ଡକ୍ଟର ହର୍ଷବର୍ଦ୍ଧନଙ୍କ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଦାୟିତ୍ବ ନେଲେ ମନସୁଖ ମଣ୍ଡଭିୟ

ନୂଆଦିଲ୍ଲୀ: କରୋନାର ଲଢେଇ ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପାଇଛି ନୂଆ ମନ୍ତ୍ରୀ। ମନସୁଖ ମଣ୍ଡଭିୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ନୂଆଦିଲ୍ଲୀ ନିର୍ମାଣ ଭବନ ସ୍ୱାସ୍ଥ୍ୟମନ୍ତ୍ରାଳୟ କାର୍ଯ୍ୟାଳୟରେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ହର୍ଷବର୍ଦ୍ଧନଙ୍କୁ ହଟାଇ ମନସୁଖ ମଣ୍ଡଭିୟଙ୍କୁ ମୋଦୀ ନିଜ ଟିମରେ ସାମିଲ କରିଛନ୍ତି। ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ବିରୋଧୀଙ୍କ ସର୍ବାଧିକ ଟାର୍ଗେଟ ହୋଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

କରୋନା ପରିଚାଳନାରୁ ଆରମ୍ଭ କରି ମୃତ୍ୟୁ ତଥ୍ୟ ଲୁଚାଇବା ଓ ଟିକାକରଣରେ ଅବ୍ୟବସ୍ଥା ନେଇ ବାରମ୍ବାର ଡାକ୍ତର ହର୍ଷବର୍ଦ୍ଧନଙ୍କ ଉପରକୁ ଅଙ୍ଗୁଳି ଉଠିଛି। ଦେଶରେ ୧୮ରୁ ୪୪ ବର୍ଷର ନାଗରିକଙ୍କ ଟିକାକରଣ ଆରମ୍ଭ ହେବା ପରେ ହରଡଘଣାରେ ପଡିଯାଇଥିଲେ ମୋଦୀ ସରକାର। ଟିକା ଅଭାବ ନେଇ ଅଭିଯୋଗ ଭିତରେ ଖୋଦ୍ ପ୍ରଧାନମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ତେଣୁ ସ୍ୱାସ୍ଥ୍ୟ ବିଭାଗରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ହର୍ଷବର୍ଦ୍ଧନଙ୍କୁ ବଦଳାଇ ପ୍ରଧାନମନ୍ତ୍ରୀ ମୋଦୀ ମନସୁଖ ମଣ୍ଡଭିୟଙ୍କୁ ଦାୟିତ୍ୱ ଦେଇଥିବା ଚର୍ଚ୍ଚା ହେଉଛି। ମନସୁଖ ଗୁଜରାଟ କୃଷି ବିଶ୍ୱବିଦ୍ୟାଳୟରୁ ପଶୁ ଚିକିତ୍ସା ବିଜ୍ଞାନରେ ପାଠ ପଢ଼ିବା ସହ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି । ଏହା ପୂର୍ବରୁ ସେ ରାଜ୍ୟ ସଡ଼କ ପରିବହନ, ଜାହାଜ ମନ୍ତ୍ରାଳୟ, ସାର ଓ ରସାୟନିକ ବିଭାଗର ମନ୍ତ୍ରୀ ଥିଲେ। ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ମନ୍ତ୍ରୀ ଥିଲେ ମନସୁଖ।

ସେହିପରି ଦାୟିତ୍ୱ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି ଅନୁରାଗ ଠାକୁର । ପ୍ରକାଶ ଜାଭେଡକରଙ୍କୁ ଅବ୍ୟାହତି ଦେଇ ଅନୁରାଗଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ମୋଦୀ। ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା। ସେହିପରି ଜେଡିୟୁର ବରିଷ୍ଠ ନେତା ଆରସିପି ସିଂଙ୍କୁ ଇସ୍ପାତ ମନ୍ତ୍ରାଳୟ ମିଳିବା ପରେ ସେ ମଧ୍ୟ ଆଜି ଦାୟିତ୍ୱ ନେଇଛନ୍ତି। ଭାରତୀ ପ୍ରବୀଣ ପାୱାରଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ସେ ମନ୍ତ୍ରାଳୟରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ସହାୟତା କରିବେ।

ସମ୍ବନ୍ଧିତ ଖବର