ଆମେରିକା ଇତିହାସରେ ତୃତୀୟ ଥର : ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିପାରନ୍ତି ଆମେରିକା ଉପରାଷ୍ଟ୍ରପତି

ୱାସିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ପୂର୍ବରୁ ଥିବା ଅନ୍ୟ ୨ ରାଷ୍ଟ୍ରପତିଙ୍କ ପରି ଅସ୍ଥା‌ୟୀ ଭାବେ ତାଙ୍କ କ୍ଷମତା ମାଇକ୍‌ ପେନ୍ସଙ୍କୁ ହସ୍ତାନ୍ତର କରିପାରନ୍ତି। ଟ୍ରମ୍ପ୍‌ ଏବେ କରୋନା ସଂକ୍ରମିତ ହୋଇଛନ୍ତି। ଚିକିତ୍ସାରେ ରହିବା ସମୟରେ ଯଦି ସେ କାମ କରିବାପାଇଁ ଅକ୍ଷମ ହୋଇପଡ଼ନ୍ତି ତେବେ ସେ ତାଙ୍କ ଦାୟିତ୍ବ ମାଇକ୍‌ ପେନ୍ସଙ୍କୁ ହସ୍ତାନ୍ତର କରିବେ। ଆମେରିକା ସମ୍ବିଧାନର ୨୫ତମ ସଂଶୋଧନର ଧାରା ୩ ଅଧୀନରେ ଟ୍ରମ୍ପ୍‌ ତାଙ୍କ ଦାୟିତ୍ବ ଗ୍ରହଣ କରିବାପାଇଁ ଅକ୍ଷମ ବୋଲି ଲିଖିତ ଭା‌ବେ ଘୋଷଣା କରିପାରନ୍ତି। ଟ୍ରମ୍ପ୍‌ ଅଫିସ୍‌ରେ ରହିଲେ ମଧ୍ୟ ମାଇକ୍‌ ପେନ୍ସ କାର୍ଯ୍ୟକାରୀ ରାଷ୍ଟ୍ରପତି ହେବେ। ପରେ ପୁଣି ରାଷ୍ଟ୍ରପତି ଲିଖିତ ଭାବେ ନିଜକୁ ଫିଟ୍‌ ଥିବା କହି ପୁଣିଥରେ ନିଜ ଦାୟିତ୍ବ ଗ୍ରହଣ କରିପାରିବେ। ଜୁଲାଇ ୧୩, ୧୯୮୫ରେ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍‌ଙ୍କର ଏକ ଜରୁରୀ ଅସ୍ତ୍ରୋପଚାର ସମୟରେ ସେ ନିଜ ଦାୟିତ୍ବ ଭାର ଉପରାଷ୍ଟ୍ରପତି ଜର୍ଜ‌୍ ଡବ୍ଲ୍ୟୁ ବୁସ୍‌ଙ୍କୁ ହସ୍ତାନ୍ତର କରିଥିଲେ। ତେବେ ବୁସ୍‌ ମାତ୍ର ୮ ଘଣ୍ଟା‌ ପାଇଁ ରାଷ୍ଟ୍ରପତି ଦାୟିତ୍ବ ତୁଲାଇଥିଲେ। ପରେ ରେଗାନ୍‌ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି କହିଥିଲେ। ‌ସେହିପରି ଜୁନ୍‌ ୨୯,୨୦୦୩ରେ ରାଷ୍ଟ୍ରପତି ଜର୍ଜ‌୍ ଡବ୍ଲ୍ୟୁ ବୁସ୍‌ ମଧ୍ୟ ତାଙ୍କ କାର୍ଯ୍ୟଭାରକୁ ଉପରାଷ୍ଟ୍ରପତି ଡିକ୍‌ ଚେନିଙ୍କୁ ହସ୍ତାନ୍ତର କରିଥିଲେ। ଚେନି ସକାଳ ୭:୦୯ରୁ ୯:୨୪ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦାୟିତ୍ବରେ ରହିଥିଲେ। ତେବେ ଟ୍ରମ୍ପ୍‌ ତୃତୀୟ ରାଷ୍ଟ୍ରପତି ଭାବେ ତାଙ୍କ କ୍ଷମତାକୁ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କୁ ହସ୍ତାନ୍ତର କରିପାରନ୍ତି। ଏହା ଆମେରିକା ଇତିହାସରେ ତୃତୀୟ ଘଟଣା।

ସମ୍ବନ୍ଧିତ ଖବର