ଟିକା ଦିଅ, ଇଲିଶି ନିଅ: ଭାରତ କୋଭିଡ୍‌ ଟିକା ଯୋଗାଣ ବନ୍ଦ କରିବାରୁ ଇଲିଶି ମାଛ ପଠାଇବା ବନ୍ଦ କରିଛି କି ବାଂଲାଦେଶ?

ନୂଆଦିଲ୍ଲୀ: ଭାରତ କୋଭିଡ୍-୧୯ ଟିକା ଯୋଗାଣ ହ୍ରାସ କରି ଦେବାରୁ ବାଂଲାଦେଶ ମଧ୍ୟ ଭାରତକୁ ଇଲିଶି ମାଛ ରପ୍ତାନି ଉପରେ କଟକଣା ଜାରି କରିଥିବା କଥା ଗଣମାଧ୍ୟମ ‘ଏବିପି’ ରିପୋର୍ଟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ବାଂଲାଦେଶର ପ୍ରାୟ ୧୬ ଲକ୍ଷ ଜନତା ଭାରତରେ ଉତ୍ପାଦିତ କୋଭିଡ୍‌-୧୯ ଟିକା ନେଇଛନ୍ତି। ଏବେ ଆଉ ଟିକା ଯୋଗାଇବା ସମ୍ଭବପର ନୁହେଁ ବୋଲି ଭାରତ କୁଆଡ଼େ ବାଂଲାଦେଶକୁ ଜଣାଇ ଦେଇଛି। ବାଂଲାଦେଶରେ କୌଣସି ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଟିକା ଯୋଗାଣ ବନ୍ଦ ଯୋଗୁଁ ଉତ୍‌କ୍ଷିପ୍ତ ହୋଇ ବାଂଲାଦେଶ ଭାରତରେ ଆଦୃତ ପ୍ରସିଦ୍ଧ ବାଂଲାଦେଶର ପଦ୍ମାନଦୀର ଇଲିଶି ମାଛ ଯୋଗାଣ ଉପରେ କଟକଣା ଲାଗୁ କରିଛି। ସୂଚନାଯୋଗ୍ୟ, ବାଂଲାଦେଶରେ ପ୍ରବାହିତ ଗଙ୍ଗାନଦୀର ନାମ ପଦ୍ମାନଦୀ।

ସେହି କାରଣରୁ ସମ୍ଭବତଃ, ଦୀର୍ଘ ଦିନ ହେବ ସମଗ୍ର ବାଂଲାଦେଶରେ ଇଲିଶି ଯୋଗାଣ ଉପରେ ନିଷେଧାଦେଶ ଜାରି ହୋଇଛି। କଟକଣା ସତ୍ତ୍ବେ ଗତବର୍ଷ ପଶ୍ଚିମବଙ୍ଗର ଜମାଇ ଷଷ୍ଠୀ ପାଳନ ପର୍ବ ପାଳନ ନିମନ୍ତେ ଭାରତକୁ ୨ ଟନ୍ ଇଲିଶିମାଛ ରପ୍ତାନି କରିବା ଲାଗି ଶେଖ୍‌ ହସିନା ସରକାର ସ୍ବତନ୍ତ୍ର ଅନୁମତି ଦେଇଥିଲେ।

Image Courtesy of Down to Earth

କିନ୍ତୁ, ଏବର୍ଷ ସେଥିପାଇଁ ବି ଅନୁମତି ଦିଆଗଲା ନାହିଁ। ମାତ୍ର କେତେକ ବିଶେଷଜ୍ଞଙ୍କ ମତରେ, ଭାରତ ଟିକା ଯୋଗାଣ ବନ୍ଦ କରିବା ସହ ଇଲିଶିମାଛ ରପ୍ତାନି ଉପରେ ଲାଗୁ କଟକଣାର କୌଣସି ସମ୍ପର୍କ ନାହିଁ। ଦୁଇ ଦେଶ ମଧ୍ୟରେ ଇଲିଶି କୂଟନୀତିକୁ ନେଇ ପୂର୍ବରୁ ମଧ୍ୟ ମନାନ୍ତର ରହିଛି।

କିଛି ଦିନ ତଳେ ସୀମାନ୍ତ ରାଜିନାମା ସ୍ବାକ୍ଷର କରିବା ଲାଗି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଢାକା ଗସ୍ତରେ ଯାଇଥିବା ବେଳେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ ରହସ୍ୟ କରି କହିଥିଲେ, ଭୋଜନରେ ଏତେ ପ୍ରକାର ଇଲିଶିମାଛର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି କାହିଁକି?

ହସିନା କହିଥିଲେ, ତୀସ୍ତା ନଦୀ ଫୁଲିଲେ ଇଲିଶିମାନେ ଯେକୌଣସି ମତେ ପଶ୍ଚିମବଙ୍ଗକୁ ପହଁରି ଯିବାରେ ସମର୍ଥ ହେବେ।

ସମ୍ବନ୍ଧିତ ଖବର