ବିହାରରେ ଜଙ୍ଗଲ ରାଜ୍! ହତ୍ୟା ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ଉତ୍ତ୍ୟକ୍ତ ଲୋକେ ମହିଳାଙ୍କୁ ସ୍ପଷ୍ଟ ଦିବାଲୋକରେ ଉଲଗ୍ନ କରି ରାଜରାସ୍ତାରେ କରାଇଲେ ପ୍ୟାରେଡ୍
ପାଟନା (ବିହାର): ବିହାରର ବହିୟା ସହରରେ ଦେଖିବାକୁ ମିଳିଛି ଜଙ୍ଗଲ ରାଜ୍। ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକ୍ରମରେ ଜନୈକ ଯୁବକଙ୍କର ହତ୍ୟା ଘଟଣାରେ ଜଡ଼ିତ ଥିବା ସନ୍ଦେହରେ କେତେକ ବ୍ୟକ୍ତି ସଂଘବଦ୍ଧ ହୋଇ ଜନୈକା ମହିଳାଙ୍କୁ ସ୍ପଷ୍ଟ ଦିବାଲୋକରେ ସଂପୂର୍ଣ୍ଣ ଉଲଗ୍ନ କରିବା ସହ ରାଜରାସ୍ତା ଉପରେ ସମସ୍ତଙ୍କ ସମ୍ମୁଖରେ ପ୍ୟାରେଡ୍ କରାଇବା ସହ ତାଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ସମଗ୍ର ବିହାରରେ ତୀବ୍ର ଉତ୍ତେଜନା ଓ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ବିହାର ରାଜ୍ୟ ସରକାର ବହିୟା ଥାନା ଅଧିକାରୀଙ୍କ ସମେତ ୮ ଜଣ ପୁଲିସ୍ ଅଧିକାରୀଙ୍କୁ କର୍ତ୍ତବ୍ୟରେ ଅବହେଳା କାରଣରୁ ନିଲମ୍ବିତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଭୀମ୍ଲେସ୍ ସାଭ୍ ନାମକ ଜନୈକ ଯୁବକଙ୍କ ମୃତଦେହ ସୋମବାର ସକାଳୁ ରେଳ ଧାରଣା ଉପରୁ ମିଳିଥିଲା। ପରେ କିଛି ଉତ୍ୟକ୍ତ ଲୋକ ସଂଘବଦ୍ଧ ହୋଇ ଭୀମ୍ଲେସ୍ଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ଟ୍ରେନ୍ ଉପରକୁ ଟେକା ପଥର ମାଡ଼ କରି ଭଙ୍ଗାରୁଜା କରିଥିଲେ। ଏହାପରେ ଉତ୍ୟକ୍ତ ଲୋକ ସଂଘବଦ୍ଧ ହୋଇ ଏହି ହତ୍ୟା ଘଟଣାରେ ଜନୈକା ମହିଳା ସଂପୃକ୍ତ ଥିବା ସନ୍ଦେହ କରି ତାଙ୍କୁ ଘର ଭିତରୁ ଟାଣି ଆଣିବା ସହ ସ୍ପଷ୍ଟ ଦିବାଲୋକରେ ସଂପୂର୍ଣ୍ଣ ଉଲଗ୍ନ କରାଇ ରାଜରାସ୍ତା ଉପରେ ସମସ୍ତଙ୍କ ସମ୍ମୁଖରେ ପ୍ୟାରେଡ୍ କରାଇବା ସହ ତାଙ୍କୁ ନିର୍ଘାତ ମାଡ଼ ମାରିଥିଲେ। ଏହି ଘଟଣା ସଂପର୍କରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ସହ ସେମାନଙ୍କ କବଳରୁ ସଂପୃକ୍ତା ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲା। ପରେ ଏହି ଘଟଣାକୁ କେନ୍ଦ୍ରକରି ବିହାରର ଭୋଜପୁର ଜିଲ୍ଲାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକେ ଗାଡ଼ିମୋଟର ଏବଂ ଦୋକାନ ବଜାରରେ ନିଆଁ ଲଗାଇ ଦେଇଥିଲେ। ଏବେବି ଏହି ଘଟଣାକୁ କେନ୍ଦ୍ରକରି ସଂପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗିରହିଛି।
ଏହି ଘଟଣାପରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀଙ୍କର ତୀବ୍ର ସମାଲୋଚନା କରିବା ସହ ବିହାରରେ ଏବେ ‘ମହାଜଙ୍ଗଲ ରାଜ୍’ ଓ ‘ରାକ୍ଷସ ରାଜ’ ଚାଲିଛି ବୋଲି କଟାକ୍ଷ କରିଛନ୍ତି।