ଅଭିଯୁକ୍ତକୁ ଗିରଫ ଦାବିରେ ଓକିଲଙ୍କ କାର୍ଯ୍ୟବନ୍ଦ

ଭୁବନେଶ୍ୱର: ଦୁଇଜଣ ଓକିଲଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଜି ଭୁବନେଶ୍ବର ଓକିଲ ସଂଘ ପ୍ରତିବାଦ କରିଛି। ଆଜି କୌଣସି ଓକିଲ କାମରେ ଯୋଗ ଦେଇନାହାନ୍ତି। ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟାରେ ସଂଘର ସାଧାରଣ ପରିଷଦ ବୈଠକ ବସିବାକୁ ଯାଉଛି। ଏଥିରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ ବୋଲି ସଂଘ ସମ୍ପାଦକ ବିଶ୍ବରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ସୂଚନା ମୁତାବକ, ସଂଘର ଦୁଇଜଣ ଓକିଲ ମହମ୍ମଦ ଏ. ଆଲାମ୍‌ ଓ ଉମାକାନ୍ତ ତାଣ୍ଡିଙ୍କୁ ଗତକାଲି ଆକ୍ରମଣ ହୋଇଥିଲା। ଲକ୍ଷ୍ମୀସାଗର ଅଞ୍ଚଳରେ ଦୁର୍ବୃତ୍ତମାନେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ତେବେ ସେମାନଙ୍କୁ ଆଜି ସକାଳ ସୁଦ୍ଧା ଲକ୍ଷ୍ମୀସାଗର ଥାନା ପୁଲିସ ନ ଧରିଲେ ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା। ଧରା ନପଡ଼ିବାରୁ ଓକିଲ ସଂଘ ପ୍ରତିବାଦ ସ୍ବରୂପ କାମ ବନ୍ଦ ରହିଥିଲା। ଆସନ୍ତାକାଲି ବୈଠକ ଓ ଆଜି ହୋଇଥିବା ପ୍ରତିବାଦ ସମୟରେ କୌଣସି ପ୍ରକାରର ଆଡ୍‌ଭର୍ସ ଅର୍ଡର ପାସ୍‌ ନ କରିବା ଓ ଅନ୍ୟ ଜଜ୍‌ମାନଙ୍କୁ ଅନୁରୂପ ପରାମର୍ଶ ଦେବା ପାଇଁ ଜିଲ୍ଲା ଓ ଦୌରାଜଜ୍‌ଙ୍କୁ ସଂଘ ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର