ପାମୋଲିନ ତେଲ ଆମଦାନି ଉପରେ ଭାରତ ସରକାରଙ୍କ କଟକଣା, ବଡ଼ କ୍ଷତି ସହିବ ମାଲେସିଆ

ନୂଆଦିଲ୍ଲୀ : ଭାରତ ସରକାର ମାଲେସିଆରୁ ବିଶୋଧିତ ପାମ ଅଏଲ ବା ତାଳତେଲ ଆମଦାନୀ ଉପରେ କଟକଣା ଲାଗୁ କରିଛନ୍ତି । ଗତକାଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ଅଧିନସ୍ଥ ବେଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।
ମାଲେସିଆର ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ ବାରମ୍ବାର ଭାରତ ବିରୋଧରେ ବୟାନ ଦେଉଥିବାରୁ ଭାରତ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଗତ ବର୍ଷ ମହାଥୀର କଶ୍ମୀର ସଂପର୍କରେ ଓ ନିକଟରେ ନାଗରିକତା ଆଇନ ସଂପର୍କରେ ମନ୍ତବ୍ୟ ଦେଇଥିଲେ । ତାଙ୍କ ମନ୍ତବ୍ୟକୁ ଭାରତ ବିରୋଧ କରୁଛି ।


ତେବେ ଭାରତ ସରକାରଙ୍କ ଏହି ପଦକ୍ଷେପ ଫଳରେ ଭାରତର ରିଫାଇନାରୀଗୁଡ଼ିକ ଲାଭରେ ରହିବେ । କାରଣ ମାଲେସିଆ ସରକାର ନିଜର ଖାଇବା ତେଲ ରିଫାଇନାରୀଗୁଡ଼ିକୁ ସବସୀଡ଼ି ଦେଉଥିବାରୁ ଭାରତୀୟ କମ୍ପାନିମାନେ ପ୍ରତିଯୋଗିତା କରିପାରୁନାହାନ୍ତି । ଏହି ନିର୍ଦ୍ଦେଶ ଲାଗୁ ହେବା ପରେ ଭାରତୀୟ କମ୍ପାନିମାନେ କେବଳ ଅଶୋଧିତ ଖାଇବା ତେଲ ଆମଦାନୀ କରିପାରିବେ ।
ବୁଧବାରଦିନ ଏହି ନିଷ୍ପତ୍ତି ନେବା ପୂର୍ବରୁ ଭାରତ ସରକାର ସୋମବାରଦିନ ଖାଇବା ତେଲ ଆମଦାନୀ କରୁଥିବା ରିଫାଇନାରୀ ଗୁଡ଼ିକୁ ଡକାଇ ମାଲେସିଆ ବଦଳରେ ଇଣ୍ଡୋନେସିଆରୁ ତାଳତେଲ କିଣିବାକୁ କହିଥିଲେ । ସୂଚନାଯୋଗ୍ୟ ଯେ ପାମ ଅଏଲକୁ ଅଧିକ ବିଶୋଧନ କରି ପାମୋଲିନ ତେଲ ଭାବେ ରୋଷେଇରେ ବ୍ୟବହାର କରାଯାଏ ।
ଭାରତ ମାଲେସିଆର ବୃହତମ ଖାଇବା ତେଲ ଗ୍ରାହକ ହୋଇଥିବାରୁ ଭାରତୀୟ କମ୍ପାନିମାନେ ନ କିଣିରେ ମାଲେସିଆ ଗୁରୁତରଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି । କିନ୍ତୁ ଏହାର ଫାଇଦା ପଡୋଶୀ ଇଣ୍ଡୋନେସିଆ ନେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର