କରୋନା ପ୍ରତିଷେଧକ ଭାବେ ଆଣ୍ଟି ମ୍ୟାଲେରିଆ ଡ୍ରଗ୍‌ ନେଉଥିବା ଡାକ୍ତରଙ୍କ ମୃତ୍ୟୁ

ଗୌହ୍ବାଟୀ: ଆଣ୍ଟି ମ୍ୟାଲେରିଆ  ଡ୍ରଗ୍(‌ମ୍ୟାଲେରିଆ ପାଇଁ ଖିଆଯାଉଥିବା ଔଷଧ) ଗ୍ରହଣ କରିବା ଦ୍ବାରା କିଛି ପରିମାଣରେ କରୋନା ଭାଇରସ୍‌ ସଂକ୍ରମଣକୁ  ରୋକାଯାଇପାରେ ବୋଲି କହିଥିବା ଆସାମର ଡାକ୍ତରଙ୍କର ସୋମବାର ମୃତ୍ୟୁ ଘଟିଛି। ତାଙ୍କର ହୃଦ୍‌ଘାତ ହେତୁ ମୃତ୍ୟୁ ଘଟିଥିବା ତାଙ୍କ ସହଯୋଗୀ କର୍ମଚାରୀ ପ୍ରକାଶ କରିଛନ୍ତି।

ଡାକ୍ତର ଜଣକ ହେଉଛନ୍ତି ଗୌହ୍ବାଟୀରେ ଥିବା ପ୍ରତୀକ୍ଷା ହସ୍ପିଟାଲ୍‌ର ସିନିୟର୍‌ ଆନେଥେସିଷ୍ଟ୍‌। ୪୪ ବର୍ଷିଅ ଏହି ଡାକ୍ତରଙ୍କ ନାମ ଉତ୍ପଲଜିତ୍ ବର୍ମନ।

ଉତ୍ପଲଜିତ୍ ସହରର ଅନ୍ୟ ଏକ ବେସରକାରୀ ହସ୍ପିଟାଲ୍‌ରେ ରବିବାରରୁ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ହୃଦ୍‌ଜନିତ ସମସ୍ୟା ହେତୁ ଜୀବନ ଯାଇଥିବା ଜାଣିବାକୁ ମିଳିଛି।

ଜାଣିବାକୁ ମିଳିଛି ଯେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଲାଗି ପ୍ରତିଷେଧକ ଭାବେ ହସ୍ପିଟାଲ୍‌ର ଅନେକ କର୍ମଚାରୀ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଗ୍ରହଣ କରୁଥିଲେ। ଡାକ୍ତର ବର୍ମନ ମଧ୍ୟ କରୋନା ପ୍ରତିଷେଧକ ଭାବେ ଏହି ଔଷଧ ଗ୍ରହଣ କରୁଥିବା ସୂଚନା ରହିଛି। ତେବେ, ଏହି ଔଷଧ ଗ୍ରହଣ କରିବା ହେତୁ ତାଙ୍କର ମୃତ୍ୟୁ ଘଟିଛି କି ନାହିଁ ତାହା ଡାକ୍ତରମାନେ ଏଯାବତ୍‌ ଠିକ୍‌ ଭାବେ ଜାଣିପାରୁନାହାନ୍ତି।

 

ସମ୍ବନ୍ଧିତ ଖବର