ଓଡ଼ିଆ ଦର୍ଶକଙ୍କ ନିକଟକୁ ଫେରୁଛନ୍ତି ରଚନା ବାନାର୍ଜୀ, ଏହି ଧାରାବାହିକରେ ନଜର ଆସିବେ

ଭୁବନେଶ୍ବର : ଦୀର୍ଘବର୍ଷର ବ୍ୟବଧାନ ପରେ ଏବେ ପୁଣି ଥରେ ଓଡ଼ିଶାର ଦର୍ଶକମାନଙ୍କ ମନୋରଂଜନ କରିବାକୁ ଯାଉଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ। ବହୁ ଓଡ଼ିଆ ଚଳଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ରଚନା  ପ୍ରତ୍ୟେକ ଚରିତ୍ରକୁ ପରଦା ଉପରେ ଜୀବନ୍ତ କରି ତୋଳି ଧରିଛନ୍ତି। ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଏଲିଜାବେଥ୍ ରଚନା ବାନାର୍ଜୀଙ୍କୁ ଏବେ ପ୍ରଥମଥର ପାଇଁ  ଓଡ଼ିଶା ଟେଲିଭିଜନ୍ ପରଦାରେ ଦେଖିବାକୁ ମିଳିବ। ସୂଚନା ଅନୁସାରେ, ଏଥର ରଚନା କୌଣସି ସିନେମାରେ ନୁହେଁ, ବରଂ ପ୍ରଥମ ଥର ପାଇଁ ଏକ ଓଡ଼ିଆ ମେଗା ଧାରାବାହିକରେ ଦେଖିବାକୁ ମିଳିବ।

https://www.tellychakkar.com

‘ଜୀ ସାର୍ଥକ’ରେ ପ୍ରତି ସୋମବାରରୁ ଶନିବାର ସନ୍ଧ୍ୟା ୮ଟା ୩୦ରେ ପ୍ରସାରିତ ମେଗା ଧାରାବାହିକ ‘ସରଗମ୍’ରେ ଅଭିନୟ କରିବେ ରଚନା । ‘ସରଗମ୍’ ଏକ ସଂଗୀତଭିତ୍ତିକ ପ୍ରେମ କାହାଣୀ  ଆଧାରିତ ମେଗା ଧାରାବାହିକ । ଏହାରି ମାଧ୍ୟମରେ ରଚନା ଓଡ଼ିଆ ଧାରାବାହିକରେ ପ୍ରବେଶ କରିବାକୁ ଯାଉଛନ୍ତି, ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି । ୧୯୯୪ରୁ ୨୦୦୯ ମସିହା ଦୀର୍ଘ ୧୫ ବର୍ଷ କାଳ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକରକମ କବ୍ଜା କରି ରଖିଥିଲେ ରଚନା । ଅଭିନୟ ପ୍ରତିଭା ପାଇଁ ତାଙ୍କର ଏକ ସ୍ୱତନ୍ତ୍ର  ପ୍ରଶଂସକ ଗୋଷ୍ଠୀ ବି ରହିଛନ୍ତି । ତେଣୁ ରଚନାଙ୍କର ଏହି ଦ୍ୱିତୀୟ ଇନିଂସକୁ  ନେଇ ପ୍ରଶଂସକଙ୍କ ମହଲରେ ଏକ ଉତ୍ସୁକତା ଦେଖିବାକୁ ମିଳିଛି । ଏହାଛଡ଼ା ରଚନାଙ୍କୁ ନେଇ ସୁଟ୍ ହୋଇଥିବା ସରଗମର  ପ୍ରୋମୋ ବି ଏବେ ଦର୍ଶକମାନଙ୍କ ପାଖକୁ ଆସିଯାଇଛି । ଏଥିରେ ଦେଖିବାକୁ ମିଳିଛି ଯେ ସରଗମର ନାୟିକା ସାଧନାଙ୍କ ପାଖକୁ ଏକ ଫୋନ୍ କଲ୍ ଆସୁଛି । ସାଧନା ଫୋନ୍ ରିସିଭ୍ କରିବା ପରେ ଜଣାପଡ଼ୁଛି ଯେ, କୋଲକାତା ଦିଦି ନମ୍ବର ୱାନ୍ ସେଟରୁ  ଖୋଦ୍ ରଚନା ବାନାର୍ଜୀ ଏହି କଲ୍ କରିଛନ୍ତି । ସେ ତାଙ୍କ ସୋ’ରେ ସାଧନାଙ୍କୁ ଅତିଥି ରୂପେ ନିମନ୍ତ୍ରଣ କରୁଛନ୍ତି । ଏହା ଶୁଣି ସାଧନା ବହୁତ ଖୁସି ହୋଇଯାଉଛନ୍ତି । କିନ୍ତୁ ପଣ୍ଡିତ ଜୀ’ ଏଥିପାଇଁ ଅନୁମତି ଦେଉନାହାନ୍ତି । ଏହାପରେ ସାଧନା ରଚନାଙ୍କୁ କେମିତି ଭେଟ ହେବେ ସେ ନେଇ ଆଗକୁ ରହିଛି ସରଗମର ନିମନ୍ତ୍ରଣ ମହାସପ୍ତାହ ଡ୍ରାମା ।

ତେବେ ରଚନା କେବଳ ଅଭିନୟ କରିବେ ତା’ ନୁହେଁ ବରଂ ଜବରଦସ୍ତ ଡାଏଲଗ୍ ସହ ସ୍କ୍ରିନରେ ଗୀତ ମଧ୍ୟ ଗାଇବେ ବୋଲି ଚ୍ୟାନେଳ ପକ୍ଷରୁ ସୂଚନା ମିଳିଛି । ଏତେଦିନ ପରେ ପୁଣି ଓଡ଼ିଆ ଦର୍ଶକମାନଙ୍କ ପାଖକୁ ଫେରୁଥିବାରୁ ବହୁତ ଖୁସି ଥିବା କଥା କହିଛନ୍ତି ରଚନା । ସରଗମରେ  ସାଧନା ଭୂମିକାରେ ଅଭିନୟ କରୁଥିବା ଦାପିକା ତ୍ରିପାଠୀଙ୍କ ସହ ସୁଟ୍ କରିବା ପରେ ସେ କହିଛନ୍ତି ଯେ, ବର୍ତ୍ତମାନର ଯୁବପିଢିଙ୍କୁ ଦେଖିଲେ ନିଜର କିଛି ପୁରୁଣା ସ୍କୃତି ତାଜା ହୋଇଯାଏ । ଦୀପିକାଙ୍କ ଅଭିନୟ ଏବଂ ଅଫ୍ ସ୍କ୍ରିନ୍ ବ୍ୟବହାର ବହୁତ ମୁଗ୍ଧ କରିଛି ବୋଲି ରଚନା କହିଛନ୍ତି ।

ସମ୍ବନ୍ଧିତ ଖବର