ଅଧିକ ସୁଧ ଲୋଭ ଦେଖାଇ ୧୫କୋଟି ଠକେଇ

ମାସ୍ ଇନ୍‌ଫ୍ରା ରିଅଲିଟି ନିର୍ଦ୍ଦେଶକ ଗିରଫ

ଭୁବନେଶ୍ବର: ଅଧିକ ସୁଧ ଲୋଭ ଦେଖାଇ ଶତାଧିକ ନିବେଶକଙ୍କଠାରୁ ପ୍ରାୟ ୧୫କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ମାସ୍‌ ଇନ୍‌ଫ୍ରା ରିଅଲିଟି ଲିମିଟେଡ୍‌ର ନିର୍ଦ୍ଦେଶକ ତପନ କୁମାର ସାମନ୍ତକୁ ପଶ୍ଚିମବଙ୍ଗରୁ ଗିରଫ କରିଛି। ଗତ ୬ ତାରିଖ ତପନକୁ ଇଓଡବ୍ଲୁ କୋଲକାତା ନରେନ୍ଦ୍ରପୁରର ନସ୍କର ରୋଡ୍‌ରୁ ଧରିଥିଲା। ପରେ କୋଲକାତାର ଦକ୍ଷିଣ ୨୪ ପ୍ରଗଣାର ଅତିରିକ୍ତ ମୁଖ୍ୟ ବିଚାରପତିଙ୍କ ପାଖରେ ହାଜର କରାଇ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣିଥିବା ଜଣାପଡ଼ିଛି। ଆଜି ଅଭିଯୁକ୍ତକୁ ବାଲେଶ୍ବରସ୍ଥିତ କୋର୍ଟରେ ହାଜର କରିଛି।

ସୂଚନାନୁଯାୟୀ, ୨୦୧୯ ଅଗଷ୍ଟ ୩୦ ତାରିଖରେ ବାଲେଶ୍ବରର ଶୁକଦେବ ହୋତା କୋଲକାତାର ଅର୍ଥ ନିବେଶକାରୀ ସଂସ୍ଥା ମାସ୍ ଇନ୍‌ଫ୍ରା ରିଅଲିଟି ଲିମିଟେଡ୍ ବିରୋଧରେ ଠକେଇ ଅଭିଯୋଗ ଆଣିଥିଲେ। ଅଧିକ ସୁଧ ଦେବାକୁ ଲୋଭ ଦେଖାଇ ସଂପୃକ୍ତ ସଂସ୍ଥା ଲୋକଙ୍କଠାରୁ କୋଟିକୋଟି ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଥିଲା। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପ୍ରତାପ କୁମାର ବିଶ୍ବାଳ ବିରୋଧରେ ଇଓଡବ୍ଲୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ମାସ୍ ଇନ୍‌ଫ୍ରା ରିଅଲିଟି ଲିମିଟେଡ୍ ୨୦୧୦ ମସିହାରେ କୋଲକାତାରେ ପଞ୍ଜୀକରଣ ହୋଇଥିଲା।

ଲୋକଙ୍କୁ ଅଧିକ ସୁଧ ଦେବାକୁ କହି ସଂସ୍ଥା କୋଟି କୋଟି ଟଙ୍କା ଚଳୁ କରିଛି। ସଂସ୍ଥାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରତାପ କୁମାର ବିଶ୍ବାଳ ୨୦୧୨ ମସିହାରେ ତପନ ସମେତ ୬ଜଣଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲା। ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ଏକାଧିକ ରାଜ୍ୟରେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିବେଶକଙ୍କ ଅର୍ଥ ଫାଙ୍କିବା ପାଇଁ ୨୦୧୨ ମସିହାରେ ପ୍ରତାପ ସଂସ୍ଥାର ନାଁକୁ ହ୍ୟୁମାନ ୱେଲଫେୟାର କ୍ରେଡିଟ୍ ଆଣ୍ଡ୍ ଥ୍ରିଫ୍ଟ୍ କୋ-ଅପରେଟିଭ୍‌ ସୋସାଇଟି ଲିମିଟେଡ୍‌କୁ ପରିବର୍ତ୍ତନ କରିଥିଲା।

ଏହା ସହିତ କମ୍ପାନିର ପଞ୍ଜୀକୃତ କାର୍ଯ୍ୟାଳୟକୁ ନୂଆଦିଲ୍ଲୀସ୍ଥିତ ଲକ୍ଷ୍ମୀନଗରକୁ ସ୍ଥାନାନ୍ତର କରାଇଥିବା ଇଓଡବ୍ଲୁ ସୂଚନା ଦେଇଛି। ଧୂର୍ତ୍ତ ପ୍ରତାପକୁ ଇଓଡବ୍ଲୁ ୨୦୨୧ ସେପ୍ଟେମ୍ବର ୨୫ରେ ଗିରଫ କରିଥିବା ବେଳେ ଆଜି ତପନକୁ ଗିରଫ କରିଛି। ଠକେଇରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏବେ ବି ଘଟଣାର ତଦନ୍ତ ଚାଲିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର