ଏଥର ବି ଶୁଭିବନି ହବିଷ୍ୟାଳିଙ୍କ ହୁଳହୁଳି

ପୁରୁଣା ଭୁବନେଶ୍ୱର: ଏଥର ବି ଏକାମ୍ର କ୍ଷେତ୍ରରେ ହେବ ନାହିଁ ହବିଷ୍ୟାଳିଙ୍କ ଭିଡ଼। ଧର୍ମଶାଳାରେ ଶୁଭିବନି ହବିଷ୍ୟାଳିମାନଙ୍କ ହୁଳହୁଳି। ଶୁଭିବନି ହବିଷ୍ୟାଳିଙ୍କ ସମ୍ମିଳିତ କଣ୍ଠରୁ ରାଈଦା ମୋଦର ଭଜନ। ରାଜଧାନୀରେ କରୋନା ସଂକ୍ରମଣ କମିନଥିବାରୁ ଏଭଳି ଆଶଙ୍କା ଦେଖାଯାଇଛି। ତେଣୁ ଗତବର୍ଷ ଭଳି ଏଥର ଧର୍ମଶାଳା ପରିସର ଖାଁ ଖାଁ ଦେଖାଯିବ ବୋଲି ପୂର୍ବାନୁମାନ କରାଯାଉଛି। ଅବଶ୍ୟ ଧର୍ମଶାଳା କର୍ତ୍ତୃପକ୍ଷ ଦୁଇ ଡୋଜ୍‌ ଟିକା ନେଇଥିବା ହବିଷ୍ୟାଳିମାନଙ୍କୁ ଧର୍ମଶାଳାରେ ରହିବା ପାଇଁ ଅନୁମତି ଦେଇପାରନ୍ତି, କିନ୍ତୁ ବିଏମ୍‌ସି ଏହି ପ୍ରସ୍ତାବକୁ କେତେଦୂର ଗ୍ରହଣ କରିବ, ତାହାକୁ ନେଇ କୌଣସି ସୂଚନା ମିଳିପାରିନାହିଁ।

ବୁଧବାର କୁମାର ପୂର୍ଣ୍ଣମୀ। ଗୁରୁବାରରୁ ଆରମ୍ଭ ହେଉଛି ମହା କାର୍ତ୍ତିକ ମାସ। ତେଣୁ ବିଧି ଅନୁସାରେ କୁମାର ପୂର୍ଣ୍ଣମୀ ରାତିରୁ ହବିଷ୍ୟାଳିମାନେ ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରକୁ ଆସିଥାଆନ୍ତି। ଧର୍ମଶାଳାରେ ଅବସ୍ଥାନ କରି ଭୋର୍‌ରୁ ଉଠି ମହାକାର୍ତ୍ତିକ ବ୍ରତ ପାଳନ କରନ୍ତି। ହୁଳହୁଳି ଶବ୍ଦରେ ଧର୍ମଶାଳା ପରିସର ପ୍ରକମ୍ପିତ ହୁଏ। ତୁଳସୀ ଚଉରା ମୂଳେ ମୁରୁଜରେ ରାଈଦା ମୋଦରଙ୍କ ଚିତ୍ର ଆଙ୍କି ପୂଜା ଆରମ୍ଭ କରନ୍ତି। ଏଥିସହ ଶ୍ରୀଲିଙ୍ଗରାଜ ମନ୍ଦିର ଓ ବାସୁଦେବ ମନ୍ଦିରକୁ ଯାଇ ଦର୍ଶନ କରନ୍ତି। ମାତ୍ର ଗତବର୍ଷଠାରୁ କରୋନା କଟକଣା ହବିଷ୍ୟାଳିମାନଙ୍କୁ ଘରେ ରହି ପୂଜା କରିବାକୁ ବାଧ୍ୟ କରିଛି। ଭୁବନେଶ୍ବରରେ ସଂକ୍ରମଣ କମି ନାହିଁ। ବହୁ ପଜିଟିଭ୍‌ ଘରେ ରହି ଚିକିତ୍ସିତ ହେଉଛନ୍ତି। ତେଣୁ ମନ୍ଦିରରେ ଭିଡ଼ ନକରିବା ପାଇଁ କଟକଣା ଲାଗୁ ହେବା ସମ୍ଭାବନା ରହିଛି। ସେହିଭଳି ଧର୍ମଶାଳାରେ ମଧ୍ୟ ହବିଷ୍ୟାଳିମାନଙ୍କୁ ଏକାଠି ରହିବାକୁ ବିଏମ୍‌ସି ଅନୁମତି ଦେବ ନାହିଁ ବୋଲି ଅନୁମାନ କରାଯାଉଛି। ତେବେ ଦୁଇଟି ଡୋଜ୍‌ ଟିକା ନେଇଥିବା ଲୋକଙ୍କୁ ରହିବାକୁ ଦିଆଯିବ ବୋଲି ଧର୍ମଶାଳା କର୍ତ୍ତୃପକ୍ଷ କହିଛନ୍ତି। କିନ୍ତୁ ବିଏମ୍‌ସି ଅନୁମତିକୁ ଅପେକ୍ଷା କରିବାକୁ ପଡ଼ିବ‌ ବୋଲି କୁହାଯାଇଛି। ହବିଷ୍ୟାଳିମାନଙ୍କ କହିବା କଥା କରୋନା ପାଇଁ ଘରୁ ବାହାରକୁ ଯିବା ପାଇଁ ପିଲାମାନେ ବି ରାଜି ହେଉନାହାନ୍ତି। ତେଣୁ ଏବର୍ଷ ବି ଲିଙ୍ଗରାଜଙ୍କ ଦର୍ଶନ ଓ ଅବଢ଼ା ସେବନରୁ ବଞ୍ଚିତ ହେବାକୁ ପଡ଼ିବ। ଏନେଇ ଧର୍ମଶାଳା ମାଲିକ ରଞ୍ଜନ ବଡ଼ୁ କୁହନ୍ତି ବର୍ତ୍ତମାନ ସୁଦ୍ଧା ହବିଷ୍ୟାଳିମାନଙ୍କ ପକ୍ଷରୁ କେହି ଯୋଗାଯୋଗ କରିନାହାନ୍ତି।

ସମ୍ବନ୍ଧିତ ଖବର