‘ଜନତା ଦରବାର’ ମଧ୍ୟରେ ଅଭିଯୋଗକାରୀଙ୍କୁ ଗାଳି ଦେବା ସହ ଧକ୍କା ମାରି ବିଦାକଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଗୋରଖପୁର (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୋରଖପୁର ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ‘ଜନତା ଦରବାର’ ମଧ୍ୟରେ ଜନୈକ ଅଭିଯୋଗକାରୀଙ୍କୁ ଗାଳିଗୁଲଜ କରିବା ସହ ଗଳାଧକ୍କା ମାରି ତାଙ୍କୁ ସେଠାରୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଯୋଗୀ ତଡ଼ି ଦେଇଥିବା ନେଇ ଏକ ଗୁରୁତର ଅଭିଯୋଗ ହୋଇଛି। ଏଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ନେଇ ଏବେ ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୁଦ୍ଧରେ ଏପ୍ରକାରର ଅଭିଯୋଗ ଆଣିଥିବା ଅଭିଯୋଗକାରୀ ଆୟୁଷ ସିଂଘଲ କହିଛନ୍ତି, ସେ ତାଙ୍କର ଏକ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଜନତା ଦରବାରକୁ ଯାଇଥିବା ବେଳେ, ‘ଏଠୁ ଦୂର ହ ବଦମାସ! ମୋ ସରକାରରେ ତୋତେ କେହି ବି ସାହାଯ୍ୟ କରିବେ ନାହିଁ’, ବୋଲି କହି ଗାଳି ଦେବା ସହ ତାଙ୍କୁ ସେଠାରୁ ଧକ୍କାମାରି ତଡ଼ି ଦେଇଥିଲେ।

ଘଟଣା ସଂପର୍କରେ ଜନତା ଦରବାର ବାହାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ କରି ଶ୍ରୀ ସିଂଘାଲ କହିଥିଲେ ଯେ ଲକ୍ଷ୍ନୌର ଏକ ପ୍ରମୁଖ ଅଞ୍ଚଳରେ ତାଙ୍କର ୫.୫ ଏକରର ଏକ ବହୁମୂଲ୍ୟ ଜମି ରହିଛି। ୨୦୧୨ରେ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ଶାସନ କ୍ଷମତାରେ ଥିବାବେଳେ ନଉତନଓ୍ଵା ବିଧାନସଭା କ୍ଷେତ୍ରରୁ ଏହାର ବିଧାୟକ ଥିବା ଅମନମଣି ତ୍ରିପାଠୀ ତାଙ୍କର ଏହି ଜମିକୁ ବଳ ପୂର୍ବକ ହାତେଇ ନେବାକୁ ଉଦ୍ଦ୍ୟମ କରୁଛନ୍ତି। ଏବଂ ନିଜ ଜମି ଉପରକୁ ଯିବାକୁ ଅଭିଯୋଗକାରୀ ସିଂଘଲଙ୍କୁ ଛାଡ଼ୁ ନାହାନ୍ତି। ଅମନମଣିଙ୍କ ବାପା ଅମରମଣି ତ୍ରାପାଠୀ ମଧ୍ୟ ସମାଜବାଦୀ ପାର୍ଟିର ଜଣେ ବରିଷ୍ଠ ନେତା ପୂର୍ବରୁ ନଉତନଓ୍ଵା ବିଧାନସଭା କ୍ଷେତ୍ରରୁ ଚାରି ଚାରି ଥର ବିଧାୟକ ରହି ଆସିଛନ୍ତି। ତେଣୁ, ଏହି ମାମଲାରେ ପୂର୍ବ ସମାଜବାଦୀ ସରକାର ସିଂଘଲଙ୍କ ବଦଳରେ ତ୍ରିପାଠୀ ପରିବାରକୁ ସାହାଯ୍ୟ, ସହଯୋଗ ଯୋଗାଇ ଆସୁଥିଲା।

୬ ବର୍ଷପରେ ଯେତେବେଳେ ଉତ୍ତରପ୍ରଦେଶର ଶାସନ କ୍ଷମତା ବିଜେପି ହାତକୁ ଆସିଲା ଓ ଯୋଗୀ ଆଦିତ୍ୟନାଥ ରାଜ୍ୟ ମୁଖ୍ୟମନ୍ତ୍ରୀ ହେଲେ, ସେତେବେଳେ ସିଂଘଲ ଭାବିଥିଲେ ଯେ ଏଥର ତାଙ୍କୁ ନ୍ୟାୟ ମିଳିବ ବୋଲି। ପ୍ରଥମ ଥର ପାଇଁ ସେ ଗତ ଫେବ୍ରୁଆରି ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଜନତା ଦରବାରରେ ଭେଟି ତାଙ୍କ ଅଭିଯୋଗ ଜଣାଇବା ସହ ଏକ ଦରଖାସ୍ତ ଦେଇଥିଲେ। ସେତେବେଳେ, ଅଭିଯୋଗ ଶୁଣିବା ସହ ଖୁବ୍‌ଶୀଘ୍ର ତାଙ୍କ ଜମି ବିବାଦର ଖୁବ୍‌ଶୀଘ୍ର ସମାଧାନ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତେବେ, ଆଉଥରେ ଏହି ମାମଲା ନେଇ ଜନତା ଦରବାରରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବାକୁ ସେ ଗଲେ ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଗାଳି ଦେବା ସହ ଧକ୍କାମାରି ସେଠାରୁ ବିଦା କରିଦେଲେ।

ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କ ସହ ଏପରି ଆଚରଣ ପ୍ରଦର୍ଶନ କରିବା ପଛର କାରଣ ସଂପର୍କରେ ଶ୍ରୀ ସିଂଘଲ ସଦ୍ୟସମାପ୍ତ ରାଜ୍ୟସଭା ନିର୍ବାଚନ କାଳରେ ଅମନମଣି ଖୋଲାଖୋଲି ବିଜେପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ସମର୍ଥନ କରିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କୁ ଯେଉଁ ନିର୍ଦ୍ଦେଶ ଦେବେ ତାକୁ କାର୍ଯ୍ୟକାରୀ କରିବେ ବୋଲି ଘୋଷଣା କରିଥିଲେ। ବୋଧହୁଏ ଏବେ ସେଇ କାରଣରୁ ଏଇ ମାମଲାରେ ଅମନମଣିଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ମୋ’ ସହ ଏପରି ନୀଚ ଆଚରଣ ପ୍ରଦର୍ଶନ କଲେ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ସିଂଘଲ।

ସମ୍ବନ୍ଧିତ ଖବର