ବ୍ୟାଙ୍କ ଶାଖା ଓ ଏଟିଏମ ଗୁଡ଼ିକରେ ଯଥେଷ୍ଟ ନଗଦ ଟଙ୍କା ରଖିବାକୁ ରିଜର୍ଭ ବ୍ୟାଙ୍କକୁ କହିଲେ ରାଜ୍ୟ ସରକାର

ଭୁବନେଶ୍ୱର : କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟର ବ୍ୟାଙ୍କ ଶାଖା ଓ ଏଟିଏମଗୁଡ଼ିକରେ ଯେପରି ଅର୍ଥର ଅଭାବ ନରହେ ସେଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ଶାଖାକୁ ଅନୁରୋଧ କରାଯାଇଛି । କୌଣସି ବ୍ୟାଙ୍କ ଶାଖା ଓ ଏଟିଏମରେ ଯେପରି ନଗଦ ଅର୍ଥ ଅଭାବ ନରହେ ତାହା ଉପରେ ଦୃଷ୍ଟି ଦେବାକୁ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ରିଜର୍ଭ ବ୍ୟାଙ୍କକୁ ଏକ ପତ୍ର ଲେଖି ଅବଗତ କରାଯାଇଛି ।
ଏହି ପତ୍ରରେ କୁହାଯାଇଛି ଯେ ଓଡ଼ିଶାରେ କରୋନା ଭାଇରସ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଲୋକମାନଙ୍କୁ ମଧ୍ୟ ଘରେ ରହିବାକୁ କୁହାଯାଇଛି ଓ ବଡ଼ ସପିଂ ମଲ,ପାର୍କ ଆଦିକୁ ବନ୍ଦ କରାଯାଇଛି । ତେବେ ଖାଦ୍ୟ ପଦାର୍ଥ, ଔଷଧ ଓ ଜରୁରୀ ସାମଗ୍ରୀ ବିକ୍ରୟକାରୀ ଦୋକାନଗୁଡ଼ିକୁ ଖୋଲା ରଖାଯାଇଛି । ଏଥିପାଇଁ ଲୋକଙ୍କ ହାତରେ ଅର୍ଥ ରହିବା ଆବଶ୍ୟକ । ଆହୁରିମଧ୍ୟ ଆଗୁଆ ବୃଦ୍ଧାବସ୍ଥା ପେନସନ, ସହାୟତା ପ୍ରଦାନ ପାଇଁ ସରକାର ଘୋଷଣା କରିଛନ୍ତି । ଏସବୁ ଟ୍ରେଜେରୀରୁ ପ୍ରଦାନ କରାଯିବ । ଏଥିପାଇଁ ବ୍ୟାଙ୍କ ଗୁଡ଼ିକରେ ଯଥେଷ୍ଟ ନଗଦ ରହିବା ଜରୁରୀ ବୋଲି ଏଥିରେ କୁହାଯାଇଛି ।

ସମ୍ବନ୍ଧିତ ଖବର