ଯୋଗୀ ଆଦିତ୍ୟନାଥ କାନରେ କୁଣ୍ଡଳ ପିନ୍ଧିବାର ରହସ୍ୟ କ’ଣ ?

ଭୁବନେଶ୍ବର : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଏବେ  ସମଗ୍ର ଦେଶବାସୀଙ୍କ ଆଖି । କାରଣ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ଆଗକୁ ନିର୍ବାଚନ ଥିବାବେଳେ ସେ ୨ଥର ନିମନ୍ତେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ ପ୍ରମୁଖ ଦାବିଦାର ଅଛନ୍ତି ।

ସନ୍ୟାସ ଗ୍ରହଣ କରିଥିବା ଯୋଗୀ ଆଦିତ୍ୟନାଥ ସବୁ ବେଳେ ନିଜ କାନରେ କୁଣ୍ଡଳ ପିନ୍ଧିଥାନ୍ତି । ହେଲେ ଏହା ପଛରେ କଣ ରହସ୍ୟ ଅଛି ?

ଉତ୍ତରାଖଣ୍ଡର ଗଡ଼ଓ୍ବାଲରେ ଜନ୍ମ ଗ୍ରହଣ କରିଥିବା ଅଜୟ କୁମାର ବିଷ୍ଟ ୧୯୯୪ ମସିହାରେ ମହନ୍ତ ଅଦ୍ବୈତନାଥଙ୍କଠାରୁ ସନ୍ୟାସ ଗ୍ରହଣ କରିବା ପରେ ତାଙ୍କ ନାମ ଯୋଗୀ ଆଦିତ୍ୟନାଥ ରଖାଯାଇଥିଲା । ଏହା ସହିତ ସେ ଗୋରଖପୁରର ପ୍ରସିଦ୍ଧ ଗୋରଖନାଥ ମଠର ମହନ୍ତ ହୋଇଥିଲେ ।

ଯୋଗୀ ଆଦିତ୍ୟନାଥ  ନାଥ ପରମ୍ପରାର ଜଣେ ସନ୍ୟାସୀ । ନାଥ ପରମ୍ପରାର ଯୋଗୀ ବା ସନ୍ୟାସୀମାନେ କାନରେ କୁଣ୍ଡଳ ପିନ୍ଧନ୍ତି । ସବୁଦିନ ସଂଧ୍ୟାରେ ଧୂନି (ନିଆଁ) ଜାଳନ୍ତି । ସେମାନେ ପାଖରେ ତ୍ରିଶୂଳ କିମ୍ବା ଏକ ଚିମୁଟା ରଖନ୍ତି । ଯୋଗୀ ଆଦିତ୍ୟନାଥ ଏହି ସଂପ୍ରଦାୟରେ ସାମିଲ ହେବା ପରେ ତାଙ୍କୁ କୁଣ୍ଡଳ ପିନ୍ଧାଇ ଦିଆଯାଇଥିଲା ।

ନାଥ ପରମ୍ପରା ଦେଶର ଏକ ଅତି ପ୍ରାଚୀନ ସନ୍ୟାସ ପରମ୍ପରା ମଧ୍ୟରୁ ଅନ୍ୟତମ । ଏହି ସଂପ୍ରଦାୟ ଆଦିନାଥ ବା ଭଗବାନ ଶିବଙ୍କ ଠାରୁ ଆରମ୍ଭ ହୋଇଛି ବୋଲି ବିଶ୍ବାସ କରାଯାଏ । ଆଧୁନିକ ଯୁଗରେ ସିଦ୍ଧ ସନ୍ୟାସୀ ମତ୍ସେନ୍ଦ୍ରନାଥ ନିଜର ପ୍ରମୁଖ ଶିଷ୍ୟ ଗୋରଖନାଥଙ୍କ ମାଧ୍ୟମରେ ଏହି ସଂପ୍ରଦାୟର ପ୍ରସାର ସମଗ୍ର ଭାରତ ଓ ନେପାଳରେ କରାଇଥିଲେ ।

ସମ୍ବନ୍ଧିତ ଖବର