ସିସିଟିଭି ନଜରରେ ଯୁକ୍ତ୨ ପରୀକ୍ଷା, ରାଜଧାନୀରେ ପରୀକ୍ଷା ଦେଲେ ୧୩ ହଜାର

ଭୁବନେଶ୍ବର: ପ୍ରବେଶଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ। ସବୁଠି କଡ଼ା ସୁରକ୍ଷା। ପ୍ରବେଶ ପଥରେ ଅଧ୍ୟାପକଙ୍କ ଆଖି ଘୂରୁଛି। ଆଉ ପରୀକ୍ଷା କେନ୍ଦ୍ର ଭିତରେ ନଜର ରଖିଛି ସିସିଟିଭି। ଲଗାତାର ଭାବେ ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏଭଳି କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ଯୁକ୍ତ୨ ପରୀକ୍ଷା। ପ୍ରଥମ ଦିନ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷାର୍ଥୀଙ୍କ ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟର ପରୀକ୍ଷା ଥିବାରୁ ରାଜଧାନୀର କୌଣସି ପରୀକ୍ଷା କେନ୍ଦ୍ରରେ କିଛି ବି ବିଭ୍ରାଟ ହୋଇନି। ହେଲେ ଘଣ୍ଟା କଟକଣାକୁ ନେଇ କେତେକ ପରୀକ୍ଷା କେନ୍ଦ୍ର କର୍ତୃପକ୍ଷ ଦ୍ବନ୍ଦ୍ବରେ ପଡ଼ିଥିବା ବେଳେ ଆଉ କେତେକ ସ୍ଥାନରେ ପରୀକ୍ଷାର୍ଥୀଙ୍କୁ ଘଣ୍ଟା ଖୋଲିବାକୁ ପଡ଼ିଛି।

ରାଜଧାନୀରେ ପରୀକ୍ଷା ଦେଲେ ୧୩ ହଜାର
ପ୍ରଥମ ଦିନ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ରହିଥିଲା। ତେଣୁ ସକାଳ ୮ଟା ୩୦ ହେବା କ୍ଷଣି ପରୀକ୍ଷା କେନ୍ଦ୍ରଗୁଡ଼ିକ ନିକଟରେ ଉଭୟ ବିଭାଗ ପରୀକ୍ଷାର୍ଥୀଙ୍କ ଭିଡ଼ ଜମିଥିଲା। ବିଜେବି, ରାଜଧାନୀ, ରମାଦେବୀ ଜୁନିଅର କଲେଜ, ମହର୍ଷି କଲେଜ ଅଫ୍‌ ନାଚୁରାଲ ଲ’, ଦେବରାୟ କଲେଜ ସମେତ ୪ଟି ଉପ ପରୀକ୍ଷା କେନ୍ଦ୍ର ଯଥା କିଟ୍‌, କିସ୍‌, ଆଇଟିଇଆର ଓ ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପରୀକ୍ଷାର୍ଥୀଙ୍କ ଗହଳି ରହିଥିଲା। ସହରରେ ୧୭ ହଜାରରୁ ଅଧିକ ପରୀକ୍ଷାର୍ଥୀ ଥିବାବେଳେ ପ୍ରଥମ ଦିନରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୧୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷାର ସୁପରିଚାଳନା ପାଇଁ ଚଳିତବର୍ଷ ଖୋର୍ଧା ଜିଲ୍ଲାରେ ୧୨ଟି ପରୀକ୍ଷା ପରିଚାଳନା ହବ୍‌ ହୋଇଛି। ଏଥିମଧ୍ୟରୁ ଭୁବନେଶ୍ବର ସହରର ମହର୍ଷି କଲେଜ, ଦେବରାୟ କଲେଜ, ବିଜେବି ଜୁନିୟର କଲେଜ ଓ ରାଜଧାନୀ କଲେଜରେ ହବ୍‌ ହୋଇଛି। ସକାଳ ୭ଟାରୁ ୮ ମଧ୍ୟରେ ସବୁ ହବ୍‌ରୁ ସହରରେ ହେହାଇଥିବା ୨୫ଟି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଥିଲା। ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ସ୍ବତନ୍ତ୍ର ଗାଡ଼ି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ଯାଇଥିଲା। ୯ଟା ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ଗାଡ଼ି ପହଞ୍ଚିଥିଲା।

ପାଚେରି ପାଖକୁ ମନା: ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ହେଉଥିବାରୁ କଡ଼ାକଡ଼ି ହୋଇଛି ଯୁକ୍ତ୨ ପରୀକ୍ଷା। କେନ୍ଦ୍ର ଭିତରକୁ ଯିବା ଦୂରର କଥା। ପାଚେରି ନିକଟରେ ବି କାହାକୁ ଛିଡ଼ା ହେବାକୁ ଅନୁମତି ଦିଆଯାଉ ନାହିଁ। ସବୁ ପରୀକ୍ଷା କେନ୍ଦ୍ର ମୁଖ୍ୟ ପ୍ରବେଶ ପଥ ସମ୍ମୁଖରେ ନୋଟିସ୍‌ ଲଗାଯାଇ ମୋବାଇଲ୍‌ ସମେତ କେଉଁ ସାମଗ୍ରୀ ନେବା ଉପରେ କଟକଣା ଲଗାଯାଇଛି ତାହା ଉଲ୍ଲେଖ ହୋଇଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ପରୀକ୍ଷା କେନ୍ଦ୍ର ଭିତରକୁ ଛଡ଼ାଯାଇ ନ ଥିଲା। ସହରରେ ହୋଇଥିବା ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଥିବା ଜଣାପଡ଼ିଛି।

କାଁ ଭାଁ ପୁଲିସ: କଡ଼ା ସୁରକ୍ଷା କରିବାକୁ କୁହାଯାଇଥିଲେ ମଧ୍ୟ ସହରର ଅନେକ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ଢିଲା ଥିଲା। କାଁ ଭାଁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ପରୀକ୍ଷାର୍ଥୀମାନେ ପ୍ରବେଶ ଲାଗି ଠେଲାପେଲା ହେଉଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି ବି ବ୍ୟବସ୍ଥା ହୋଇ ନ ଥିଲା। କେତେକ କେନ୍ଦ୍ରରେ ଜଣେ ମାତ୍ର କନ୍‌ଷ୍ଟେବଲ୍‌ ନିୟୋଜିତ ରହିଥିଲେ।

ପରିଷଦରେ ପୂଜାର୍ଚ୍ଚନା: ସଜାଗ ରହିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଖୋଲିଥିବା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌। ପରୀକ୍ଷାର୍ଥୀ କିମ୍ବା ଅଭିଭାବକଙ୍କର କୌଣସି ବି ଅସୁବିଧା ହେଲେ ସଙ୍ଗେ ସଙ୍ଗେ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରିଥିଲେ। ପ୍ରଥମ ଦିନରେ ୨୫ରୁ ଅଧିକ ଫୋନ୍‌ ଆସିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପରୀକ୍ଷା କିଭଳି ସୁରୁଖୁରରେ ଶେଷ ହେବ ସେଥିପାଇଁ ପରିଷଦ କାର୍ଯ୍ୟାଳୟରେ ପୂଜାର୍ଚ୍ଚନା ହୋଇଥିଲା। ସକାଳୁ ପରିଷଦର କେତେଜଣ ଅଧିକାରୀ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ପରିଷଦରେ ବି ଭୋଗ ବଣ୍ଟାଯାଇଥିଲା।

ପରୀକ୍ଷାର୍ଥୀଙ୍କୁ ଶୁଭ ମନାସିଲେ
ମାଟ୍ରିକ୍‌ ପରି ଯୁକ୍ତ୨ ପରୀକ୍ଷାରେ ବି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଯାଇଥିଲା। ବିଜେବି ସମେତ ରମାଦେବୀ, କମଳା ନେହେରୁ, ରାଜଧାନୀ ପ୍ରଭୃତି କଲେଜରେ ଥିବା ସଙ୍ଗଠନର କର୍ମକର୍ତ୍ତା ତଥା ଯୁକ୍ତ୩ ଛାତ୍ରଛାତ୍ରୀ ଫାଟକ ସମ୍ମୁଖରେ ଛିଡ଼ା ହୋଇ ଫୁଲ, ଚନ୍ଦନ ଲଗାଇଥିଲେ।

ସମ୍ବନ୍ଧିତ ଖବର