ସଚଳ ହେଉନି ବିଦ୍ୟୁତ୍‌ ଚୁଲା, ସତ୍ୟନଗର ମଶାଣିରେ ଅବ୍ୟବସ୍ଥା

ଗ୍ୟାସ ଚୁଲା ପାଇଁ ଆଲୋଚନା ଅଧାରେ ରହିଲା

ଭୁବନେଶ୍ବର: ରାଜଧାନୀବାସୀଙ୍କୁ ମୌଳିକ ସେବା ଯୋଗାଇବାରେ ବିଏମ୍‌ସି ବିଫଳ ହୋଇଥିବାର ଗଦା ଗଦା ଅଭିଯୋଗ ଆସୁଛି। ସହରରେ କାହାର ମୃତ୍ୟୁ ହେଲେ ଶବ ଦାହ କରିବାକୁ ବି ବିଏମ୍‌ସି ସର୍ବନିମ୍ନ ସୁବିଧା ଦେଇପାରୁନି। ଜନପଥକୁ ସ୍ମାର୍ଟ କରାଯାଉଥିଲା ବେଳେ ଏହାରି କଡ଼ରେ ସତ୍ୟନଗରରେ ଥିବା ସହରର ପ୍ରମୁଖ ମଶାଣିକୁ ସଜଡ଼ା ଯାଇପାରୁନି। ଏଠାରେ ବିଦ୍ୟୁତ ଚୁଲା ତିନି ମାସ ଧରି ଅଚଳ ହୋଇ ପଡ଼ିଛି। ଫଳରେ ଶବ ଦାହ କରିବାକୁ ଆସୁଥିବା ମୃତ ବ୍ୟକ୍ତିଙ୍କ ପରିବାର ଲୋକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସହରର ବିଭିନ୍ନ ସ୍ଥାନରେ କିଛି ମଶାଣିର ଉନ୍ନତି କରାଯାଇଛି। ତାହା ସତ୍ତ୍ବେ ସତ୍ୟନଗର ମଶାଣିରେ ସର୍ବାଧିକ ଶବ ଦାହ କରାଯାଉଛି। ସହରର କେନ୍ଦ୍ର ସ୍ଥଳୀରେ ଥିବାରୁ ଏବଂ ଏଠାରେ ବିଦ୍ୟୁତ ଚୁଲା ସମେତ ଅନ୍ୟାନ୍ୟ ଭିତ୍ତିଭୂମି ଥିବାରୁ ଲୋକମାନେ ଏଠାକୁ ଆସନ୍ତି। କେବଳ ରାଜଧାନୀ ନୁ‌ହେଁ, ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ଏଠାକୁ ଆସୁଥିବାର ଦେଖାଯାଉଛି। କିନ୍ତୁ ସତ୍ୟନଗର ମଶାଣିକୁ କେତେବେଳେ ବି ଠିକ୍ ରଖିପାରୁ ନାହିଁ ବିଏମ୍‌ସି। ସବୁବେଳେ ଏଠାରେ କିଛି ନା କିଛି ସମସ୍ୟା ଲାଗି ରହିଛି। ତେବେ ବିଦ୍ୟୁତ ଚୁଲା ଅଧିକାଂଶ ସମୟ ଅଚଳ ହୋଇଯାଉଥିବାରୁ ସହରବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୀର୍ଘଦିନ ଅଚଳ ରହିଲା ପରେ ଗତ ମାର୍ଚ୍ଚ ମାସରେ ଏହାକୁ ଠିକ୍ କରାଯାଇଥିଲା। କିନ୍ତୁ ‘ଫନି’ ବାତ୍ୟା ବେଳେ ତାହା ପୁଣି ଖରାପ ହୋଇଗଲା। ବାତ୍ୟାକୁ ୩ ମାସ ବିତିଯାଇଥିଲେ ସୁଦ୍ଧା ତାହାକୁ ସଜାଡ଼ିବା ପାଇଁ ବିଏମ୍‌ସି ତତ୍ପରତା ପ୍ରକାଶ କରୁ ନାହିଁ। ଖାଲି ସେତିକି ନୁହେଁ, ବିଦ୍ୟୁତ ଚୁଲା ଥିବା ଘର ଅତ୍ୟନ୍ତ ଦୟନୀୟ। ଏହାର ଆଜ୍‌ବେଷ୍ଟସ ଭାଙ୍ଗି ଛାତ କଣା ହୋଇଯାଇଛି। ଫଳରେ ବର୍ଷା ଦିନେ ବିଦ୍ୟୁତ ଚୁଲା ଥିବା ଘରେ ପାଣି ପଡ଼ୁଛି। ଚୁଲାରେ ପାଣି ପଡ଼ୁଥିବାରୁ ସଟ୍‌ ସର୍କିଟ ହୋଇ ନିଆଁ ଲାଗିଯିବାର ଭୟ ରହୁଛି। ୫ ବର୍ଷରୁ ଅଧିକ ସମୟ ଧରି ଏହି ଘରର ଅବସ୍ଥା ଏମିତି ରହିଛି। ଫନି ବେଳେ ଏହା ଆହୁରି କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଏଥିପ୍ରତି ନିଘା ନାହିଁ। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବିଦ୍ୟୁତ ଚୁଲା ସଜାଡ଼ିବା ପାଇଁ ବାହାର ରାଜ୍ୟର ସଂସ୍ଥା ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ମରାମତି ବିଳମ୍ବ ହେଉଛି। କୋଲକାତାର ଏକ ସଂସ୍ଥା ପକ୍ଷରୁ କର୍ମଚାରୀମାନେ ଆସି ଏହାକୁ ଦେଖି ଯାଇଛନ୍ତି। ଖୁବ୍‌ ଶୀଘ୍ର ଏହାର ମରାମତି କରିଦିଆଯିବ ବୋଲି ସେ କହିଛନ୍ତି।

ଅନ୍ୟ ପକ୍ଷରେ ବିଦ୍ୟୁତ ଚୁଲା ବଦଳରେ ସେଠାରେ ଅତ୍ୟାଧୁନିକ ଗ୍ୟାସ୍ ଚୁଲା ଲଗାଇବା ପାଇଁ ପ୍ରସ୍ତାବ ରହିଛି। ଏକ ଘରୋଇ ସଂସ୍ଥା ପକ୍ଷରୁ ସାଧାରଣ ନିର୍ବାଚନ ପୂର୍ବରୁ ଏ ନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଥିଲା। ପରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବାରୁ ଏ ସମ୍ବନ୍ଧୀୟ ଆଲୋଚନା ଆଗେଇ ପାରି ନ ଥିଲା। ନିର୍ବାଚନ ପରେ ମଧ୍ୟ ବିଏମ୍‌ସି ପକ୍ଷରୁ ଏ ଦିଗରେ କୌଣସି ଆଗ୍ରହ ପ୍ରକାଶ ପାଉ ନ ଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର