ଯୋଗ ଦେବାର ୫ ମାସ ପରେ କଂଗ୍ରେସ ଛାଡିଲେ ଉର୍ମିଲା ମାତୋଣ୍ଡକର

ମୁମ୍ବାଇ : ମାତ୍ର ୫ ମାସ ତଳେ କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ମୁମ୍ବଇ କଂଗ୍ରେସରେ ଚାଲିଥିବା ଅନ୍ତଃକନ୍ଦଳକୁ ବିରୋଧକରି ସେ ଇସ୍ତଫା ଦେଇଥିବା କହିଛନ୍ତି । ସେ ନିଜର ଇସ୍ତଫାପତ୍ରକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ନିକଟକୁ ପଠେଇଦେଇଛନ୍ତି ।

ଗତ କିଛିଦିନଧରି ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ସଂଜୟ ନିରୁପମଙ୍କ ସହ ତାଙ୍କର ମତଭେଦ ଚାଲିଥିଲା । ସଂଜୟଙ୍କ କିଛି ସମର୍ଥକଙ୍କ ବିରୋଧରେ ସେ ମଧ୍ୟ ଦଳ ହାଇକମାଣ୍ଡ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ତାହାର ବିରୋଧ କରି ଉର୍ମିଲା ଦଳ ଛାଡିଥିବା ପ୍ରକାଶ କରିଛନ୍ତି । ଏପରିକି ତାଙ୍କ ଗୋପନ ପତ୍ରକୁ ଗଣମାଧ୍ୟମ ଆଗରେ ଲିକ କରାଯିବା ନେଇ ମଧ୍ୟ ସେ ଅସନ୍ତୁଷ୍ଟ ଥିଲେ । କଂଗ୍ରେସଦଳର ବୃହତ୍ତର ସ୍ୱାର୍ଥରକ୍ଷା ଦିଗରେ କାମ କରିବା ବଦଳରେ ମୁମ୍ବାଇ କଂଗ୍ରେସ ନିଜ ନିଜ ମଧ୍ୟରେ କନ୍ଦଳରେ ବ୍ୟସ୍ତ ରହିଛି । ଉର୍ମିଲା ଗତ ଲୋକସଭା ନିର୍ବାଚନରେ ମୁମ୍ବଇ ଉତ୍ତର ଲୋକସଭା ଆସନରୁ ଲଢି ପରାଜିତ ହୋଇଥିଲେ ।

ସମ୍ବନ୍ଧିତ ଖବର