ଆସନ୍ତାକାଲି ୩ୟ ପର୍ଯ୍ୟାୟ ମତଦାନ; ଚଳିତ ନିର୍ବାଚନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ

ମୈଦାନରେ ରାହୁଲ, ଅମିତ ଶାହା, ମୁଲାୟମ, ବରୁଣ ଗାନ୍ଧି

ଭୁବନେଶ୍ୱର : ଆସନ୍ତା କାଲି ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ସମାପ୍ତ ହେବ । ଏହି ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଗତକାଲି ସଂଧ୍ୟାରେ ପ୍ରଚାର ଶେଷ ହୋଇଥିଲା । ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟରେ ଥିବା ମୋଟ ୧୧୬ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଏଗୁଡ଼ିକ ମଧ୍ୟରେ ରହିଛି ଓଡ଼ିଶାର ୬ଟି ଲୋକସଭା ଆସନ ଓ ୪୨ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଗୁଜୁରାଟର ସମସ୍ତ ୨୬ଟି ଲୋକସଭା ଆସନ, କେରଳର ସମସ୍ତ ୨୦ଟି ଲୋକସଭା ଆସନ, ଉତ୍ତରପ୍ରଦେଶର ୧୦ଟି, ଛତିଶଗଡ଼ର ୭ଟି ଆସନ, ମହାରାଷ୍ଟ୍ର ଓ କର୍ଣ୍ଣାଟକର ୧୪ ଟି ଲେଖାଏଁ ଆସନ, ବିହାର ଓ ପଶ୍ଚିମ ବଙ୍ଗର ୫ଟି ଲେଖାଏଁ ଆସନ, ଆସାମର ୪ଟି, ଗୋଆର ୨ଟି ଓ ତ୍ରିପୁରା, ଦାଦ୍ରା ଓ ନଗରହାବେଳୀ, ଜାମ୍ମୁ ଓ କାଶ୍ମୀରର ଗୋଟିଏ ଲେଖାଏଁ ଅନ୍ତର୍ଭୁକ୍ତ ।

ଏହି ପର୍ଯ୍ୟାୟ ନିର୍ବାଚନକୁ ଚଳିତ ନିର୍ବାଚନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ବୋଲି କୁହାଯାଉଛି । କାରଣ ଏହି ପର୍ଯ୍ୟାୟରେ ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେପିର ସଭାପତିଙ୍କ ଭାଗ୍ୟ ପରୀକ୍ଷା ହେବ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେରଳର େଓ୍ଵନାର୍ଡରେ ଛିଡାହୋଇଥିବା ବେଳେ ବିଜେପି ସଭାପତି ଅମିତ ଶାହା ଗୁଜୁରାଟର ଗାନ୍ଧିନଗରରୁ ଲଢୁଛନ୍ତି । ଅନ୍ୟପକ୍ଷରେ ଏହି ପର୍ଯ୍ୟାୟ ନିର୍ବାଚନରେ ବିଜେପିର ଗଡ଼ କୁହାଯାଉଥିବା ଗୁଜୁରାଟର ସମସ୍ତ ୨୬ଟି ଆସନରେ ନିର୍ବାଚନ ହେବ । ଗତ ନିର୍ବାଚନରେ ବିଜେପି ଏହି ସମସ୍ତ ସିଟରେ ଜିତିଥିଲା

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉତ୍ତରପ୍ରଦେଶର ୧୦ଟି ଆସନରେ ଏହି ନିର୍ବାଚନ ହେବ । ଏହି ଆସନଗୁଡ଼ିକ ମୁଖ୍ୟ ଯାଦବ ଅଂଚଳରେ ଅବସ୍ଥିତ । ଏଥର ସମାଜବାଦୀ ପାର୍ଟିର ମୁଖିଆ ମୁଲାୟମ ସିଂ ଯାଦବଙ୍କ ପରିବାରର କେତେକ ସଦସ୍ୟଙ୍କ ଭାଗ୍ୟପରୀକ୍ଷା ହେବ । ମୈନପୁରୀରେ ମୁଲାୟମ ଲଢୁଥିବାବେଳେ ଫିରୋଜାବାଦରେ ତାଙ୍କ ଭାଇ ଶିବପାଳ ଯାବଦ, ରାମପୁରରୁ ସମାଜବାଦୀ ପାର୍ଟିର ଆଜମ ଖାଁ ଓ ବିଜେପିର ଜୟାପ୍ରଦା ଲଢୁଛନ୍ତି । ସେହିପରି ପିଲିଭିଟରୁ ବିଜେପି ନେତା ବରୁଣ ଗାନ୍ଧି ଲଢୁଛନ୍ତି ।

ସମ୍ବନ୍ଧିତ ଖବର