ବୈଧାନିକ ବ୍ୟବସ୍ଥା ଉଲ୍ଲଂଘନ ଆଇନସିଦ୍ଧ ନୁହେଁ: ସୁପ୍ରିମକୋର୍ଟ

ଓଡ଼ିଶାରେ ହିନ୍ଦୀ ଶିକ୍ଷକ ନିଯୁକ୍ତି ମାମଲାର ରାୟ ପ୍ରକାଶ

ନୂଆଦିଲ୍ଲୀ: ବୈଧାନିକ ବ୍ୟବସ୍ଥାକୁ ଉଲ୍ଲଂଘନ କରି ଦିଆଯାଇଥିବା ନିଯୁକ୍ତି ଆଇନସିଦ୍ଧ ନୁହେଁ। ହିନ୍ଦୀ ଶିକ୍ଷକ ନିଯୁକ୍ତି ମାମଲାର ରାୟ ପ୍ରକାଶ କରି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏଲ ନାଗେଶ୍ବର ରାଓ ଓ ବିଚାରପତି ଜଷ୍ଟିସ ବିଆର ଗଭାଇଙ୍କ ଖଣ୍ଡପୀଠ ଏହା କହିଛନ୍ତି। ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ମେ ୧୮, ୨୦୧୭ ଓ ଜାନୁଆରି ୩୦, ୨୦୧୮ରେ ଆବେଦନକାରୀ ହିନ୍ଦୀ ଶିକ୍ଷକମାନଙ୍କ ମୂଳ ଆବେଦନକୁ ଗ୍ରହଣ କରି ସେମାନଙ୍କ ଚାକିରି ପରିସମାପ୍ତି ଆଦେଶ ଖାରଜ କରିବା ସହିତ ସେମାନଙ୍କୁ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏପ୍ରିଲ ୧, ୨୦୧୧ରୁ ନିୟମତି ସରକାରୀ ଶିକ୍ଷକରୁପେ କାର୍ଯ୍ୟ କରିବାର ଅନୁମତି ‌ଦେଇଥିଲେ। ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲଙ୍କ ଦୁଇଟି ଆଦେଶ ବିରୋଧରେ ଓଡ଼ିଶା ହାଇକୋର୍ଟରେ ରିଟ ପିଟିସନ ଦାଖଲ କରିଥିଲେ। ହାଇକୋର୍ଟଙ୍କ ଡିଭିଜନ ବେଞ୍ଚ ଡିସେମ୍ବର ୨୦, ୨୦୧୮ରେ ରାଜ୍ୟ ସରକାରଙ୍କ ରିଟ୍‌ ପିଟିସନକୁ ଖାରଜ କରିଦେବା ସହ ଟ୍ରିବ୍ୟୁନାଲଙ୍କ ଆଦେଶକୁ କାଏମ ରଖିଥିଲେ। ଏହି ଆଦେଶକୁ ବିରୋଧ କରି ରାଜ୍ୟ ସରକାର ଅପିଲରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୦, ୨୦୧୯ରେ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଥିଲେ। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ହିନ୍ଦୀ ଶିକ୍ଷକ ନିଯୁକ୍ତି ଓଡ଼ିଶା ଶିକ୍ଷା ନିୟମ, ୧୯୭୪ର ଧାରା ୫ ଓ ୬ର ବିରୁଦ୍ଧାଚରଣ କରୁଛି। ଏହାକୁ କାଏମ ରଖାଯାଇପାରିବ ନାହିଁ। ପ୍ରତିପକ୍ଷଙ୍କ ଯୁକ୍ତିଥିଲା ଉପରୋକ୍ତ ନିୟମ ଅନୁଦାନପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଅତିରିକ୍ତ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ପ୍ରଯୁଜ୍ୟ ଥିଲା। ଆବେଦନକାରୀ ଶିକ୍ଷକ ଯେଉଁମାନେ ତୃତୀୟ ପଦରେ ନିଯୁକ୍ତି ପାଇଥିଲେ, ତାହା ଅଣଅନୁଦାନପ୍ରାପ୍ତ ଆଧାର ଥିଲା। ସେମାନଙ୍କ ପାଇଁ ଓଡ଼ିଶା ଶିକ୍ଷା ନିୟମ ଲାଗୁ ହୋଇପାରିବ ନାହିଁ।

ସମସ୍ତ ରେକର୍ଡକୁ ଅନୁଧ୍ୟାନ କରି ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି ଯେ ଆବେଦନକାରୀ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟାରେ ପରିଚାଳନା କମିଟି ଓଡ଼ିଶା ଶିକ୍ଷା ନିୟମ, ୧୯୭୪କୁ ପାଳନ କରିନାହାନ୍ତି। ନିୟମ ଅନୁସାରେ ସେମାନେ ସାହାଯ୍ୟପ୍ରାପ୍ତ ଶିକ୍ଷା ଅନୁଷ୍ଠାନ ପାଇଁ ଯୋଗ୍ୟ ହୋଇପାରିବେ। ଟ୍ରିବ୍ୟୁନାଲଙ୍କ ଦ୍ବାରା ମେ ୧୮, ୨୦୧୭ ଓ ଜାନୁଆରି ୩୦,୨୦୧୮ରେ ଯେଉଁ ରାୟ ଦିଆଯାଇଥିଲା ସେଥିରେ ଟ୍ରିବ୍ୟୁନାଲଙ୍କ ୨୫ ଜୁନ ୨୦୧୩ ଓ ୨୩ ସେପ୍ଟେମ୍ବର ୨୦୧୩ର ରାୟକୁ ବିଚାରକୁ ନିଆଯାଇନାହିଁ। ୨୦୧୩ର ଉଭୟ ରାୟରେ ଟ୍ରିବ୍ୟୁନାଲ ଆଇନକୁ ବିସ୍ତୃତଭାବେ ବିଚାରକୁ ନେଇଥିଲେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଟ୍ରିବ୍ୟୁନାଲ ଓ ହାଇକୋର୍ଟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଡିସେମ୍ବର ୨, ୧୯୯୬ର ସିଭିଲ ଅପିଲ (୧୫୭୧୨)କୁ ମଧ୍ୟ ବିଚାରକୁ ନେଇନାହାନ୍ତି। ଟ୍ରିବ୍ୟୁନାଲ ଆବେଦନଗୁଡ଼ିକୁ ଗ୍ରହଣ କରି ତ୍ରୁଟି କରିଛନ୍ତି ଏବଂ ହାଇକୋର୍ଟ ରାଜ୍ୟ ସରକାରଙ୍କ ରିଟ୍‌ ପିଟିସନକୁ ଖାରଜ କରି ଠିକ୍‌ କରିନାହାନ୍ତି। ଏଥି ସହିତ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଅପିଲକୁ ଗ୍ରହଣ କରିବା ସହିତ ପ୍ରତିପକ୍ଷଙ୍କ ଦ୍ବାରା ଦାଖଲ କରାଯାଇଥିବା ମୂଳ ଆବେଦନଗୁଡ଼ିକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସିୟୁ ସିଂହ ଓ ପ୍ରତିପକ୍ଷମାନଙ୍କ ପକ୍ଷରୁ ଗୌରଭ ଅଗ୍ରୱାଲ ଏବଂ ଆର ବାଲସୁବ୍ରମଣ୍ୟମ ମାମଲାର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର