ବିହାର ବନ୍ୟା ପ୍ରପୀଡ଼ିତଙ୍କୁ ୫୧ଲକ୍ଷ ଟଙ୍କା ଦାନ କଲେ ଅମିତାଭ ବଚ୍ଚନ

ମୁମ୍ବାଇ : ଚଳିତ ବର୍ଷ ମୌସୁମୀ ବିହାରକୁ ବୁଡ଼ାଇ ଦେଇଛି । ଲଗାଣ ବର୍ଷା ପାଇଁ ବିହାରର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଅନେକ ଲୋକ ମୃତ୍ୟୁବରଣ କରି ସାରିଲେଣି । ବନ୍ୟା ପାଇଁ ସାଧାରଣ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ପୁଣି ଥରେ ଲୋକଙ୍କୁ ଥଇଥାନ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଲୋକେ ସହାୟତା ରାଶି ପଠାଉଥିବା ବେଳେ ଏବେ ବଲିଉଡ୍‌ ଅଭିନେତା ବିଗ୍‌ ବି ଅମିତାଭ ବଚ୍ଚନ ୫୧ଲକ୍ଷ ଟଙ୍କାର ସହାୟତା ରାଶି ଦେଇଥିବା ଜଣା ପଡ଼ିଛି ।

ବିଗ୍‌ ବିଙ୍କ ପ୍ରତିନିଧି ବିଜୟନାଥ ମିଶ୍ର ୫୧ଲକ୍ଷ ଟଙ୍କାର ଚେକ୍‌ ଓ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ପାଇଁ ବିଗ୍‌ ବି ଲେଖିଥିବା ଚିଠିକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି । ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ନିଜ ଟୁଇଟ୍‌ର ଆକାଉଣ୍ଟରେ ବିଜୟନାଥ ମିଶ୍ରଙ୍କ ସହ ଫଟୋ ସେୟାର କରି ଏହାର ସୂଚନା ଦେଇଛନ୍ତି । ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ଭାରତର ଅନେକ ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟାୟ ଦେଖାଯାଇଥିବା ବେଳେ ବିଗ୍‌ ବି ପ୍ରତି ଥର ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି ।

ସମ୍ବନ୍ଧିତ ଖବର