ଆମେରିକାରେ ଚିହ୍ନଟ ହେଲା ‘ନୂତନ କୋଭିଡ୍‌-୧୯ ଷ୍ଟ୍ରେନ୍‌’ର ପ୍ରଥମ ସଂକ୍ରମଣ

ଓ୍ଵାସିଂଟନ୍‌: ଇଂଲଣ୍ଡ୍‌ରେ ଚିହ୍ନଟ ହୋଇଥିବା ଗୁଣସୂତ୍ର ପରିବର୍ତ୍ତିତ ନୂଆ କରୋନାଭାଇରସ୍‌ ପ୍ରଜାତି ପ୍ରଥମ କରି ଯୁକ୍ତରାଷ୍ଟ୍ର ଆମେରିକାର କଲରାଡୋରେ ଜଣେ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଥିବା କଥା ମଙ୍ଗଳବାର ଦିନ ଗଭର୍ଣ୍ଣର୍‌ ଜାରେଡ୍‌ ପଲିସ୍‌ ଘୋଷଣା କରିଛନ୍ତି।

ଆକ୍ରାନ୍ତ ବ୍ୟକ୍ତିଜଣଙ୍କର ବୟସ ୨୦ ବର୍ଷରୁ ଅଧିକ ଏବଂ ତାଙ୍କର କୌଣସି ଯାତ୍ରା ଇତିହାସ ନାହିଁ। ସମ୍ପ୍ରତି ସେ ଡେନ୍‌ଭର୍‌ର ଦକ୍ଷିଣପୂର୍ବରେ ଏକାନ୍ତବାସ କରୁଥିବା କଥା ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।

ଏହା ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁ ବୋଲି କଲରାଡୋ ଷ୍ଟେଟ୍‌ ଲାବ୍ରୋଟରି ସୁନିଶ୍ଚିତ କରିବା ପରେ ‘ସେଣ୍ଟର୍‌ସ୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌’କୁ ସୂଚନା ଦିଆଯାଇଥିଲା।

ପୂର୍ବରୁ ବ୍ୟାପିଥିବା କରୋନାଭାଇରସ୍‌ (ସାର୍ସ-କୋଭ୍‌-୨) ପ୍ରଜାତି ଠାରୁ ଏହି ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁ ଅଧିକ ସଂକ୍ରମଣଶୀଳ ବୋଲି ଇଂଲଣ୍ଡ୍‌ର ବୈଜ୍ଞାନିକମାନେ କହୁଛନ୍ତି। ଏବେ ଦିଆଯାଉଥିବା ଟିକା ସବୁ ଏହି ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁ ଦମନ କରିବାରେ ଫଳପ୍ରଦ ହେବ ବୋଲି କଲରାଡୋ ସ୍ୱାସ୍ଥ୍ୟ ଅଧିକାରୀମାନେ ଏକ ରିଲିଜ୍‌ରେ କହିଛନ୍ତି।

Image Courtesy of Hindustan Times

ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଏହି ଭୂତାଣୁ ଅନ୍ୟତ୍ର ବ୍ୟାପିଛି କି, ନାହିଁ ସୁନିଶ୍ଚିତ ହେବାକୁ ଜନସ୍ୱାସ୍ଥ୍ୟ କର୍ମଚାରୀମାନେ ‘କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍‌’ ଅଭିଯାନ ଚଳାଇଛନ୍ତି।

ଜାରେଡ୍‌ ପଲିସ୍‌ କହିଛନ୍ତି, ଆମେ ଏହି ନୂତନ କୋଭିଡ୍‌-୧୯ ପ୍ରଜାତି ସମ୍ବନ୍ଧରେ ବିଶେଷ କିଛି ଜାଣୁନା, କିନ୍ତୁ ଇଂଲଣ୍ଡ୍‌ର ବୈଜ୍ଞାନିକମାନେ ବିଶ୍ୱବାସୀଙ୍କୁ କହୁଛନ୍ତି ଯେ, ଏହା ଅଧିକ ସଂକ୍ରମଣଶୀଳ। କଲରାଡୋବାସୀଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ହେଉଛି ଆମର ସବୁଠୁ ବଳି ପ୍ରାଧାନ୍ୟତା। ଆମେ ଏହି ସଂକ୍ରମଣ ମାମଲା ଏବଂ ସମସ୍ତ କୋଭିଡ୍‌-୧୯ ଲକ୍ଷଣକୁ ବିଶ୍ଳେଷଣ କରିବୁ।

ଏ ସଂକ୍ରାନ୍ତରେ ଆଜି ପଲିସ୍‌ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ କିଛି କହିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର