ସ୍ବଚ୍ଛ ପାଣି ମିଳୁନି, ଜଣ୍ଡିସ୍ ବ୍ୟାପିବା ଆଶଙ୍କା

ଭୁବନେଶ୍ବର: ବାତ୍ୟା ପରେ ରାଜଧାନୀରେ ଏବେ ବିଶୁଦ୍ଧ ପାଣି ଅଭାବରୁ ଜଣ୍ଡିସ୍ ଓ ଝାଡ଼ାବାନ୍ତି ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି। ଅଧିକାଂଶ ବସ୍ତି ଓ ଅନ୍ୟାନ୍ୟ ଅଞ୍ଚଳରେ ସ୍ବଚ୍ଛ ପିଇବା ପାଣି ମିଳୁ ନ ଥିବାରୁ ଆଗାମୀ ଦିନରେ ଏଭଳି ପରିସ୍ଥିତି ଉପୁଜିପାରେ। ‌ଯଦିଓ ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାତ୍ୟା ପରବର୍ତୀ ସମୟରେ ବିଶୁଦ୍ଧ ପାଣି ଯୋଗାଇବା ଉପରେ ଗୁରୁତ୍ବ ଦିଆଯାଇଥିଲା, ମାତ୍ର ରାଜଧାନୀରେ ଏହା ସମ୍ଭବ ହୋଇପାରିନାହିଁ।

ସୂଚନା ମୁତାବକ, ରାଜଧାନୀର କିଛି ଅଞ୍ଚଳରେ ଏବେ ବି ଗୋଳିଆ ପାଣି ଆସୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି। ସେମାନଙ୍କ ନିକଟରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣି ଟ୍ୟାଙ୍କର ପହଞ୍ଚି ପାରିନାହିଁ। ଫଳରେ ବାଧ୍ୟହୋଇ ଯେଉଁଠାରେ ପାଣିର ସୁବିଧା ହେଉଛି ତାହା ପିଇବାକୁ ଲୋକମାନେ ବାଧ୍ୟ ହେଉଛନ୍ତି। ବସ୍ତି ଅଞ୍ଚଳରେ ଏହା ଉତ୍କଟ ସମସ୍ୟା ପାଲଟିଛି। ଆଗାମୀ ଦିନରେ ଏଭଳି ଅବସ୍ଥା ଲାଗି ରହିଲେ ରାଜଧାନୀରେ ଜଣ୍ଡିସ୍ ଓ ହଇଜା ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ। ଗତ କିଛିବର୍ଷ ହେବ ରାଜଧାନୀର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାରମ୍ବାର ଜଣ୍ଡିସ୍ ବ୍ୟାପିବା ଘଟଣା ନଜରକୁ ଆସିଛି। ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଥିବା କୁହାଯାଉଥିଲେ ହେଁ ଏଥିରେ ସୁଧାର ଆସିପାରୁ ନାହିଁ। ନିକଟରେ ଝରଣା ସାହିରେ ଜଣେ ଯୁବତୀ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଥିଲା। ପୂର୍ବରୁ ମଧ୍ୟ ଝରଣା ସାହିରେ ଜଣ୍ଡିସ୍ ବ୍ୟାପୀ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇଥିଲେ। ଏବେ ସ୍ବଚ୍ଛ ପିଇବା ପାଣି ଅଭାବରୁ ଏହି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ହେଉଛି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀଙ୍କ ସହିତ ଯୋଗାଯୋଗ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର