‘ସରକାର କଞ୍ଚାମାଲ ନ ଯୋଗାଇଲେ ଆନ୍ଦୋଳନ’

ଭୁବନେଶ୍ୱର: ଖୋର୍ଦ୍ଧା ଖଣି-ଖାଦାନ ବେପାରରେ ଅପରାଧୀଙ୍କ ସଂଯୋଗକୁ ନେଇ ଏସ୍‌ଟିଏଫ୍‌ ତନାଘନା କରିଛି। ଖାଦାନ ନିଲାମଧାରୀ ଗୋଟିଏ ଏକର ଜାଗା ଖୋଳିବା ପାଇଁ ସ୍ବୀକୃତି (ୱାଇ ଫର୍ମ)ଆଣି ୫ ଏକର ଖୋଳୁଛି। ଏଣୁ କ୍ରସରମାଲିକମାନଙ୍କୁ ‘ୱାଇ’ ଫର୍ମ ଯୋଗାଇ ଦେଉନାହିଁ। ଫଳରେ କ୍ରସରମାଲିକ ଆଇନ ଆଖ‌ିରେ ଦୋଷୀ ହୋଇଛନ୍ତି। ଉଚିତ ଟଙ୍କା ଦେଇ ଖାଦାନରୁ କଞ୍ଚାମାଲ ନେଉଥିଲେ ମଧ୍ୟ ୱାଇ ଫର୍ମ ଅଭାବରୁ ଏମାନଙ୍କୁ ବେଆଇନ ଘୋଷଣା କରାଯାଇଛି। ଗଞ୍ଜାମରେ ଏଭଳି ୧୫ରୁ ଊର୍ଦ୍ଧ୍ବ କ୍ରସର୍‌ ମାଲିକ ଗିରଫ ହୋଇଥିବା ବେଳେ ବ୍ଲାଷ୍ଟିଂ ଲାଇସେନ୍ସ ନ ଥାଇ ବିସ୍ଫୋରଣ କରିବାରୁ ଖଣି ନିଲାମଧାରୀ ମଧ୍ୟ ବନ୍ଧା ହୋଇଛନ୍ତି। ଏଣୁ ଭୟରେ ଖୋର୍ଦ୍ଧ‌ାରେ ଥିବା ସମସ୍ତ କ୍ରସର ଗତ ୨୭ ତାରିଖରୁ ବନ୍ଦ ରହିଛି। ସରକାର କଞ୍ଚାମାଲ ଯୋଗାଇ ନ ଦେଲେ ଏହାକୁ ଚଳାଇବା ଅସମ୍ଭବ ହୋଇଛି ବୋଲି କହିଛି ନିଖିଳ ଓଡ଼ିଶା ପଥର କ୍ରସର ମାଲିକ ଫେଡେ‌ରେସନ୍‌। ଏହି ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ବା କଞ୍ଚାମାଲ ତୁରନ୍ତ ଯୋଗାଇ ନ ଦେଲେ, ୧୯୯୯ ମସିହା ଭଳି ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସଂଘ ସଭାପତି ରମ୍‌ଜାନ୍‌ ଖାନ୍‌ ଚେତାବନୀ ଦେଇଛନ୍ତି। ହୋଟେଲ କେଶରୀ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ବଭିନ୍ନ ଜାଗାରୁ ଆସିଥିବା ୫୦ରୁ ଊର୍ଦ୍ଧ୍ବ ସଦସ୍ୟ ଖୋର୍ଦ୍ଧା ଭଳି ବିଭିନ୍ନ ଜାଗାରେ ଲାଗି ରହିଥିବା ସରକାରୀ ଅବହେଳା ଜନିତ ସମସ୍ୟା ଉପରେ ଆଲୋକପାତ କରିଥିଲେ।
ଖଣି ନିଲାମ ଦେବା ବେଳେ ସିଙ୍ଗିଲ ୱିଣ୍ଡୋ ସିଷ୍ଟମ୍‌ କରିବା ପାଇଁ ଦାବି କରାଯାଇଥିଲା। ଖୋର୍ଦ୍ଧାରେ ୪୦ ପ୍ରତିଶତ କ୍ରସର ଜଗନ୍ନାଥଙ୍କ ଜମି ଉପରେ ଗଢ଼ି ଉଠିଛି। ୨୦୧୫ ମସିହା ପୂର୍ବରୁ ଏକର ପିଛା ବର୍ଷକୁ ଶ୍ରୀମନ୍ଦିର ପ୍ରଶାସନ ୩୬ ହଜାର ଟଙ୍କା ନେଉଥିବା ବେଳେ ୨୦୧୫ ପରେ ୬୦ ହଜାର ଓ ୨୦୧୮ ପରେ ଏହି ଦର ୧ ଲକ୍ଷ ୨୦ ହଜାର ଟଙ୍କାରେ ପହଞ୍ଚିଛି। ଗୋଟିଏ ପଟେ ଅଚଳାବସ୍ଥା ଅନ୍ୟପଟେ ଏହି ବୋଝ କ୍ରସରମାଲିକଙ୍କ ଅଣ୍ଟା ଭାଙ୍ଗି ଦେଇଛି ବୋଲି ସେମାନେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସଭାପତିଙ୍କ ସହ ମୁଖ୍ୟ ଉପଦେଷ୍ଟା ଡା. ବିପିନ ପଟ୍ଟନାୟକ, ଉପଦେଷ୍ଟା ଶ୍ରୀକାନ୍ତ ସାହୁ, ଆଇନଜୀବୀ ଏସ୍‌ଏଚ୍‌ ରହମନ୍‌, ଉପ ସଭାପତି ସୟଦ ରହୀମ୍‌, ଉପ ସଭାପତି ଦିଲୀପ ବଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର