ମଦ୍ରାସାରେ ଏନ୍‌ସିଇଆରଟି ପାଠ୍ୟକ୍ରମ ଆରମ୍ଭ କରିବେ ୟୁପି ସରକାର

ଲକ୍ଷ୍ନୌ: ରାଜ୍ୟର ସବୁ ମଦ୍ରାସା ଗୁଡ଼ିକରେ ଏନସିଇଆରଟି (ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ) ପାଠ୍ୟକ୍ରମ ଆରମ୍ଭ କରିବାନେଇ ୟୁପି ମଦ୍ରାସା ବୋର୍ଡ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମଦ୍ରାସା ଗୁଡ଼ିିକରେ ବିଜ୍ଞାନ, ଗଣିତ ଏବଂ ଇଂରାଜି ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାସହ ଏ ଦିଗରେ ପାଠ୍ୟକ୍ରମରେ ସଂଶୋଧନ ଆଣିବାଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ୟୁପି ମଦ୍ରାସା ଶିକ୍ଷା ପରିଷଦ ରେଜିଷ୍ଟ୍ରାର ରାହୁଲ ଗୁପ୍ତା କହିଛନ୍ତି। ବୋର୍ଡ୍‌ର ମୂଳ ଲକ୍ଷ୍ୟ ହେଉଛି ମଦ୍ରାସାରୁ ଶିକ୍ଷା ସମ୍ପନ୍ନ କରୁଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଉତ୍ତମ ଦରମା ସହ ଉତ୍ତମ ଚାକିରି ସୁଯୋଗ ସୃଷ୍ଟି କରିବା। ତେବେ ମାତ୍ର ଅଳ୍ପ କେତେକ ବଡ଼ବଡ଼ ମଦ୍ରାସା ଗୁଡ଼ିକୁ ଛାଡ଼ିଦେଲେ ଅଧିକାଂଶ ମଦ୍ରାସା ଗୁଡ଼ିକରେ କେବଳ ଧାର୍ମିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ତେଣୁ ମଦ୍ରାସାର ପାଠ୍ୟକ୍ରମରେ ପରିବର୍ତ୍ତନ ଆଣି ଶିକ୍ଷା ବ୍ୟବସ୍ଥାକୁ ଅଧିକ ଉନ୍ନତ ଓ ବିକାଶ କରିବା ଦିଗରେ ବୋର୍ଡ ଏହି ନୂଆ ପଦକ୍ଷେପ ନେଉଛନ୍ତି। ନୂଆ ପାଠ୍ୟକ୍ରମ ଅନୁଯାୟୀ ବୋର୍ଡ ମଦ୍ରାସାର ପାରମ୍ପରିକ ଧର୍ମ ସମ୍ପନ୍ଧିୟ ଶିକ୍ଷାରେ ଆଦୌ ହସ୍ତକ୍ଷେପ କରିବନାହିଁ ଏବଂ ଏହା କେବଳ ବିଜ୍ଞାନ, ଗଣିତ ଏବଂ ଇଂରାଜି ପରି କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଗୁଡ଼ିକରେ ସଂଶୋଧନ ଆଣିବା ସହ ଏହିସବୁ ବିଷୟବସ୍ତୁ ଗୁଡ଼ିକ ପାଇଁ ଏନସିଇଆରଟି ପୁସ୍ତକ ଘୋଷଣା କରିବେ। ରାଜ୍ୟରେ ଏବେ ୧୬,୦୦୦ ମଦ୍ରାସା ଥିବାବେଳେ ୫୬୦ଟି ମଦ୍ରାସା ସରକାରୀ ପାଣ୍ଠିରେ ଚାଲିଥିବାବେଳେ ୪୫୦୦ ଟି ମଦ୍ରାସାକୁ ରାଜ୍ୟଦ୍ୱାରା ଆଂଶିକ ଭାବେ ପାଣ୍ଠି ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ ରାଜ୍ୟର ସବୁ ମଦ୍ରାସା ଗୁଡ଼ିକରେ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯିବ। ଏହାପୂର୍ବରୁ ଅଗଷ୍ଟ ୧୯ ତାରିଖରେ ୟୁପି ସରକାର ମଦ୍ରାସା ବୋର୍ଡର ଏକ ନୂଆ େଓ୍ଵବସାଇଟ୍‌ ଲଞ୍ଚ୍‌ କରି ଏଥିରେ ସମସ୍ତ ମଦ୍ରାସା ଗୁଡ଼ିକୁ ପଞ୍ଜିକୃତ ହେବାର ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର