ମାତ୍ର ୫ ମିନିଟରେ କରୋନାଭାଇରସ୍ ପରୀକ୍ଷା କରିବାକୁ ଆମେରିକୀୟ କମ୍ପାନି ନିର୍ମାଣ କଲା ଉପକରଣ

ବ୍ଲୁମବର୍ଗ: ଜଣେ ସଂକ୍ରମିତ କି, ନୁହେଁ ମାତ୍ର ୫ ମିନିଟ୍ ମଧ୍ୟରେ ଜାଣି ହେବାଭଳି ଏକ କରୋନାଭାଇରସ୍ ପରୀକ୍ଷା ଯନ୍ତ୍ର ପ୍ରସ୍ତୁତ କରିଛି ଆମେରିକାର ଆବୋଟ୍ ଲାବୋରଟରିଜ୍ । ଏହାର ଓଜନ ହାରାହରି ୩ କିଲୋ ଏବଂ ଦେଖିବାକୁ ଛୋଟ ବାକ୍ସଟିଏ ଭଳି । ତେଣୁ ଯେ କୌଣସି ଡାକ୍ତରଖାନାରେ ଏହାକୁ ରଖି ବ୍ୟବହାର କରିହେବ ।

Image Source: Bloomberg

ଏପ୍ରିଲ ୧ ତାରିଖ ଠାରୁ ୫୦ ହଜାର ଯନ୍ତ୍ର ଯୋଗାଣ ଆରମ୍ଭ କରିବାକୁ ଯୋଜନା କରାଯଇଛି ବୋଲି ଆବୋଟ୍ ଡାଇଗ୍ନୋଷ୍ଟିକ୍ସର ଗବେଷଣା ଓ ବିକାଶ ବିଭାଗର ଉପାଧ୍ୟକ୍ଷ ଜନ୍ ଫ୍ରେଲ୍ସ୍ କହିଛନ୍ତି । ମଲିକୁ୍ୟଲ୍ ପରୀକ୍ଷା କରୁଥିବା ଏହି ଯନ୍ତ୍ର କରୋନାଭାଇରସ ଜେନୋମର ଭଗ୍ନାଂଶର ଅନୁସଂଧାନ କରେ । ତେଣୁ ଉକ୍ରଟ ସଂକ୍ରମଣ ହୋଇଥିଲେ ମାତ୍ର ୫ ମିନିଟ୍ ମଧ୍ୟରେ ମଣିଷ ଶରୀରରେ ଥିବା କରୋନାଭାଇରସ୍ ଜେନୋମର ଭଗ୍ନାଂଶ ଚିହ୍ନଟ କରିହେବ । କିନ୍ତୁ, ବ୍ୟକ୍ତିବିଶେଷ ନିଶ୍ଚିତ କରୋନାଭାଇରସ୍ ସଂକ୍ରମିତ ବୋଲି ଜଣାପଡ଼ିବାକୁ ଏଥିରେ ୧୩ ମିନିଟ୍ ଲାଗିବ ।

Image Source: Hindustan Times

ଆମେରିକାର ନୁ୍ୟୟର୍କ, କାଲିଫର୍ଣ୍ଣିଆ, ୱାସିଂଟନ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଥିବା ଡାକ୍ତରଖାନାରେ ବ୍ୟାପକ କରୋନାଭାଇରସ୍ ସଂକ୍ରମିତଙ୍କ ଗହଳି ହେବାର ଆଶଙ୍କା ଥିବାରୁ ଯଥେଷ୍ଟ ପରୀକ୍ଷା ଯନ୍ତ୍ର ଯୋଗାଇବାକୁ ଉଦ୍ୟମ ଚାଲିଛି ।

ଇଲିନଇସସ୍ଥିତ ଆବୋଟ୍ କମ୍ପାନିର “ଆଇଡି ନାଓଁ ପ୍ଲାଟଫର୍ମ’ ଉପରେ ଏହି କରୋନାଭାଇରସ୍ ପରୀକ୍ଷା ଆଧାରିତ । ନାକବା ତଣ୍ଟି ଭିତରର ପଛପଟୁ ସଂଗ୍ରହ କରାଯାଇଥିବା ସ୍ୱାବକୁ ଏକ ରାସାୟନିକ ଦ୍ରବଣରେ ମିଶାଇ ଦିଆଯାଏ । ଫଳରେ ଏହା ଭୂତାଣୁକୁ ଫଟାଇ ଦେବା ସହ ତା’ ଭିତରେ ଥିବା “ଆରଏନଏ’କୁ ବାହାରକୁ କାଢ଼ି ଆଣେ । ପୁଣି ଏହି ମିଶ୍ରଣକୁ “ଆଇଡି ନାଓଁ ସିଷ୍ଟମ୍’ରେ ଭର୍ତ୍ତି କରାଯାଇ କରୋନାଭାଇରସର ଜେନୋମ୍ ଚିହ୍ନଟ କରାଯାଏ ।

ସମ୍ବନ୍ଧିତ ଖବର