ବିକିନି ପରିଧାନ କରି ମଝି ଆକାଶରେ ଫ୍ୟାସନ ସୋ’ କଲେ ଭିଏତ୍‌ଜେଟ୍‌ ଏୟାର ହୋଷ୍ଟେସ୍‌; ଜରିମାନା କଷିଲେ ସରକାର

ଭିଏତ୍‌ନାମ: ଭିଏତ୍‌ଜେଟ୍‌ର ଏକ ଅନ୍ତର୍ଜାତିକ ବିମାନ ଭିତରେ ମଝି ଆକାଶରେ ସଂପୃକ୍ତ ବିମାନର ପରିଚାଳିକା (ଏୟାର ହୋଷ୍ଟେସ୍‌)ମାନେ ବିକିନି ପରିଧାନ କରି ଫ୍ୟାସନ ସୋ’ ସହିତ ନୃତ୍ୟ କରିବା ଘଟଣା ଏବେ ବିଶ୍ୱବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଏ ଘଟଣାରେ ଭିଏତନାମର ବେସାମରିକ ବିମାନ ଚଳାଚଳ ବିଭାଗ ଘୋର ଅସନ୍ତୋଷ ବ୍ୟକ୍ତ କରିବା ସହ ଦଣ୍ଡବିଧାନ ସ୍ୱରୂପ ସଂପୃକ୍ତ ବିଭାଗର ମୁଖ୍ୟ ଫ୍ଲାଇଟ୍‌ ଆଣ୍ଟେଣ୍ଡାଣ୍ଟଙ୍କ ଠାରୁ ଭିଏତନାମୀ ମୁଦ୍ରାରେ ୪୦ ମିଲିୟନ ଡଙ୍ଗ୍‌ (୧,୭୬୧ ଆମେରିକୀୟ ଡଲାର)ର ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ଜଣାଯାଇଛି ଯେ ଭିଏତନାମ ଜାତୀୟ ଫୁଟବଲ୍‌ ଦଳର ଖେଳାଳିମାନେ ସଂପୃକ୍ତ ବିମାନରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ସେମାନଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ସଂପୃକ୍ତ ବିମାନର ପରିଚାଳିକାମାନେ ବିକିନି ପରିଧାନ କରି ଫ୍ୟାସନ ସୋ ସହିତ ନୃତ୍ୟ ପ୍ରଦର୍ଶନ କରିଥିଲେ। ତେବେ, ମଜାର କଥା ହେଉଛି, ଭିଏତନାମ ଫୁଟବଲ୍‌ ଟିମ୍‌ର ଖେଳାଳିମାନେ ଚୀନ୍‌ଠାରେ ଆୟୋଜିତ ଏକ ଏସୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ଉଜ୍‌ବେକିସ୍ତାନଠାରୁ ନିର୍ଘାତ ହାରିବା ପରେ ଏହି ବିମାନ ଯୋଗେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିଲେ।

indiatimes

ପରାଜୟର ଗ୍ଲାନିରେ ଜର୍ଜରିତ ଥିବାବେଳେ ସେମାନଙ୍କୁ ସ୍ୱାଗତ କରିବା ଲକ୍ଷ୍ୟରେ ବିମାନର ପରିଚାଳିକାମାନେ ଯେପରି ବିକିନି ପରିଧାନ କରି ଅତ୍ୟନ୍ତ ଲଜ୍ଜାଜନକ ଭାବେ ନିଜର ଅଙ୍ଗ ସୌଷ୍ଠବର ପ୍ରଦର୍ଶନ କରାଇ ‘କ୍ୟାଟ୍‌ ଓ୍ଵାକ’ କରି ଆସି କୁଣ୍ଢାଇ ଧରିଲେ, ସେଥିରେ ସେମାନେ ସୁଦ୍ଧା କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଥିଲେ। କିଏ ଖେଳାଳିଙ୍କ କୋଳରେ ବସି ପଡ଼ିଥିଲା ତ ଆଉ କିଏ ତାଙ୍କୁ ଚୁମ୍ବନ ଦେବାକୁ ଆଗେଇ ଆସିଥିଲା।

ଅନ୍ୟପକ୍ଷରେ ଏହି ବିମାନରେ ଯାତ୍ରା କରୁଥିବା ବେଳେ ଅନ୍ୟ ସହଯାତ୍ରୀମାନେ ମଧ୍ୟ ଏହି ଘଟଣାରେ ହତବାକ୍‌ ହୋଇଥିଲେ। ଏ ଘଟଣାରେ କିପରି ଓ କେମିତି ପ୍ରତିକ୍ରିୟା ପ୍ରଦର୍ଶନ କରିବେ ସେମାନେ କିଛି ବୁଝିପାରି ନଥିଲେ। ତେବେ, ଏହି ସମସ୍ତ ଘଟଣାର ଭିଡିଓ ଓ ଫଟୋଚିତ୍ର ବାହାରେ ପ୍ରଘଟ ହେବାପରେ ଏହାକୁ ନେଇ ଭିଏତନାମ ଭିତରେ ଓ ବାହାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭିଏତନାମ୍‌ର ବିମାନ ସଂସ୍ଥା ଭିଏତ୍‌ଜେଟ୍‌ ନିଜ ଆଡ଼କୁ ଯାତ୍ରୀମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ନିଜର ବିମାନ ପରିଚାଳିକାମାନଙ୍କୁ ବ୍ୟବହାର କରୁଥିବା ସଂପର୍କରେ ପୂର୍ବରୁ ବହୁ ଅଭିଯୋଗ ଓ ଦୁର୍ନାମ ରହିଥିବା ବେଳେ, ଏବେ ସେମାନଙ୍କର ଏ ପ୍ରକାରର ଆଚରଣ ବିଶ୍ୱବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଖୋଦ୍‌ ଭିଏତନାମୀମାନେ ମଧ୍ୟ ବିମାନ ପରିଚାଳିକାମାନଙ୍କ ଏ ପ୍ରକାରର ଆଚରଣକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ଏକ ଅନ୍ତର୍ଜାତିକ ବିମାନରେ ପରିଚାଳିକାମାନଙ୍କ ଦ୍ୱାରା ଏ ପ୍ରକାରର ଆଚରଣ ପ୍ରଦର୍ଶନ କରାଇ ‘ଭିଏତ୍‌ଜେଟ୍‌’ କ’ଣ ତା’ ନାମକୁ ‘ଭିଏତ୍‌ସେକ୍ସ’ରେ ପରିବର୍ତ୍ତନ କରିବାକୁ ଚାହୁଁଛି ବୋଲି ଭିଏତଜେଟ୍‌ର ସିଇଓଙ୍କୁ ସୋସିଆଲ୍‌ ମିଡିଆରେ ପ୍ରଶ୍ନ କରିଛନ୍ତି ଖୋଦ୍‌ ଭିଏତନାମୀମାନେ।

ସମ୍ବନ୍ଧିତ ଖବର