କରୋନା ଆତଙ୍କ : ରବିବାର ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ଆଇଆଇଟି ଦିଲ୍ଲୀ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଭାରତ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଭିନ୍ନ ବଡ଼ ଧରଣର କ୍ରୀଡ଼ା ପ୍ରତିଯୋଗିତା, ସମାରୋହ, ଉତ୍ସବ ଆଦି ବାତିଲ କରାଯାଇଥିବାବେଳେ ପ୍ରେକ୍ଷାଳୟ,ସ୍କୁଲ କଲେଜ ଆଦିକୁ ବନ୍ଦ ରଖାଯାଇଛି । ଏପ୍ରିଲ ୧୫ ପର୍ଯ୍ୟନ୍ତ ପର୍ଯ୍ୟଟନ ଭିସାଗୁଡ଼ିକୁ ମଧ୍ୟ ରଦ୍ଦ କରାଯାଇଛି ।
ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଆସନ୍ତା ରବିବାରସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ଆଇଆଇଟି ଦିଲ୍ଲୀ ନିଜ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛି । ସେହିପରି ଆଇଆଇଟି କାନପୁରର ସବୁ ପରୀକ୍ଷା ଓ କ୍ଲାସକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି । ସେହିପରି ହୋଲି ଛୁଟିରେ ଘରକୁ ଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ନଫେରିବାକୁ କୁହାଯାଇଛି ।
ଭାରତ ସରକାରଙ୍କ ଏସବୁ ପଦକ୍ଷେପ ଓ ପରାମର୍ଶ ଜାରି ହେବା ପରେ ସୁପ୍ରିମ କୋର୍ଟ ମଧ୍ୟ କେତେକ ଜରୁରୀ ପଦକ୍ଷେପ ନେଇଛନ୍ତି । ସୁପ୍ରିମ କୋର୍ଟଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ କେବଳ ଜରୁରୀ ମାମଲାଗୁଡ଼ିକର ଶୁଣାଣି କରାଯିବ । ଏହାଛଡ଼ା କୋର୍ଟ ମଧ୍ୟକୁ କେବଳ ଆଇନଜୀବୀ, ତାଙ୍କ ସହାୟକ, ମାମଲା ସଂପର୍କିତ ବ୍ୟକ୍ତିମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।
କରୋନା ଭାଇରସ ସଂପର୍କରେ ଗତ କାଲି ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ବାସଭବନରେ ଏକ ଜରୁରୀ ବୈଠକ ଡକାଯାଇଥିଲା । ଏହି ବୈଠକରେ ସୁପ୍ରିମକୋର୍ଟଙ୍କ କାର୍ଯ୍ୟକଳାପକୁ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ସମ୍ବନ୍ଧିତ ଖବର