୧୦ ପାର୍କରେ ହେବ ଆକ୍ୟୁପ୍ରେସର ୱାକ୍‌ ୱେ

ଭୁବନେଶ୍ୱର: ଏବେ ସହରବାସୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବ ବିଡିଏ। କେବଳ ଆମୋଦପ୍ରମୋଦ ପାଇଁ ନୁହେଁ ଶରୀରକୁ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଉନ୍ନତ କରିବାରେ ସହାୟକ ହେବ ସହରର ପାର୍କ। ବିଡିଏ ଅଧୀନରେ ଥିବା ପାର୍କରେ ଆରମ୍ଭ ହୋଇଛି ଆକ୍ୟୁପ୍ରେସର ୱାକ୍‌ ୱେ। ଫ‌ରେଷ୍ଟ ପାର୍କ ଅଞ୍ଚଳ‌ରେ ଥିବା ବିଜୁ ପଟ୍ଟନାୟକ ପାର୍କରେ ପରୀକ୍ଷାମୂଳକ ଭାବେ ହୋଇଥିବା ଆକ୍ୟୁପ୍ରେସର ୱାକ୍‌ ୱେର ଚାହିଦା ବଢ଼ିବାରୁ ପ୍ରାଥମିକ ପର୍ଯ୍ୟାୟରେ ବିଡିଏ ୧୦ଟି ପାର୍କରେ ଏଭଳି ୱାକ୍‌ ୱେ ନିର୍ମାଣ କରିବାକୁ ଯୋଜନା କରିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଗର୍ସ୍‌ ପାର୍କ ଓ ବିଜୁ ପଟ୍ଟନାୟକ ପାର୍କରେ ଦୁଇଟି ଆକ୍ୟୁପ୍ରେସର ଵାକ୍‌ ୱେ ବ୍ୟବହାର ପାଇଁ ପ୍ରସ୍ତୁତି ହୋଇଥିବା ବେଳେ ଇନ୍ଦିରାଗାନ୍ଧୀ ପାର୍କରେ ନିର୍ମାଣ ଚାଲିଛି। ଆଗକୁ ଆଉ ୭ଟି ପାର୍କରେ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ଆକ୍ୟୁପ୍ରେସର ଵାକ୍‌ ୱେରେ ଚାଲିବା ଦ୍ୱାରା ତଳି ପାଦରେ ଥିବା ଆକ୍ୟୁପ୍ରେସର ପଏଣ୍ଟସ୍‌ ଗୁଡ଼ିକ ସଞ୍ଚାଳିତ ହୋଇଥାଏ।

ଯାହା ଶରୀରର ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ ସହ ମାନସିକସ୍ତରରେ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏଥିରେ ଚାଲିବା ଦ୍ୱାରା ପାଚନକ୍ରିୟା, ଜଟିଳ ଯନ୍ତ୍ରଣା, ଆଖି ସମସ୍ୟା, ଚାପ ଓ ଅବସାଦ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ କେବଳ ଆକ୍ୟୁପ୍ରେସର ୱାକ୍‌ ୱେ ନୁହେଁ ବରଂ କଳିଙ୍ଗ ନଗରରେ ଏକ ପାର୍କରେ ଡେ କେୟାର ସେଣ୍ଟର ନିର୍ମାଣାଧୀନ ରହିଛି। ଏଥିରେ ଡାକ୍ତର ବସିବା ସହ ନିୟମିତ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣରେ ଆସୁଥିବା ବାସିନ୍ଦାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବାକୁ ଯୋଜନା ହୋଇଛି। ଏଥିରେ ଏକ ଲାଇବ୍ରେରି ମଧ୍ୟ ନିର୍ମାଣ କରାଯିବ। ପାର୍କଗୁଡ଼ିକ କେବଳ ଆମୋଦପ୍ରମୋଦ ଭିତରେ ସୀମିତ ନ କରି ଲୋକମାନଙ୍କୁ କିଭଳି ଅନ୍ୟାନ୍ୟ ସୁବିଧା ଯୋଗାଇ ହେବ ସେନେଇ ବିଡିଏ ଯୋଜନା କରୁଥିବା ସୂଚନା ମିଳିଛି। ବିଡିଏ ଅଧୀନରେ ଥିବା ୭୦ଟି ପାର୍କ ମଧ୍ୟରୁ ୫୬ଟି ପାର୍କରେ ପିଲାଙ୍କ ପାଇଁ ଖେଳ ଉପକରଣ, ୪୦ରୁ ଅଧିକ ପାର୍କରେ ମୁକ୍ତାକାଶ ବ୍ୟାୟାମଶାଳ ଓ ଯୋଗ ପିଣ୍ଡି, ୨ଟି ପାର୍କରେ ସ୍କେଟିଂ ଟ୍ରାକ୍‌ର ସୁବିଧା ଯୋଗାଯାଇଛି। ଏହି ସମସ୍ତ ପାର୍କ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି।

ସମ୍ବନ୍ଧିତ ଖବର