ଇନସୁଲିନ୍‌ ଦେଇ ରୋଗୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଆମେରିକୀୟ ନର୍ସ ଆଉ ୧୭ ଜଣଙ୍କୁ ହତ୍ୟା କରିଥିବା କଲେ ସ୍ୱୀକାର

ନୂଆଦିଲ୍ଲୀ: ଆମେରିକା ପେନ୍‌ସିଲଭେନିଆର ନର୍ସ ହିଥର ପ୍ରେସଡି, ଯିଏ କି ପୂର୍ବରୁ ଅତ୍ୟଧିକ ଇନସୁଲିନ୍‌ ଡୋଜ୍‌ ମାଧ୍ୟମରେ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ଘଟାଇବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ, ଏବେ ତାଙ୍କ ବିରୋଧରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ଚାକିରି କରୁଥିବା ବିଭିନ୍ନ ଯତ୍ନ କେନ୍ଦ୍ରର ୧୯ ଜଣଙ୍କୁ ଏହିପରି ଢ଼ଙ୍ଗରେ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରିଥିବା ସ୍ୱୀକାର କରିବା ପରେ ଏହା ସାମ୍ନାକୁ ଆସିଛି।
୪୧ ବର୍ଷୀୟା ନର୍ସ ପ୍ରେସଡି ୨୦୨୦ ମସିହାରୁ ଏହି ରୋଗୀମାନଙ୍କୁ ଆବଶ୍ୟକତାଠାରୁ ଅତ୍ୟଧିକ ମାତ୍ରାରେ ଇନସୁଲିନ୍‌ ଦେଉଥିବା ଅଭିଯୋଗ ହୋଇଥିଲା, ଯାହାଫଳରେ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା।

ଆଟର୍ଣ୍ଣି ଜେନେରାଲ ମିସେଲ ହେନରି ଏବେ ତାଙ୍କ ବିରୋଧରେ ନୂଆ ଅଭିଯୋଗ ଆଣିଛନ୍ତି, ଯେଉଁଥିରେ ସିଧାସଳଖ ହତ୍ୟାର ଦୁଇଟି ମାମଲା, ୧୭ଟି ହତ୍ୟା ଉଦ୍ୟମ ମାମଲା ଏବଂ ୧୯ଟି ଯତ୍ନ ନିର୍ଭରଶୀଳ ବ୍ୟକ୍ତିଙ୍କ ପ୍ରତି ଅବହେଳା ଅଭିଯୋଗ ରହିଛି। ମୃତକମାନଙ୍କ ବୟସ ୪୩ରୁ ୧୦୪ ବର୍ଷ ମଧ୍ୟରେ ରହିଛି।

ନର୍ସ ପ୍ରେସଡିଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଦୁଃଖଦାୟକ। ରୋଗୀଙ୍କ ଯତ୍ନ ନେବାକୁ ବିଶ୍ୱାସ କରୁଥିବା ଜଣେ ନର୍ସ କିପରି ଜାଣିଶୁଣି ଓ ଯୋଜନାବଦ୍ଧ ଭାବେ ସେମାନଙ୍କୁ କ୍ଷତି ପହଞ୍ଚାଇ ପାରିବେ ତାହା ବୁଝିବା କଷ୍ଟକର ବୋଲି ଆଟର୍ଣ୍ଣି ଜେନେରାଲ ହେନରି କହିଛନ୍ତି। ପୀଡ଼ିତ ଓ ସେମାନଙ୍କ ପ୍ରିୟଜନଙ୍କ କ୍ଷୟକ୍ଷତିକୁ ଅଣଦେଖା କରାଯାଇ ପାରିବ ନାହିଁ। ଆଟର୍ଣ୍ଣିି ଜେନେରାଲ ଆହୁରି ମଧ୍ୟ କହିଛନ୍ତି ଯେ ଡାକ୍ତରୀ କିମ୍ବା ଯତ୍ନ କେନ୍ଦ୍ରରେ ଥିବା ପ୍ରତ୍ୟେକ ବ୍ୟକ୍ତି ନିରାପଦ ଏବଂ ଯତ୍ନଶୀଳ ଅନୁଭବ କରିବା ଉଚିତ।

ପୂର୍ବରୁ ମେ ମାସରେ ୩ ଜଣ ରୋଗୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗରେ ନର୍ସ ପ୍ରେସଡିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ମିଶାଇ ତାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ହୋଇଥିବା ରୋଗୀଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଉପଲବ୍ଧ ପ୍ରମାଣ ଆଧାରରେ ସେ ବିଭିନ୍ନ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧିତ ଖବର