ରାଜ୍ୟସ୍ତରୀୟ ଲେଖକ ଓ ସୂଚନା ଅଧିକାର କର୍ମୀ ସମ୍ମିଳନୀ

ରାଜ୍ୟରେ ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ଭୁବନେଶ୍ବର: ରାଜ୍ୟର ୬୦ ପ୍ରତିଶତ ହସ୍ପିଟାଲ୍‌‌‌ରେ ଡାକ୍ତର ନାହାନ୍ତି। ସରକାରୀ ହସ୍ପିଟାଲ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ଶଯ୍ୟା ନାହିଁ। ସ୍ବାସ୍ଥ୍ୟ ସେବା ପାଇଁ ଲୋକମାନେ ଘରୋଇ ସ୍ବାସ୍ଥ୍ୟସେବା ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଛନ୍ତି। ସେହିପରି ରାଜ୍ୟର ଶିକ୍ଷା ବ୍ୟବସ୍ଥା କଥା ନ କହିବା ଭଲ। ସରକାରୀ ସ୍କୁଲ ବ୍ୟବସ୍ଥାକୁ ସୁଦୃଢ଼ କରିବା ପରିବର୍ତ୍ତେ ସ୍କୁଲ୍‌ଗୁଡ଼ିକୁ ବନ୍ଦ କରି ଦିଆଯାଉଛି। ସରକାରୀ ସ୍କୁଲ୍‌ରୁ ପିଲା ମୁହଁ ଫେରାଉଛନ୍ତି। କେଉଁ କାରଣରୁ ସ୍କୁଲ୍‌ଗୁଡ଼ିକରେ ପିଲା ସଂଖ୍ୟା କମୁଛି, ତାହା ଉପରେ ସମୀକ୍ଷା କରାଯାଉନାହିଁ କିମ୍ବା ପିଲାମାନେ କିଭଳି ସରକାରୀ ସ୍କୁଲ୍‌ ପ୍ରତି ମନ ବଳାଇବେ, ସେଥିପାଇଁ ବି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଓଡ଼ିଶା ଶିକ୍ଷା ଅଧିକାର ଫୋରମ୍‌ ପକ୍ଷରୁ ହୋଟେଲ୍‌ ପ୍ରେସିଡେନ୍ସିଠାରେ ଅନୁଷ୍ଠିତ ଦୁଇଦିନିଆ ରାଜ୍ୟସ୍ତରୀୟ ଲେଖକ ଓ ସୂଚନା ଅଧିକାର କର୍ମୀ ସମ୍ମିଳନୀ‌‌‌ରେ ଏଭଳି ମତ ପ୍ରକାଶ ପାଇଛି।

ଅନୁଷ୍ଠାନର ଆବାହକ ଅନୀଲ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ଓଡ଼ିଶା ଜନସ୍ବାସ୍ଥ୍ୟ ଅଭିଯାନର ଆବାହକ ଗୌରାଙ୍ଗ ମହାପାତ୍ର ଏବଂ ବିଶିଷ୍ଟ ଲେଖକ ସଂଗ୍ରାମ ଜେନା ଯୋଗ ଦେଇ ମତ ରଖିଥିଲେ। ଚଳିତ ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ ଅନୁଷ୍ଠାନ ପକ୍ଷରୁ ‘ୟେସ୍‌ ‌ଡେମୋକ୍ରାସି’ ଅଭିଯାନ ମାଧ୍ୟମରେ ଓଡ଼ିଶାର ସ୍ବାସ୍ଥ୍ୟ ଓ ଶିକ୍ଷା ସମସ୍ୟାକୁ ନେଇ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରାଯାଇଥିଲା। ସେଥିରୁ ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ଉପରେ ଆସିଥିବା ବିଭିନ୍ନ ତଥ୍ୟକୁ ନେଇ ଆଜି ଆଲୋଚନାରେ ପ୍ରକାଶ ପାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ଦିନକୁ ଦିନ ରାଜ୍ୟରେ ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ‌ ହେବାରେ ଲାଗିଛି। ସରକାର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଆଲୋଚନାରେ ମତ ପ୍ରକାଶ ପାଇଥିଲା। ଆଜିର ଏହି ସମ୍ମିଳନୀରେ ବିଭିନ୍ନ ଜିଲ୍ଲାରୁ ସାମାଜିକ କର୍ମୀ, ସଦସ୍ୟ ଓ ଆଇନଜୀବୀମାନେ ଯୋଗ ଦେଇ ମତ ରଖିଥିଲେ।

ସମ୍ବନ୍ଧିତ ଖବର