ବିବାହ ପାଇଁ ବିଳମ୍ବ ହେଉଥିବାରୁ ଭାବିପତ୍ନୀଙ୍କୁ ନେଇ ଫେରାର ହେଲା ଯୁବକ

ପାଟନା: ବିବାହରେ ବିଳମ୍ବ ହେତୁ ଭାବିପତ୍ନୀକୁ ନେଇ ଫେରାର ହେଲା ଯୁବକ। ବିହାରର ସାରଣ ଜିଲ୍ଲାର ପାନପୁରରେ ଘଟିଛି ଏଭଳି ଅଜବ ଘଟଣା। ବିବାହରେ ବିଳମ୍ବ ହେତୁ ଜଣେ ଯୁବକ ନିଜ ଭାବିପତ୍ନୀଙ୍କୁ ନେଇ ଘରୁ ଚାଳିଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂଚନା ମୁତାବକ, ଯୁବକଜଣକ ଦରିଆପୁର ପୁଲିସ ଷ୍ଟେସନ ଅଞ୍ଚଳର ହୋଇଥିବା ବେଳେ ଯୁବତୀଜଣକ ପାନପୁର ପୁଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା ଥିଲେ। ଦୁହିଁଙ୍କ ପରିବାର ସଦସ୍ୟ ସେମାନଙ୍କ ବିବାହ ପୂର୍ବରୁ ଚଳିତ ବର୍ଷ ମେ’ ମାସରେ ନିର୍ବନ୍ଧ କରାଇଥିଲେ। ହେଲେ ବିବାହ ଆସନ୍ତା ବର୍ଷ ମେ’ ମାସରେ କରିବାକୁ ସ୍ଥିର କରିଥିଲେ ଉଭୟଙ୍କ ପରିବାର। ବିବାହ ତାରିଖ ଠିକ ହେବା ପରେ ଦୁହେଁ ଫୋନରେ କଥା ହେବା ଆରମ୍ଭ କରିଥିଲେ। କିଛି ଦିନ କଥା ହେବା ପରେ ଦୁହେଁ ଘରୁ ଲୁଚି ପଳାଇଯିବାକୁ ଯୋଜନା କରିଥିଲେ। ନଭେମ୍ବର ୮ରେ ଦୁହେଁ ଘରୁ ଲୁଚି ପଳାଇଥିବା ବେଳେ ପରିବାର ଲୋକ ଖୋଜାଖୋଜି କରି ନପାଇବାରୁ ଶେଷରେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସକୁ ପତ୍ତା ମିଳୁନଥିବା ବେଳେ ଦୁହେଁ ଡିସେମ୍ବର ୨ରେ ଆସି ପାନପୁରରେ ପହଞ୍ଚିଥିଲେ। ଏଭଳି ଘରୁ ଲୁଚି ପଳାଇବାର କାରଣ ପଚରାଯିବାରୁ ଯୁବକଜଣକ କହିଥିଲେ, ବିବାହ ପାଇ ବିଳମ୍ବ ହେଉଥିବାରୁ ଆମେ ଏଭଳି କରିଥିଲୁ। ଏହା ଶୁଣିବା ପ‌ରେ ପରିବାର ଲୋକେ ତୁରନ୍ତ ଦୁହିଁଙ୍କ ବିବାହ କରିଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର