ଭାଏଗ୍ରାକୁ ୨୦ ପୂରିଲା; ଜାଣନ୍ତୁ ଯୌନ କ୍ଷମତା ବଢ଼ାଉଥିବା ଏହି ନୀଳ ବଟିକା ପଛର କହାଣୀ…

ନ୍ୟୁୟର୍କ: ‘ଭାଏଗ୍ରା’। କେବଳ ନାମ ହିଁ ଯଥେଷ୍ଟ। କାରଣ, ବିଶ୍ୱରେ ଏମିତି କୌଣସି ସ୍ଥାନ ନଥିବ ଯେଉଁଠାରେ କି ଏହାର ପ୍ରଚଳନ ନଥିବ ବା ଏହା ବାବଦରେ ସେଠାକାର ଲୋକ ଅଜ୍ଞ ଥିବେ। ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ମାତ୍ରାରେ ବିକ୍ରୟ ହେଉଥିବା ଏହି ନୀଳ ରଙ୍ଗର ବଟିକାଟିର ନାମ ହିଁ ହେଉଛି ଭାଏଗ୍ରା।

ଆଜି ଭାଏଗ୍ରାକୁ ପୂରଣ ହୋଇଛି ୨୦ ବର୍ଷ। ୨୦ ବର୍ଷ ତଳେ ଠିକ୍‌ ଆଜିର ଦିନରେ ବଜାର ପ୍ରବେଶ କରିଥିଲା ଭାଏଗ୍ରା। ଆମେରିକୀୟ ଔଷଧ ପ୍ରସ୍ତୁତକାରୀ କମ୍ପାନି ଫାଇଜର୍‌ ହେଉଛି ଭାଏଗ୍ରାର ଆବିଷ୍କାରକ। ବିଂଶ ଶତାବ୍ଦୀର ନବେ ଦଶକରେ ଅର୍ଥାତ ୧୯୯୦ରେ ଫାଇଜର ‘ଭାଏଗ୍ରା’କୁ ଆବିଷ୍କୃତ କରିବା ସହ ଏହାର ପ୍ରସ୍ତୁତି ଆରମ୍ଭ କରିଥିଲା। ତେବେ, ଫାଇଜର କମ୍ପାନି ଭାଏଗ୍ରାର ଆବିଷ୍କାର କରିଥିଲା ଏକ ଜୀବନ ରକ୍ଷାକାରୀ ଔଷଧ ଭାବେ; କିନ୍ତୁ ଏଥିରେ ଫେଲ୍‌ମାରି ଭାଏଗ୍ରା ପାଲଟିଗଲା ଏକ ଯୌନ ଉଦ୍ରେକକାରୀ ଔଷଧ। ଭାଏଗ୍ରା ପରି ଏହା ପଛର କାହାଣୀ ମଧ୍ୟ ବେଶ୍‌ ରୋଚକ ଓ ରୋମାଞ୍ଚକର।

୧୯୯୦ରେ ଫାଇଜର କମ୍ପାନିର ଏକ ଗବେଷକ ଦଳ ରୋଗୀମାନଙ୍କୁ ହୃଦରୋଗ ଜନିତ ହୃଦଯନ୍ତ୍ରଣାରୁ ଉପଶମ ଦେବା ଲକ୍ଷ୍ୟରେ ଏକ ନୂତନ ଔଷଧ ପ୍ରସ୍ତୁତିରେ ଲାଗିଥିଲେ। ସେମାନେ ‘ସିଲ୍‌ଡେନାଫିଲ୍‌’ ନାମକ ରସାୟନିକ ଦ୍ରବ୍ୟ ବ୍ୟବହାର କରି ଏକ ନୂତନ ଔଷଧ ପ୍ରସ୍ତୁତ କଲେ। ତେବେ, ଯେତେବେଳେ ଏହି ନୂତନ ଔଷଧର ପରୀକ୍ଷଣ ରୋଗୀମାନଙ୍କ ଉପରେ କରାଗଲା, ସେତେବେଳେ ଦେଖାଗଲା ଯେ ଯେଉଁ ମୂଳ ଉଦ୍ଦେଶ୍ୟ ନେଇ ଏହାକୁ ପ୍ରସ୍ତୁତ କରାଯାଇଥିଲା, ସେଥିରେ ଏହା ବିଫଳ ହୋଇଛି। କିନ୍ତୁ, ଏହି ଔଷଧର ପରୀକ୍ଷଣ କରାଯାଇଥିବା ରୋଗୀମାନଙ୍କ କ୍ଷେତ୍ରରେ ଯେଉଁ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟିହେଲା, ତାହା ଫାଇଜର୍‌ କମ୍ପାନି ପାଇଁ ଥିଲା ଅତ୍ୟନ୍ତ ଉତ୍ସାହପ୍ରଦ। କାରଣ, ନୂତନ ଭାବେ ଆବିଷ୍କୃତ ଏହି ନୀଳ ରଙ୍ଗର ବଟିକାଟି ହୃଦଯନ୍ତ୍ରଣା କମ କରିବା ପରିବର୍ତ୍ତେ ସେମାନଙ୍କ ଯୌନ ଉଦ୍ଦୀପନାକୁ ବହୁ ଗୁଣରେ ବଢ଼ାଇ ଦେଇଥିବା ଏହାକୁ ବ୍ୟବହାର କରିଥିବା ରୋଗୀମାନେ ଅଭିଯୋଗ କରିଥିଲେ।

ତେବେ, ନିଜ ଆବିଷ୍କାର ଫେଲ୍‌ ମାରିଥିବା ଜାଣି ଦୁଃଖିତ ହୋଇ ନଥିଲା ଫାଇଜର କମ୍ପାନି। କାରଣ, ଫାଇଜର ପାଖରେ ତଥ୍ୟ ଥିଲା, ୪୦ ବର୍ଷରୁ ଉର୍ଦ୍ଧ୍ୱ ଏକ ତୃତୀୟାଂଶରୁ ଅଧିକ ଆକେରିକୀୟ ପୁରୁଷଙ୍କ ନିକଟରେ ଯୌନ ଉଦ୍ଦୀପନା ଶକ୍ତି ମାତ୍ରାଧିକ ଭାବେ କମ୍‌। ତେଣୁ, ସେମାନଙ୍କ ଉଦ୍ଦେଶ୍ୟରେ ଏହି ନୂତନ ଔଷଧକୁ ପରିବର୍ତ୍ତିତ କରି ପ୍ରସ୍ତୁତ କରିବାକୁ ଉଦ୍ଦ୍ୟମ ଆରମ୍ଭ କଲା ଫାଇଜର।

ଶେଷରେ ୧୯୯୮ ମାର୍ଚ୍ଚ ୨୭ ତାରିଖ ଦିନ ଆମେରିକାର ଫୁଡ୍‌ ଏଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ୍‌ ଏଜେନ୍ସି (ଏଫ୍‌ଡିଏ) ନୀଳ ରଙ୍ଗର ଏହି ବଟିକା ସଦୃଶ ନୂତନ ଔଷଧକୁ ‘ଭାଏଗ୍ରା’ ନାମ ଦେବା ସହ ଏହାର ବିକ୍ରୟ ପାଇଁ ଫାଇଜର କମ୍ପାନିକୁ ଅନୁମତି ପ୍ରଦାନ କରିଥିଲା। ଏହା ପରେ ପରେ ଅପ୍ରେଲ ମାସରେ ଯେତେବେଳେ ଭାଏଗ୍ରାର ବଜାର ପ୍ରବେଶ ଘଟିଲା, ସେତେବେଳେ କେବଳ ମାତ୍ର ଆମେରିକା କାହିଁକି ସମଗ୍ର ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଆମେରିକୀୟ ଔଷଧ ବଜାରରେ ଭାଏଗ୍ରାର ପ୍ରବେଶ ପରେ ମାତ୍ର ଦୁଇ ସପ୍ତାହ ଭିତରେ ୧୫୦,୦୦୦ ଜଣ ରୋଗୀଙ୍କୁ ଭାଏଗ୍ରା ସେବନ ପାଇଁ ଆମେରିକୀୟ ଡାକ୍ତରମାନେ ଲେଖିଥିଲେ ପ୍ରେସ୍‌କ୍ରିପ୍‌ସନ୍‌। ଖାଲି ଏତିକି ନୁହେଁ; ଇସ୍ରାଏଲ୍‌, ପୋଲାଣ୍ଡ, ସାଉଦି ଆରବ ପ୍ରଭୃତି ଦେଶରେ ପାଞ୍ଚଗୁଣା ଅଧିକ ଦରରେ କଳାବଜାରରେ ବିକ୍ରିହେଲା ଭାଏଗ୍ରା; ଯେତେବେଳେ କି ଗୋଟିଏ ଭାଏଗ୍ରା ବଟିକାର ପ୍ରକୃତ ଦାମ୍‌ ଥିଲା ୧୦ ଡଲାର ବା ୮ ୟୁରୋ। ୧୯୯୮ରେ ଯେତେବେଳେ ଭାଏଗ୍ରା ୟୁରୋପରେ ବଜାର ପ୍ରବେଶ କଲା ସେତେବେଳେ ଏହା ଫାଇଜର କମ୍ପାନି ପାଇଁ ଏକ ଦୁଧିଆଳୀ ଗାଈରେ ପରିଣତ ହୋଇଗଲା। ଏବେ କେବଳ ଭାଏଗ୍ରାରୁ ଫାଇଜର କମ୍ପାନି ବାର୍ଷିକ ଆୟ କରୁଛି ୧୦୦ ମିଲିୟନ ଡଲାର।

ସମ୍ବନ୍ଧିତ ଖବର