ଖାଦ୍ୟ ଡେଲିଭର କରିବାକୁ ଆସିଥିବା ବେଳେ ଗ୍ରାହକର କୁକୁରକୁ ନେଇ ଫେରାର ହେଲା ଜୋମାଟୋ ଡେଲିଭରୀ ବଏ

ପୁଣେ : ପୂର୍ବରୁ ଅନେକ ବିବାଦୀୟ କାରଣ ପାଇଁ ଜୋମାଟୋ ଫୁଡ୍‌ ଡେଲିଭରୀ ଆପ୍‌ ବିବାଦରେ ଛନ୍ଦି ହୋଇଛି । ଏ ନେଇ ଲୋକେ ଅଭିଯୋଗ ଆଣିଥିଲେ ମଧ୍ୟ ନିଜ ଡେଲିଭରୀ ବଏଙ୍କ ପାଇଁ ଅନେକ ଥର ଅପମାନର ଶିକାର ହେଉଛି ଜୋମାଟୋ । ଏବେ ପୁଣି ଥରେ ଡେଲିଭରୀ ବଏଙ୍କ ଅଜବ କାମ ପାଇଁ ଜୋମାଟୋ ବିବାଦରେ ଛନ୍ଦି ହୋଇଛି । ଖାଦ୍ୟ ଡେଲିଭର କରିବାକୁ ଆସିଥିବା ବେଳେ ଡେଲିଭରୀ ବଏ ଗ୍ରାହକ ଘରେ ଥିବା କୁକୁରକୁ ଚୋରି କରିନେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କୁକୁରର ମାଲିକାଣୀ ଏବେ ନିଜ କୁକୁରକୁ ଖୋଜିବାର ବିଫଳ ହୋଇ ସୋସିଆଲ ମିଡିଆରେ କମ୍ପାନୀକୁ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ, ସୋମବାର ପୁଣେର କର୍‌ବେ ରୋଡ୍‌ରେ ରହୁଥିବା ବନ୍ଦନା ଶାହା ଖାଇବା ଅର୍ଡର କରିଥିଲେ । ଅର୍ଡର ଡେଲିଭର ହେବାର କିଛି ସମୟ ପରେ ସେ ନିଜ ଘରେ ଥିବା ପୋଷ କୁକୁର ଦୋତ୍ତୁକୁ ପାଇ ନଥିଲେ । ଆଖ ପାଖରେ ଖୋଜିବା ପରେ ପାଖ ରେସ୍ତୋରାଁରେ ପହଞ୍ଚିଥିଲେ ବନ୍ଦନା । ସେଠାରେ କାମ କରୁଥିବା ଡେଲିଭରୀ ବଏଙ୍କ ହାତରେ ଦୋତ୍ତୁକୁ ଦେଖିଥିବା ନେଇ ରେସ୍ତୋରାଁର କର୍ମଚାରୀ କହିବା ପରେ ତାଙ୍କ ନାଁ ତୁଷାର ବୋଲି ଜଣା ପଡ଼ିଥିଲା । ଫୋନ ନମ୍ବର ଆଣି ତୁଷାରଙ୍କୁ ଫୋନ କରିବା ପରେ ସେ ଦୋତ୍ତୁକୁ ନେଇଥିବା ନେଇ ସ୍ୱିକାର କରିବା ସହ ଦୋତ୍ତୁକୁ ସେ ନିଜ ଗାଁକୁ ପଠାଇ ଦେଇଥିବା ନେଇ କହିଥିଲେ । ଅନ୍ୟ କିଛି ବାଟ ନ ପାଇ ବନ୍ଦନା ଏବେ ତୁଷାରଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିବା ସହ ଜୋମାଟୋ ଆପ୍‌ ହଟାଇ ଦେଇଥିବା ଜଣା ପଡ଼ିଛି । ଏହା ସହ ଟୁଇଟ୍‌ରରେ ସେ ଜୋମାଟୋକୁ ତୁଷାରଙ୍କ ବିରୋଧରେ ଅଭିଯୋଗ କରିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର