ଯୁଦ୍ଧ ବିକଳ୍ପ ନୁହେଁ: ପାକ୍ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଗତକାଲି ଦି ନ୍ୟୁୟର୍କ ଟାଇମ୍ସରେ ଏକ ସ୍ତମ୍ଭରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଲେଖିଥିଲେ ବିଶ୍ବ ଯଦି କଶ୍ମୀର ପ୍ରସଙ୍ଗକୁ ଅଣଦେଖା କରେ ତା’ହେଲେ ଦୁଇ ଦେଶ ଯୁଦ୍ଧର ନିକଟବର୍ତ୍ତୀ ହେବେ।

ତେବେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଆଜି ଏ ନେଇ ଭିନ୍ନ ମତ ଦେଇଛନ୍ତି। ସେ କହିଛନ୍ତି, କଶ୍ମୀର ସମସ୍ୟାର ସମାଧାନ ପାଇଁ ଯୁଦ୍ଧ ଏକ ବିକଳ୍ପ ନୁହେଁ। ବିବିସି ଉର୍ଦ୍ଦୁକୁ ସାକ୍ଷାତକାର ଦେଇ କ୍ୟୁରେସି କହିଛନ୍ତି, ପାକିସ୍ତାନ କଦାପି ଆକ୍ରମଣାତ୍ମକ ନୀତି ଗ୍ରହଣ କରିନାହିଁ। ସବୁବେଳେ ଶାନ୍ତିକୁ ପସନ୍ଦ କରିଆସିଛି। ଇମ୍ରାନ ଖାନ୍‌ଙ୍କ ନେତୃତ୍ବରେ ପରିଚାଳିତ ସରକାର ଭାରତକୁ ବାରମ୍ବାର ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଆସିଛି। କାରଣ ଦୁଇ ଦେଶ ଆଣବିକ ଶକ୍ତି ସମ୍ପନ୍ନ। ତେଣୁ ଯୁଦ୍ଧକୁ ଯିବାର ବିପଦ ଦୁଇ ଦେଶ ପକ୍ଷେ ଗ୍ରହଣୀୟ ନୁହେଁ। କଶ୍ମୀର ଏକ ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି ଯାହା କହୁଛି ତାହାକୁ କ୍ୟୁରେସି ପ୍ରତ୍ୟାଖାନ କରିଛନ୍ତି। ଏହା ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ବୋଲି କ୍ୟୁରେସି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର