ହଟ୍ଟଗୋଳରେ ଧୋଇଗଲା ବଜେଟ ଅଧିବେଶନ

୨୫୦ ଘଣ୍ଟା ବରବାଦ

ନୂଆଦିଲ୍ଲୀ: ଆଜି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହୋଇଛି। ବିରୋଧୀଙ୍କ ହଟ୍ଟଗୋଳ ପାଇଁ ସଂସଦର ଉଭୟ ଗୃହରେ ଆଜି ମଧ୍ୟ କୌଣସି କାର୍ଯ୍ୟ ହୋଇପାରିନଥିଲା ଏବଂ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ୨୫୦ ଘଣ୍ଟା ବରବାଦ ହୋଇଥିବା ବେଳେ ବିଗତ ୧୮ ବର୍ଷରେ ସଂସଦରେ ଏହା ସବୁଠୁ ନୈରାଶ୍ୟଜନକ ଅଧିବେଶନ ବୋଲି ଜଣାପଡ଼ିଛି। ୨୦୦୦ ମସିହାରେ ଲୋକସଭାରେ ମୋଟ ୩୩.୬ ଘଣ୍ଟା ଓ ରାଜ୍ୟସଭାରେ ମୋଟ ୫୩.୨ ଘଣ୍ଟା କାର୍ଯ୍ୟ ହୋଇଥିଲା। ବଜେଟ ଅଧିବେଶନର ଏହି ପର୍ଯ୍ୟାୟରେ ଲୋକସଭାରେ ୧୨୭ ଘଣ୍ଟା ୪୫ ମିନିଟ ବରବାଦ ହୋଇଥିବା ବେଳେ ରାଜ୍ୟସଭାରେ ୧୨୧ ଘଣ୍ଟାରୁ ଅଧିକ ମୂଲ୍ୟବାନ କାର୍ଯ୍ୟ ସମୟ ନଷ୍ଟ ହୋଇଯାଇଛି। ବଜେଟ୍‌ ଅଧିବେଶନର ଉଭୟ ପର୍ଯ୍ୟାୟରେ ଲୋକସଭାରେ ମୋଟ ୨୧ ପ୍ରତିଶତ କାର୍ଯ୍ୟ ହୋଇଥିବା ବେଳେ ରାଜ୍ୟସଭାରେ ୩୧ ପ୍ରତିଶତ କାର୍ଯ୍ୟ ହୋଇପାରିଛି। ଆଜି ଗୃହରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଦେଇଥିବା ତଥ୍ୟ ମୁତାବକ, ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଲୋକସଭାରେ ମୋଟ ୧୩୪ ପ୍ରତିଶତ ଓ ରାଜ୍ୟସଭାରେ ମୋଟ ୯୬ ପ୍ରତିଶତ କାର୍ଯ୍ୟ ହୋଇଥିଲା। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ଦିନଠାରୁ ଗୃହରେ ଲାଗାତାର ଅଚଳାବସ୍ଥା ଯୋଗୁଁ ଲୋକସଭାରେ ମାତ୍ର ୪ ପ୍ରତିଶତ ଓ ରାଜ୍ୟସଭାରେ ୮ ପ୍ରତିଶତ କାର୍ଯ୍ୟ ହୋଇପାରିଛି।

ରାଜ୍ୟସଭାରେ ପଚରା ଯାଇଥିବା ମୋଟ ୧୯ଟି ତାରକା ପ୍ରଶ୍ନ ମଧ୍ୟରୁ ମାତ୍ର ୫ଟିର ଉତ୍ତର ମନ୍ତ୍ରୀ ଦେଇଥିବା ବେଳେ ଲୋକସଭାରେ ପଚରା ଯାଇଥିବା ମୋଟ ୫୮୦ଟି ତାରକା ପ୍ରଶ୍ନରୁ ମାତ୍ର ୧୭ଟିର ଉତ୍ତର ମଳିପାରିଛି। ବିଗତ ୧୮ ବର୍ଷ ମଧ୍ୟରେ ଚଳିତ ବର୍ଷ ସଂଦର ଅଧିବେଶନରେ ସବୁଠୁ କମ୍‌ କାର୍ଯ୍ୟ ହୋଇଥିବା ସଂସଦୀୟ ଗବେଷକଙ୍କ ସୂତ୍ରରୁ ପ୍ରକାଶ। ସଂସଦର ଏହି ଅଚଳାବସ୍ଥା ପାଇଁ ବିଜେପି ଓ କଂଗ୍ରେସ ପରସ୍ପରକୁ ଦାୟୀ କରିଛନ୍ତି। କଂଗ୍ରେସ ଓ ଅନ୍ୟ ବିରୋଧୀଦଳଗୁଡ଼ିକ ଉଦ୍ଦେଶ୍ୟମୂଳକ ଭାବେ କୌଣସି କାମ କରାଇ ଦେଇନଥିଲେ ବୋଲି ବିଜେପି କହିଥିବା ବେଳେ କେନ୍ଦ୍ରର ଏନ୍‌ଡିଏ ସରକାରଙ୍କ ଇଙ୍ଗିତରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ ବରବାଦ ହୋଇଯାଇଥିବା ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି।

ଆଜି ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଚିରାଚରିତ ଢଙ୍ଗରେ ଏଆଇଏଡିଏମ୍‌କେ ସାଂସଦମାନେ ଗୃହରେ ହଟ୍ଟଗୋଳ ଆରମ୍ଭ କରିବାରୁ ବାଚସ୍ପତି ସୁମିତ୍ରା ମହାଜନ ଏଥିରେ କ୍ଷୋଭ ପ୍ରକାଶ କରିଥିଲେ। ଆଜି ବଜେଟ୍‌ ଅଧିବେଶନର ଶେଷ କାର୍ଯ୍ୟ ଦିବସ ଥିବାରୁ ଶାନ୍ତି ନଫେରିଲେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବ ବୋଲି ଚେତାବନୀ ଦେବା ସତ୍ତ୍ୱେ ଏଆଇଏଡିଏମ୍‌କେ, ଟିଡିପି ଓ କଂଗ୍ରେସ ସାଂସଦମାନେ ଗୃହର ମଧ୍ୟଭାଗରେ ବିରୋଧ ପ୍ରଦର୍ଶନ କରିଥିଲେ। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହରେ ଟିଡିପି ସାଂସଦଙ୍କ ଦ୍ୱାରା ହଟ୍ଟଗୋଳ ଜାରି ରହିବାରୁ ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ।

୪୫ ଦିନ, ୨୫ ଘଣ୍ଟା ଓ ୨ଶହ କୋଟି ଖର୍ଚ୍ଚ
ନୂଆଦିଲ୍ଲୀ: ଜାନୁଆରି ୨୯ ତାରିଖରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫ୍ରେବ୍ରୁଆରି ୯ ତାରିଖ ଯାଏଁ ଚାଲିଥିବା ବେଳେ ଦ୍ୱିତୀୟ ଅଧିବେଶନ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି। ଏହି ୪୫ ଦିନର କାର୍ଯ୍ୟକାଳ ସମୟରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ମୋଟ ୨୫ ଘଣ୍ଟା ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଛି। ଏହି ଅଧିବେଶନରେ ଲୋକସଭାରେ ମୋଟ ୧୪ ଘଣ୍ଟା ଏବଂ ରାଜ୍ୟସଭାରେ ୧୧ ଘଣ୍ଟା କାର୍ଯ୍ୟ ହୋଇପାରିଛି। ସେପେଟ ଏହି ୪୫ ଦିନରେ ସାଂସଦଙ୍କ ପାଇଁ ସରକାରଙ୍କ ପାଣ୍ଠିରୁ ପାଖାପାଖି ୨ଶହ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି। ବିନା କୌଣସି କାର୍ଯ୍ୟରେ କରଦାତାଙ୍କ ୨ଶହ କୋଟି ଟଙ୍କା ଖର୍ଚ୍ଚ ହେବା ସେମାନଙ୍କ ଅର୍ଥର ଆତ୍ମସାତ୍‌ କରିବା ସହ ସମାନ ବୋଲି ଏନ୍‌ଡିଏ ସରକାର କହିଛନ୍ତି।

ଇସ୍ତଫା ଦେଲେ ଓ୍ଵାଇଏସ୍‌ଆର୍‌ସିର ୫ ସାଂସଦ

ନୂଆଦିଲ୍ଲୀ: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହେବା ସହିତ ଓ୍ଵାଇଏସ୍‌ଆର୍‌ସିର ୫ ଜଣ ସାଂସଦ ପୂର୍ବ ଘୋଷଣା ମୁତାବକ ଆଜି ଇସ୍ତଫା ଦେଇଛନ୍ତି । ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ପାଇଁ ଦାବି କରିବା ସହ ଏନ୍‌ଡିଏ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ଆଣିଥିଲା। ଏନେଇ ଗୃହରେ ବାରମ୍ବାର ଦାବି ଉପସ୍ଥାପନ କରିବା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସହଯୋଗ ନମିଳିବାରୁ ତାଙ୍କ ଦଳର ସମସ୍ତ ୫ଜଣ ଯାକ ସାଂସଦ ଇସ୍ତଫା ଦେବେ ବୋଲି ଦଳ ମୁଖ୍ୟ ଓ୍ଵାଇ ଏସ୍‌ ଜଗନମୋହନ ରେଡ୍ଡି ଘୋଷଣା କରିଥିଲେ। ଆଜି ତାଙ୍କ ଘୋଷଣା ମୁତାବକ, ଦଳର ୫ଜଣ ଯାକ ସାଂସଦ ଲୋକସଭାରେ ବାଚସ୍ପତିଙ୍କୁ ଇସ୍ତଫା ଦେଇଛନ୍ତି। ଓ୍ଵାଇଏସ୍‌ଆର୍‌ସି ଲୋକସଭା ନିର୍ବାଚନରେ ୮ଟି ଆସନ ଜିତିଥିବା ବେଳେ ୩ଜଣ ସାଂସଦ ଦଳ ଛାଡି ଟିଡିପିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର