ଜେଏନୟୁ କ୍ୟାମ୍ପସରେ ସଂଘର୍ଷ: ବହୁ ଛାତ୍ର ଓ ଶିକ୍ଷକ ଆହତ, ଗୃହ ମନ୍ତ୍ରାଳୟ ଦେଲା ତଦନ୍ତ ଆଦେଶ

ନୂଆଦିଲ୍ଲୀ : ଅଶାନ୍ତ ହୋଇ ଉଠିଛି ଦେଶର ଖ୍ୟାତନାମା ବିଶ୍ବବିଦ୍ୟାଳୟ ଜେଏନୟୁ । ରବିବାର ସନ୍ଧ୍ୟାରେ ହଷ୍ଟେଲ ଭିତରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ହୋଇଥିବା ଖବର ସାମ୍ନାକୁ ଆସିଛି । କିଛି ଯୁବକ  ମୁହଁରେ କପଡା ବାନ୍ଧି ଲାଠି ଧରି ହଷ୍ଟେଲରେ ପଶି ଛାତ୍ରମାନଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଜେଏନୟୁ ଛାତ୍ରସଂଘ ସଭାପତି ଆଇଶିି ଘୋଷ  ଓ ସାଧାରଣ ସଂପାଦକ ସତିଶ  ଚନ୍ଦ୍ର  ଗୁରୁତର ଆହତ ହୋଇଛନ୍ତି । ଆଇଶିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆଇଶିଙ୍କ କହିବା ଅନୁଯାୟୀ, କିଛି ଯୁବକ ମୁହଁରେ ମାସ୍କ ପିନ୍ଧି ଅଚାନକ ଆକ୍ରମଣ କରିଥିଲେ । ଏପରିକି ହଷ୍ଟେଲ ମଧ୍ୟରେ ପଶି ମାଡ ମାରିଥିଲେ । ଏହି ଆକ୍ରମଣରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ (ଏବିଭିପି) ପରିଷଦର ହାତ ଅଛି ବୋଲି ଜେଏନୟୁ ଛାତ୍ର ସଂଘ ଅଭିଯୋଗ କରିଛି।

Indian Express

ଅନ୍ୟପଟେ ଏବିଭିପି ଅଭିଯୋଗ କରିଛି ଯେ, ଏସଏଫଆଇ, ଆଇସା, ଡିଏସଏଫ ସଙ୍ଗଠନର ଛାତ୍ର ସଂଘବଦ୍ଧ ଭାବେ ଏବିଭିପି ଛାତ୍ରଙ୍କୁ ଆକ୍ରମଣ କରିଥିଲେ । ଉଭୟ ଛାତ୍ର ସଙ୍ଗଠନ ମଧ୍ୟରେ ହୋଇଥିବା ଆକ୍ରମଣରେ ଏଯାଏଁ ୧୮ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଥିବା ବେଳେ ୧୧ ଜଣ ଛାତ୍ରଙ୍କର କୌଣସି ଖୋଜଖବର ମିଳୁନାହିଁ । ଏହି ଘଟଣା ପରେ ଜେଏନୟୁ କ୍ୟାମ୍ପସରେ ଛାତ୍ର ଅଶାନ୍ତିକୁ ନେଇ ଦିଲ୍ଲୀ ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ  ଗୃହମନ୍ତ୍ରୀ ଅମିତ ଶାହା ଓ  ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗୃହ ମନ୍ତ୍ରାଳୟ ପକ୍ଷରୁ ଘଟଣାର ତଦନ୍ତ ଆଦେଶ ଦିଆଯାଇଛି।

ଏହି ଘଟଣା ପରେ ଆହତ ଛାତ୍ର ମାନଙ୍କୁ ଚିକିତ୍ସା ପାଇଁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜେଏନୟୁ ପରିସରରେ ୭ଟି ଆମ୍ବୁଲାନ୍ସ ପଠା ଯାଇଥିବା ବେଳେ କ୍ୟାମ୍ପସ ବାହାରେ ପୋଲିସ ମୁତୟନ କରାଯାଇଛି ।  ଜେଏନୟୁର ସମସ୍ତ ଗେଟକୁ ବନ୍ଦ କରି ଦିଆଯାଇଛି । ଜେଏନୟୁ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ମୁହଁରେ ମାସ୍କ ବାନ୍ଧି କିଛି ଯୁବକ ଅପରାହ୍ନରେ  ସୂଚନା ପ୍ରଣାଳୀ କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ବିଜୁଳୀ ବନ୍ଦ କରିବା ସହ ସର୍ଭର ରୁମରେ ଭଙ୍ଗାରୁଜା ଆରମ୍ଭ କରିଥିଲେ । ଯେଉଁଥିପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ବାଧା ଉପୁଜିଥିଲା । ତେବେ ବିଶ୍ୱବିଦ୍ୟାଳୟରେ ଏଭଳି କାଣ୍ଡ ଭିଆଇଥିବା ଛାତ୍ରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର