ପଖାଳ ସହିତ କ’ଣ ଖାଇଲେ ସ୍ବାଦିଷ୍ଠ ଲାଗେ ଖାଦ୍ୟ

ଭୁବନେଶ୍ବର: ଆଜି ହେଉଛି ‘ବିଶ୍ବ ପଖାଳ ଦିବସ’। ପୂର୍ବ ଭାରତର ଏବଂ ବିଶେଷ ଭାବେ ଓଡ଼ିଶାର ଏକ ଲୋକପ୍ରିୟ ଖାଦ୍ୟ ହେଉଛି ପଖାଳ। ଏହାକୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ଗତ ୨୦୧୫ ମସିହାରୁ ‘ବିଶ୍ବ ପଖାଳ ଦିବସ’ ଭାବେ ପାଳନ କରାଯାଉଛି।
ଏବେ ଓଡ଼ିଶାର ଘରେ ଘରେ ପଖାଳ ଏକ ପ୍ରମୁଖ ଖାଦ୍ୟର ମାନ୍ୟତା ପାଇଛି। କେହି ଉଷୁନା ଭାତରେ ତ ପୁଣି କେହି ଅରୁଆ ଭାତରେ ପଖାଳ ପ୍ରସ୍ତୁତ କରିଥାନ୍ତି। ପୁଣି କେତେଜଣ ବାସି ପଖାଳ ଖାଇବାକୁ ଭଲ ପାଆନ୍ତି ତ ପୁଣି ସଜ ପଖାଳ ବି କେତେକଙ୍କର ପସନ୍ଦ। ପଖାଳରେ ଦହି ପକାଇ ଖାଇବାକୁ ବି ପସନ୍ଦ କରିଥାନ୍ତି ଲୋକେ। ଏହାଛଡ଼ା ପଖାଳ ସହିତ କିଛି ଭଜା ଥିଲେ ବେଶ୍ ଜମିଯାଏ ଖାଇବାଟା। ଏଇ ଯେମିତି ଶାଗ ଭଜା, ମାଛ ଭଜା,ଶୁଖୁଆ ଭଜା, ସଜନା ଛୁଇଁ ଭଜା, ଆଳୁ ଭଜା, ଆଳୁ ବାଇଗଣ ଭଜା ଆଦି। ତାଛଡ଼ା ବଡ଼ି ଚୁରା, ଛଣା ବଡ଼ି, ବାଇଗଣ ପୋଡ଼ା, ଭେଣ୍ଡି ପୋଡ଼ା, ଜହ୍ନି ପୋଡ଼ା ବା ସିଝା, ଟମାଟୋ ପୋଡ଼ା, ଶୁଖୁଆ ପୋଡ଼ା, କାକୁଡ଼ି, ପାମ୍ପଡ଼, କଞ୍ଚା ଲଙ୍କା, କଟା ପିଆଜ, ଓ ଆଚାର ଆଦି ବି ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି। ଏହାଛଡ଼ା ଆଳୁ ଭର୍ତ୍ତା ଥିଲେ ବି ପଖାଳ ଖାଇବାକୁ ଭଲ ଲାଗିଥାଏ। ଏପରିକି ଗରମ ପିଆଜି ବା ପକୁଡ଼ି ବି ଲଗାଇ ଖାଇଲେ ଭଲ ଲାଗେ।
ପଖାଳ ଖାଇଲେ ଶରୀର ଭଲ ରହିଥାଏ। ଏହାର କିଛି ଅପକାରିତା ନଥିବା କାରଣରୁ ଖଟିଖିଆଠାରୁ ଆରମ୍ଭ କରି ଧନାଢ଼୍ୟ ଲୋକଙ୍କ ଯାଏ ସମସ୍ତେ ଆଜିକାଲି ପଖାଳ ଖାଇବାକୁ ସୁଖ ମଣନ୍ତି।

ସମ୍ବନ୍ଧିତ ଖବର