କିଡ୍‌ନିରେ ଷ୍ଟୋନ୍‌ କରାଉଥିବା ଖାଦ୍ୟ

ବୃକ୍କ ଭିତରେ ଜମି ରହୁଥିବା ଖନିଜ ଏବଂ ଜୈବିକ ପଦାର୍ଥର ଗୋଟାଳିକୁ କିଡ୍‌ନି ଷ୍ଟୋନ୍‌ ବା ପଥୁରିଆ ରୋଗ କହନ୍ତି। ଆଜିକାଲି ଏହା ସାଧାରଣ ସମସ୍ୟା ପାଲଟି ଗଲାଣି। କିଡ୍‌ନିରେ ପଥୁରି ସକାଶ ଅନେକ କାରଣ ରହିଛି ଯଥା:- ପାଣି କମ୍‌ ପିଇବା, ମାତ୍ରାଧିକ ମଦ୍ୟପାନ, ବଂଶଗତ, ମାତ୍ରାଧିକ ଓଜନ, ହଜମକ୍ରିୟା ସମସ୍ୟା ଏବଂ ଅନୁଚିତ ଖାଦ୍ୟ ଭକ୍ଷଣ। ପଥୁରିଆ ଲକ୍ଷଣ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଠାରେ ଭିନ୍ନ ଭିନ୍ନ ପ୍ରକାରରେ ଦେଖାଯାଏ। କିନ୍ତୁ, ସବୁବେଳେ ପରିସ୍ରା ଲାଗିବା, ପରିସ୍ରାରେ ରକ୍ତ ପଡ଼ିବା, ବାନ୍ତିଭାବ ଲାଗିବା, ଜ୍ୱର ହେବା ଓ କ୍ଳାନ୍ତ ଲାଗିବା ଭଳି ସାଧାରଣ ଲକ୍ଷଣ ସଭିଙ୍କ ଠାରେ ପରିଲକ୍ଷିତ ହୋଇଥାଏ।

ଲୋହିତ ମାଂସ: ହରିଣ ଗୋରୁଆଦି ମାଂସକୁ ରେଡ୍‌ମିଟ୍‌ ବା ଲୋହିତ ମାଂସ କୁହାଯାଏ। ଏଥିରେ ଅଧିକମାତ୍ରାରେ ୟୁରିକ୍‌ ଏସିଡ୍‌ ଥିବାରୁ ଏହା ପଥୁରିଆ ରୋଗ କରାଇଥାଏ।

ଅଙ୍ଗାରକାମ୍ଳ ମିଶ୍ରିତ ପାନୀୟ: ସୋଡ଼ା, କୋଲା ଏବଂ ଅନ୍ୟାନ୍ୟ ଏନର୍ଜି ଡ୍ରିଙ୍କ୍‌ ନିୟମିତ ପିଇଲେ ପଥୁରିଆ ରୋଗ ହେବାର ବିପଦ୍‌ ଥାଏ। କୋଲାରେ ଫସ୍‌ଫରିକ୍‌ ଏସିଡ୍‌ ଥିବାରୁ ତାହା କିଡ୍‌ନି ଷ୍ଟୋନ୍‌ ବୃଦ୍ଧିରେ ସହାୟକ ହେବା ସହ ଅନ୍ୟାନ୍ୟ ବୃକ୍କ ରୋଗ ସୃଷ୍ଟି କରିଥାଏ।

ଶୋଧିତ ଶ୍ୱେତସାର: ଧଳା ଚାଉଳ, ଚିନି, ମଇଦା ଆଦି ପରିଷ୍କୃତ ଶ୍ୱେତସାର ଇନ୍‌ସୁଲିନ୍‌ର ମାତ୍ରା ବଢ଼ାଇ ଦେଉଥିବାରୁ ମୂତ୍ରନଳୀ ସଂକ୍ରମଣ ହୋଇଥାଏ। ପରେ ଏହା ବୃକ୍କରେ ପଥୁରିଆ ରୋଗ କରାଇଥାଏ।

କ୍ୟାଫିନ୍‌: ବିପୁଳ ପରିମାଣ କ୍ୟାଫିନ୍‌ ଖାଇବା ଦ୍ୱାରା ପରିସ୍ରାରେ କାଲ୍‌ସିୟମ୍‌ କ୍ଷରଣ ହୋଇ କିଡ୍‌ନିରେ ପଥୁରିଆ ରୋଗ ପାଇଁ ପଥ ପରିଷ୍କାର ହୋଇଥାଏ। କ୍ୟାଫିନ୍‌ ଜଳଶୁଷ୍କତା ପାଇଁ ଦାୟୀ ଏବଂ ପଥୁରି ହେବାର ଅନ୍ୟତମ ମୁଖ୍ୟ କାରଣ।

କୃତ୍ରିମ ଶର୍କରା: ନିୟମିତ କୃତ୍ରିମ ଶର୍କରା ଖାଇବା ଯୋଗୁଁ ବୃକ୍କ ଅକାମି ହୋଇଯାଏ। ଫଳରେ ବୃକ୍କରେ ପଥୁରିଆ ରୋଗ ହୁଏ।
ମଦ: ମାତ୍ରାଧିକ ମଦ ପିଇବା ଦ୍ୱାରା ବୃକ୍କ ସହ ଯକୃତ୍‌ ମଧ୍ୟ ନଷ୍ଟ ହୋଇଯାଏ। ଏହା ଜଳଶୁଷ୍କତା କରାଇ ବୃକ୍କ୍‌ର ସ୍ୱାଭାବିକ କାର୍ଯ୍ୟଧାରାରେ ବ୍ୟାଘାତ ସୃଷ୍ଟି କରୁଥିବାରୁ ପଥୁରିଆ ରୋଗ ହେବାର ଆଶଙ୍କା ଥାଏ।

ପରିଷ୍କୃତ ଲୁଣ: ଲୁଣରେ ସୋଡିୟମ୍‌ର ମାତ୍ରା ଅଧିକ ଥିବାରୁ ଏହା ରକ୍ତଚାପ, ହୃଦ୍‌ରୋଗ ଏବଂ ପଥୁରିଆ ରୋଗର ଆଶଙ୍କାକୁ ବଢ଼ାଇଥାଏ। ତେଣୁ କିଡ୍‌ନି ଷ୍ଟୋନ୍‌ ନ ହେବାକୁ ଚାହୁଁଥିଲେ ଯଥା ସମ୍ଭବ କମ୍‌ ଲୁଣ ଖାଆନ୍ତୁ।

ସମ୍ବନ୍ଧିତ ଖବର