ପାଣିରେ ପଡ଼ିଲା ୧୧ ଲକ୍ଷ, ଅନ୍ଧାରରେ ପ୍ରତାପଶାସନ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ଆଦର୍ଶ ଗ୍ରାମ ପଞ୍ଚାୟତ ପ୍ରତାପ ଶାସନରେ ସରକାରଙ୍କ ଆଲୋକୀକରଣ ଯୋଜନା ପ୍ରହସନରେ ପରିଣତ ହୋଇଛି। ପଞ୍ଚାୟତର ବିଭିନ୍ନ ଗ୍ରାମ, ପଡ଼ା ଓ ମୁଖ୍ୟରାସ୍ତା ପାର୍ଶ୍ବରେ ବତିଖୁଣ୍ଟଗୁଡ଼ିକରେ ଲାଗିଥିବା ଷ୍ଟ୍ରିଟ୍‌ ଏଲ୍‌ଇଡି ଲାଇଟ୍‌ ମାତ୍ର ୪ମାସ ଭିତରେ ଖରାପ ହୋଇଗଲାଣି। କେଉଁଠି ବତିଖୁଣ୍ଟ ଷ୍ଟାଣ୍ଡ ପୋଷ୍ଟରେ ବଲ୍‌ବ ଫ୍ୟୁଜ୍‌ ହୋଇଗଲାଣି ତ ଆଉ କେଉଁଠି ଷ୍ଟାଣ୍ଡ ଲାଇଟ ସଂପୂର୍ଣ୍ଣ ଭାଙ୍ଗିଯାଇଛି। ଭାର୍ଗବୀ ନଦୀପଠା ବ୍ରିଜ୍‌ ସ୍ଥିତ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ ଲାଗିଥିବା ହାଇମାକ୍ସ ଲାଇଟ ମିଞ୍ଜିମିଞ୍ଜି ଜଳୁଛି। ନିମ୍ନମାନର ବିଦ୍ୟୁତ ସାମଗ୍ରୀ ତଥା ବଲ୍‌ବ ଲାଗିଥିବାରୁ ମାତ୍ର କିଛିଦିନ ମଧ୍ୟରେ ସେଗୁଡ଼ିକ ଖରାପ ହୋଇଗଲା ବୋଲି ଅଭିଯୋଗ ହୋଇଛି। ଲାଇଟ୍‌ ଲାଗିବା ପୂର୍ବରୁ ଗାଁ ଯେମିତି ଥିଲା ଏବେ ବି ସେଠାରେ ସେମିତି ଅନ୍ଧାର ବୋଲି ଲୋକମାନେ କହିଛନ୍ତି । ଏଭଳି ସ୍ଥିତିରେ ଯୋଜନା ଆଳରେ ସରକାରଙ୍କ ୧୧ ଲକ୍ଷରୁ ଅଧିକ ଅନୁଦାନ ଟଙ୍କା ପାଣିରେ ପଡ଼ିବା ଏକ ପ୍ରକାର ସାର ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଏହାଛଡ଼ା ଗାଁ ମେଳଣ ଆଳରେ ପଞ୍ଚାୟତ ମଧ୍ୟ ଏବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲା। ଖବର ନେବାରେ ଜଣାପଡ଼ିଛି ଯେ ଗତ ନଭେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଚତୁର୍ଦଶ ଅର୍ଥ କମିସନ ଯୋଜନାରେ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଥିବା ବତି ଖୁଣ୍ଟଗୁଡ଼ିକରେ ୪୯ଟି ଷ୍ଟ୍ରିଟ୍‌ ଏଲଇଡି ଲାଇଟ୍‌ ଲାଗିଥିଲା। ଏଥିପାଇଁ ୬ ଲକ୍ଷ ଟଙ୍କ ବ୍ୟୟ କରାଯାଇଥିଲା। ସେହିପରି ବିଧାୟକଙ୍କ ନିଜସ୍ବ ଉନ୍ନୟନ ହାତ ପାଣ୍ଠି ଅର୍ଥରେ ଭାର୍ଗବୀ ସେତୁ ଉପରେ ୮ଟି ନୂଆ ବତିଖୁଣ୍ଟରେ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଥିଲା। ହେଲେ ବର୍ତ୍ତମାନ ପଞ୍ଚାୟତର ଏକାଧିକ ସ୍ଥାନ ଅନ୍ଧାରରେ ରହିଛି। ଏବେ ସୁଦ୍ଧା ପଞ୍ଚାୟତର ରାଜସ୍ବ ଗ୍ରାମ , ପଡ଼ା ଓ ଗଳିକନ୍ଦି ଭିତରକୁ ଆଲୋକ ବ୍ୟବସ୍ଥା ହୋଇପାରିନି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂପର୍କରେ ପ୍ରତାପଶାସନ ସରପଞ୍ଚ ଭାଗ୍ୟଧର ନନ୍ଦିଙ୍କୁ ପଚାରିବାରେ ସେ କହିଥିଲେ, ବିଲ୍‌ ମଞ୍ଜୁର ନେଇ ଠିକାଦାରଙ୍କୁ ଏଯାଏ ଏନ୍‌ଓସି ପ୍ରଦାନ ହୋଇ ନାହିଁ। ସବୁ ଲାଇଟ୍‌ ଠିକ ଭାବରେ ଜଳିବା ପର୍ଯ୍ୟନ୍ତ ସେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି। ଗ୍ରାମ ପଞ୍ଚାୟତ ଅଧିକାରୀ ଅଜୟ କୁମାର ସୁନ୍ଦରାୟ ମଧ୍ୟ ସମାନ ମତ ଦେଇଛନ୍ତି। ପ୍ରତାପଶାସନ ପରି ଅନ୍ୟସବୁ ପଞ୍ଚାୟତରେ ଏଭଳି ସମସ୍ୟା ସଂପର୍କରେ ଲେକେ ଅଭିଯୋଗ କରିଛନ୍ତି। ଏ ଦିଗରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର