ଆଶ୍ରୟର ୨୮ତମ ପ୍ରତିଷ୍ଠା ଦିବସ: ଦିବ୍ୟାଙ୍ଗଙ୍କୁ ସହାୟତା ପାଇଁ ସଭିଏଁ ଆଗେଇ ଆସନ୍ତୁ

ଭୁବନେଶ୍ବର: ଦିବ୍ୟାଙ୍ଗମାନେ ଯାହା କରିପାରନ୍ତି ସାଧାରଣ ଲୋକଟିଏ କରିପାରେନାହିଁ। ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମାଜର ସବୁବର୍ଗର ଲୋକମାନେ ଆଗେଇ ଆସିବା ଦରକାର। ଏଥିସହ ସେମାନଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ଥଇଥାନ ଓ ଅଧିକାରକୁ ସାବ୍ୟସ୍ତ କରାଇ ସମାଜର ମୁଖ୍ୟସ୍ରୋତରେ ପ୍ରତିଷ୍ଠିତ କରାଇବା ସହ ରୋଜଗାରକ୍ଷମ କରାଇବା ଆବଶ୍ୟକତା ରହିଛି। ଫଳରେ ସେମାନେ ନିଜକୁ ଅକ୍ଷମ ଭାବିବେ ନାହିଁ। ଆଶ୍ରୟ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ୨୮ତମ ପ୍ରତିଷ୍ଠା ଦିବସରେ ଅତିଥି ମାନେ ଯୋଗଦେଇ ଏପରି ମତ ରଖିଛନ୍ତି।

ଅନୁଷ୍ଠାନର ଅଧ୍ୟକ୍ଷ ଲୋକନାଥ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ସମାଜସେବୀ ତୁଳସୀ ମୁଣ୍ଡା, ସାହିତ୍ୟିକ ଦାଶ ବେନହୁର, ମୋ ସ୍କୁଲ୍‌ ଅଧ୍ୟକ୍ଷ ଆକାଶ ଦାସ ନାୟକ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ପଟ୍ଟନାୟକ, ପ୍ରଦ୍ୟୁମ୍ନ ଶତପଥୀ, ସିନ୍ଧୁ ନନ୍ଦିନୀ ତ୍ରିପାଠୀ, ଶୈଳରାଣୀ ମିଶ୍ର, ମାନସ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଆଶ୍ରୟ ପତ୍ରିକା ଓ ଆଶ୍ରୟ ବାର୍ଷିକ ବିଶେଷାଙ୍କ ଲୋକାର୍ପିତ ହୋଇଥିଲା। କବୀ ବିଜୟା ମିଶ୍ରଙ୍କ କବିତା ପୁସ୍ତକ ‘ଉତ୍ତରଣ’ ଓ ପାଣ୍ଡବ ନାୟକଙ୍କ ‘ନୟାଗଡ଼ ପରିକ୍ରମା’କୁ ଅତିଥିମାନେ ଲୋକାର୍ପିତ କରିଥିଲେ। ସମାଜସେବୀ ଶୈଳରାଣୀ ମିଶ୍ର ଓ ମାନସରଂଜନ ପଟ୍ଟନାୟକଙ୍କୁ ‘ଆଶ୍ରୟ ସେବାରତ୍ନ ସମ୍ମାନ’ରେ ସମ୍ମାନିତ କରାଯାଇଛି।

ସାହିତ୍ୟିକା ବିଜୟଲକ୍ଷ୍ମୀ ମହାନ୍ତି, କବୀ ସୁହାସିନୀ ମହାପାତ୍ର, ଡା. ମାଧବାନନ୍ଦ କର, ଡା. ସୁଦର୍ଶନ ପଟ୍ଟନାୟକ, ବିଜୟା ମିଶ୍ର, ଡା. ମହେଶ ପ୍ରସାଦ ରାଉତ, ଡା. ଦୁର୍ଗାପ୍ରସାଦ ରଥ, ଡା. ଗୋପବନ୍ଧୁ ନନ୍ଦ, ଗାୟତ୍ରୀ ବହିଦାର, ମଞ୍ଜୁଳା କୁମାରୀ ରଥ, ପାଣ୍ଡବ ନାୟକ, ସତ୍ୟନାରାୟଣ ମିଶ୍ର, ସତ୍ୟରଞ୍ଜନ ପାଣିଗ୍ରାହୀଙ୍କୁ ଆଶ୍ରୟ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଆଶ୍ରୟ ଛାତ୍ରବୃତ୍ତି ଓ ବିଭିନ୍ନ ସାମଗ୍ରୀ ବିତରଣ କରାଯାଇଥିଲା। ସତ୍ୟ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର