ଷଷ୍ଠ ମାତୃଭାଷା ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ବର: ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍‌ ‘ଦି ଇଣ୍ଟେଲେକ୍ଟସ୍‌’ ଦ୍ବାରା ‌୬ଷ୍ଠ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ‘ଆମରି ଭାଷାପଥେ-୬’ ଉଦ୍‌ଯାପିତ ହୋଇଯାଇଛି। କନ୍‌ଷ୍ଟିଚ୍ୟୁସନ କ୍ଲବ ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ତଥା ସ୍ବନାମଧନ୍ୟ ଓଡ଼ିଆ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ପ୍ରଶାନ୍ତ ନନ୍ଦ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ସମାରୋହରେ ଭାରତର ବିଶି‌ଷ୍ଟ ଭାଷାବିତ ପ୍ର. ଅନ୍ବିତା ଆବ୍ବି ମୁଖ୍ୟବକ୍ତା, ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ, ହରିଜନ ସେବକ ସଂଘର ସଭାପତି ଶଙ୍କର ସାନ୍ୟାଲ ଓ ଉଦୟନାଥ ସାହୁ, ପୂର୍ବତନ ବୈଦେଶିକ ସଚିବ ଅମରେନ୍ଦ୍ର ଖଟୁଆଙ୍କ ସହ ଦେବେନ୍ଦ୍ର ନାଥ ରାଉତ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଆ ଭାଷାକୁ ଚଳଚ୍ଚିତ୍ର ମାଧ୍ୟମରେ ସମୃଦ୍ଧ କରିବା ନିମନ୍ତେ ଶ୍ରୀ ନନ୍ଦଙ୍କ ଜୀବନ ବ୍ୟାପୀ ଅବଦାନ ପାଇଁ ତାଙ୍କୁ ‘ଆମ ଗୌରବ ସମ୍ମାନ-୨୦୨୦’ ପ୍ରଦାନ କରାଯାଇଥିଲା। ବିଶି‌ଷ୍ଟ ଗାନ୍ଧୀବାଦୀ ନେତା ଶ୍ରୀ ସାନ୍ୟାଲଙ୍କୁ ପ୍ରଥମ ‘ଏ.ଭି ସ୍ବାମୀ ସ୍ମାରକୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହାସହ ମାତୃଭାଷାର ଉନ୍ନତି ପାଇଁ କାର୍ଯ୍ୟରତ ବିଶିଷ୍ଟ ବ୍ୟକ୍ତିତ୍ବ ଓ ଅନୁ‌ଷ୍ଠାନମାନଙ୍କୁ ‘ପ୍ରବାସୀ ଭାଷା ସମ୍ମାନ-୨୦୨୦’ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରଶାନ୍ତ ପଟ୍ଟନାୟକଙ୍କୁ ସାମ୍ବାଦିକତା, ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଓଡ଼ିଆ ଭାଷାକୁ କମ୍ପ୍ୟୁଟରୀକରଣ ଓ ସାହିତ୍ୟ, ଡ. ଲକ୍ଷ୍ମୀ ଦାସଙ୍କୁ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ପ୍ରତିଷ୍ଠିତ ପତ୍ରିକା ‘ହରିଜନ’ର ସଂପାଦନା, ବସନ୍ତ ତ୍ରିପାଠୀଙ୍କୁ ଅନୁବାଦ, ଏନ.ଏ ଅନସାରୀଙ୍କୁ କମ୍ୟୁନିଟି ମେଡିଆ, ଗାୟତ୍ରୀ ମିଶ୍ର ଯୋଶୀଙ୍କୁ ଓଡ଼ିଶୀ ନୃତ୍ୟ ପାଇଁ ସମ୍ମାନିତ କରାଯାଇଥିଲା। ଇତି ସାମନ୍ତଙ୍କୁ କାଦମ୍ବିନୀ ମହୋତ୍ସବ ପାଇଁ ଏବଂ ସମାଜ ଓ ମହାନଦୀ କୋଲଫିଲ୍ଡସ୍‌କୁ ଓଡ଼ିଆ ଭାଷାର ଉନ୍ନତି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ମାନ ପ୍ରଦାନ କରାଯାଇଥିଲା। ଯୁବ ପ୍ରତିଭାମାନଙ୍କ ମଧ୍ୟରେ ସଂଗ୍ରାମ କେଶରୀ ସେନାପତି ଓ କ୍ଷେତ୍ରବାସୀ ନାୟକଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର