ଭଲ ପାଇବାରେ ଜଗତ ଜିତିଥିଲେ ଗାନ୍ଧୀ କାର୍ଯ୍ୟାଞ୍ଜଳି

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ଅବସରରେ କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ ‘କାର୍ଯ୍ୟାଞ୍ଜଳି’ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ କହିଛନ୍ତି, ବିଭିନ୍ନତା ମଧ୍ୟରେ ଏକତାକୁ ନେଇ ଭାରତ ବିଶ୍ବବିଦିତ। ମହାତ୍ମା ଗାନ୍ଧୀଙ୍କର ଅସ୍ପୃଶ୍ୟତା ନିବାରଣର ବାର୍ତ୍ତା ଏହି ବିଷୟବସ୍ତୁରୁ ଉଦ୍ଧୃତ। ବିନା ଅସ୍ତ୍ରରେ ସେ ଏତେବଡ଼ ଭାରତବର୍ଷକୁ ସ୍ବାଧୀନ କରିଦେଲେ। ତାଙ୍କ ହୃଦୟ ଭିତରେ ଗୀତା ଥିଲା। ତାଙ୍କ ହସରେ କୃଷ୍ଣ ଓ ରାମଙ୍କର ହସ ଥିଲା। ରାଗ, କିମ୍ବା ଭେଦଭାବ ନ ଥିଲା। ଭଲ ପାଇବା‌େର ସେ ଜଗତ ଜିତିଥିଲେ। ସେହି ଭଲପାଇବାର ଭାବ ଜାଗ୍ରତ କରିପାରିଲେ ମହାତ୍ମାଗାନ୍ଧୀଙ୍କର ଏହି ୧୫୦ ତମ ଜୟନ୍ତୀ ପାଳନର ଯଥାର୍ଥତା ପ୍ରତିପାଦିତ ବୋଲି ସେ କହିଛନ୍ତି। ବରିଷ୍ଠ ସାହିତ୍ୟିକ ସାତକଡ଼ି ହୋତା, ଅନୁଗୁଳ ଜିଲ୍ଲାପାଳ ଅନିଲ ସାମଲ, ପୂର୍ବତନ ଆୟକର ଆୟୁକ୍ତ ଏନ୍‌ଏନ୍‌ ମିଶ୍ର, ଅଜୟ ସିଂହଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଗାନ୍ଧୀତତ୍ତ୍ବକୁ ନେଇ ଏକ ପ୍ରାମାଣିକ ଚିତ୍ର ପ୍ରଦର୍ଶିତ ହୋଇଥିଲା। ସମାଜ‌େସବା ପାଇଁ ଅଶୋକ ଚୌଧୁରୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ସୌଭାଗିନୀ ରାୟ, ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ ଓ ନାଇଜରର ଅଭୟ ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଗଠନର ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ଅକ୍ଷୟ ସାମଲ ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର