‘ଓଡ଼ିଆ ଭାଷା ପାଇଁ ଅବଦାନ ବୈଷ୍ଣବ ବାବୁଙ୍କୁ ଅମର ରଖିବ’

ଭୁବନେଶ୍ୱର: ଓଡ଼ିଆ ଭାଷା ସୁରକ୍ଷା ପାଇଁ ମନେ ରହିବେ ବୈଷ୍ଣବ ପରିଡ଼ା। ଭାଷାର ସୁରକ୍ଷା ପାଇଁ ସେ ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲେ, ସେ ଲକ୍ଷ୍ୟ ପୂରଣ ହେଲେ ଯାଇ ତାହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ। ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ବୈଷ୍ଣବ ପରିଡ଼ା ସ୍ମୃତି କମିଟି ପକ୍ଷରୁ ଆୟୋଜିତ ସ୍ମୃତିସଭାରେ ସେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଉତ୍କଳ ଭାରତ ରାଜ୍ୟ ସଭାପତି ଐର ଖାରବେଳ ସ୍ବାଇଁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ବିଧାୟକ ଡା. ଦାମୋଦର ରାଉତ, ବିଜେଡି ରାଜ୍ୟ କୋଷାଧ୍ୟକ୍ଷ ସୁବାସ ସିଂହ, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ସିପିଏମ୍‌ର ସମ୍ପାଦକ ଜନାର୍ଦ୍ଦନ ପତି, ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡି, ସିପିଆଇ(ଏମ୍‌ଏଲ୍‌) ନେତା ରାଧାକାନ୍ତ ସେଠୀ, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ଯାଦବ ନେତା ଅମିୟ ପାଣ୍ଡବ, ଅମିତାଭ ଖିଲାର, ପୂର୍ବତନ ଏମ୍‌ପି ଶିବାଜୀ ପଟ୍ଟନାୟକ, ରାଜ୍ୟ ବିଜେପି ଗଣମାଧ୍ୟମ ମୁଖ୍ୟ ସଜ୍ଜନ ଶର୍ମା, ସୁବାସ ପଟ୍ଟନାୟକ, ବୈଷ୍ଣବ ପରିଡ଼ାଙ୍କ ପୁଅ ସୌମିତ ପରିଡ଼ା ଓ ଝିଅ ଲୁନିତା ବାରିକ, ବରିଷ୍ଠ ସାମ୍ବାଦିକ ରବି ଦାସ ଓ ପ୍ରସନ୍ନ ମହାନ୍ତି, ଫରୱାର୍ଡ ବ୍ଲକର ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ବୈଷ୍ଣବଙ୍କ ସ୍ମୃତି ଚାରଣ କରିଥିଲେ। କମିଟି ଆସନ୍ତା ଫେବ୍ରୁଆରି୧୫ ତାରିଖରେ ତାଙ୍କର ୭୮ତମ ଜୟନ୍ତୀ ପାଳନ କରିବାକୁ ଯାଉଛି। ତା’ ପୂର୍ବରୁ ତାଙ୍କ ନାମରେ ଏକ ପାର୍କକୁ ନାମିତ କରିବା ସହ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ କମିଟି ସଂଯୋଜକ ପଦ୍ମାକର ଗୁରୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଶେଷରେ ମହେଶ୍ବର ଦାସ ଧନ୍ୟବାଦ ଅପର୍ଣ କରିଥିଲେ।

ସମ୍ବନ୍ଧିତ ଖବର