଏସପି-ବିଏସପି ମେଣ୍ଟ ଚୂଡ଼ାନ୍ତ ହୋଇସାରିଥିବାରୁ ଏହି ଦଳଗୁଡ଼ିକ ଉପରେ ଏବେ କଂଗ୍ରସ ଏବଂ ବିଜେପି ଆଖି ପକାଇଛନ୍ତି।
ଏହି ଦଳଗୁଡ଼ିକ ହେଲେ ଅଜିତ ସିଂହଙ୍କ ଆରଏଲଡି, ସୁହେଲଦେବ ବହୁଜନ ସମାଜ ପାର୍ଟି (ଏସବିଏସପି), ଅପନା ଦଲ, ନିସାଦ ପାର୍ଟି, ଶିବପାଲ ଯାଦବଙ୍କ ପିଏସପି, ପିସ୍ ପାର୍ଟି ଏବଂ ରାଜା ଭୈୟାଙ୍କର ପ୍ରଜା ପାର୍ଟି। ଏହି ଦଳଗୁଡ଼ିକୁ ‘ଭୋଟ୍ କଟୱା’ ବୋଲି କୁହାଯାଉଛି। କାରଣ ଏହି ଦଳଗୁଡ଼ିକ ଅନ୍ୟମାନଙ୍କର ଭୋଟ୍ କାଟି ପାରନ୍ତି। ଅନ୍ୟ ଦଳର ବିଜୟ ଓ ପରାଜୟରେ ଏମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି।
ଆରଏଲଡି ମୁଖ୍ୟ ଅଜିତ ସିଂହ ଏସପି-ବିଏସପି ମେଣ୍ଟରେ ସାମିଲ ହେବେ ବୋଲି ଆଶା ରଖିଥିଲେ। କିନ୍ତୁ ତାଙ୍କ ମନପସନ୍ଦ ଆସନ ନମିଳିବାରୁ ‌େସ ଏବେ କଂଗ୍ରେସ ‌ସହିତ ମେଣ୍ଟ କରିବାକୁ ଯୋଜନା କରୁଛନ୍ତି। ଏସବିଏସପି ଏବଂ ଅପନା ଦଲ ଏବେ ବିଜେପି ମେଣ୍ଟର ‌ଅଛନ୍ତି। ଏମାନଙ୍କର ପ୍ରତିନିଧି ଉଭୟ ୟୁପି ଓ କେନ୍ଦ୍ର ସରକାରରେ ମଧ୍ୟ ଅଛନ୍ତି। କିନ୍ତୁ ଏମାନେ ବିଜେପି ନେତାଙ୍କ ଉପରେ ଅସନ୍ତୁଷ୍ଟ। ଆଗାମୀ ନିର୍ବାଚନ ବେଳେ ଏମାନେ ଅଲଗା ରାସ୍ତାରେ ଯାଇପାରନ୍ତି। ଦଳର ନେତାମାନେ ଏଭଳି ସୂଚନା ଦେଇ ସାରିଲେଣି। ତେଣୁ ଏହି ଦଳଗୁଡ଼ିକ ଉପରେ ଏବେ ଆଖି ପକାଇଛି କଂଗ୍ରେସ। ସେହଭିଳି ଗତ ମାର୍ଚରେ ଗୋରଖପୁର ଲୋକସଭା ଉପନିର୍ବାଚନରେ ନିଶାଦ ପାର୍ଟି ସହାୟତାରେ ବିରୋଧୀ ମେଣ୍ଟ ବିଜେପିକୁ ହରାଇଥିଲେ। ଗୋରଖପୁରରେ ଏହାର ୪ ଲକ୍ଷ ଲୋକ ଅଛନ୍ତି। ତେବେ ଏସବି-ବିଏସପି ମେଣ୍ଟରୁ ଏହା ବାଦ୍ ପଡ଼ିଥିବାରୁ ଏହାର ସମର୍ଥନ ପାଇଁ ବିଜେପି ଏବଂ କଂଗ୍ରେସ ଜୋରଦାର ଉଦ୍ୟମ ଚଳାଇଛନ୍ତି ।

ସମ୍ବନ୍ଧିତ ଖବର