ଝିଅକୁ ଅନୈତିକ କାମରେ ଲଗାଇଥିଲା ମା’; ଥାନାର ଦ୍ବାରସ୍ଥ ହେଲେ ନାବାଳିକା, ମା’ ସମେତ ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଟଙ୍କା ପାଇଁ ଜଣେ ମା’ ତା’ଝିଅର ଇଜ୍ଜତକୁ ବଜାରରେ ନିଲାମ କରିବାକୁ ପଛାଇ ନାହିଁ। ଦୀର୍ଘ ୬ବର୍ଷ ଧରି ଏକାଧିକ ଲୋକଙ୍କୁ ଘରକୁ ଡାକି ଝିଅକୁ ଅନୈତିକ ସଂପର୍କ ରଖିବାକୁ ବାଧ୍ୟ କରିଛି। ଖାଲି ଏତିକି ନୁହେଁ, ଘର ବ୍ୟତୀତ ଯିଏ ଚାହିଁବ ଝିଅକୁ ବୁଲାଇ ନେବା ବାହାନାରେ ବାହାରେ ହୋଟେଲ୍‌ରେ ମଧ୍ୟ ଏଭଳି ଘୃଣ୍ୟକାମରେ ଲଗାଇଛି ପିଶାଚି ମା’। ଏ ନେଇ ନାବାଳିକା ଜଣକ ନିଜ ମା’ ବିରୋଧରେ ଭରତପୁର ଥାନାରେ ଗତ ୨ ତାରିଖରେ ଏତଲା ଦେବା ପରେ ପୁଲିସ ଆଜି ଅଭିଯୁକ୍ତ ମା ସମେତ ନାବାଳିକା ସହିତ ବାରମ୍ବାର ଅନୈତିକ ସଂପର୍କ ରଖିଥିବା ବରମୁଣ୍ଡାର ଆଶିଷ କୁମ୍ଭାର ଓ ତମାଣ୍ଡୋର ଅମିତ ସେଠୀକୁ ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ, ନାବାଳିକାଙ୍କ ମା ଦୀର୍ଘ ବର୍ଷ ହେବ ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ହୋଇ ଆସି ବରମୁଣ୍ଡା ଶରଧାପଲ୍ଲୀ ବସ୍ତିରେ ରହୁଥିଲା। ଘରେ କେହି ରହୁ ନ ଥିବା ବେଳେ ଝିଅ ଛୋଟ ହୋଇଥିବାରୁ ମାଆ ଘରକୁ ଅନେକ ସମୟରେ ଏକାଧିକ ପୁରୁଷଙ୍କୁ ଘରେ ପୂରାଉଥିଲା। ଏହାରି ଭିତରେ ଝିଅକୁ ମଧ୍ୟ ଅନୈତିକ କାମରେ ଲଗାଇବାକୁ ସ୍ଥିର କରିଥିଲା। ପ୍ରଥମେ ଝିଅକୁ ଏଭଳି ଘୃଣ୍ୟ ଲଗାଇବା ସମୟରେ ଝିଅ ଏହାକୁ ବିରୋଧ କରିଥିଲା। ମାତ୍ର ମା’ ଗରାଖ ହୋଇଆସିଥିବା ଲୋକଙ୍କୁ ସଂପର୍କୀୟ ମାମୁ, ଦାଦା ଆଦି କହି ଗେଲ କରୁଥିବା କଥା କହିଥିଲା। ଏହା ପରେ ସମୟ ସୁବିଧା ଦେଖି ଧୀରେ ଧୀରେ ଝିଅକୁ ନେଇ ଦେହ ବ୍ୟବସାୟରେ ଲଗାଇ ଏହାକୁ ପେଶା ଭାବେ ଆପଣାଇଥିଲା।

ଗତ ଜୁଲାଇ ମାସରେ କୌଣସିମତେ ନାବାଳିକା ଜଣକ ଘରୁ ଖସିଆସି ବାହାରେ ବୁଲୁଥିବା ବେଳେ ତାକୁ ଏକ ସ୍ବେଚ୍ଛାସେବୀ ସଂସ୍ଥା ରାସ୍ତାରୁ ପାଇଥିଲା। ଘର ଛାଡ଼ି କୁଆଡ଼େ ବୁଲୁଥିବା କଥା ପଚାରିବାରୁ ନାବାଳିକା ଜଣକ ତାଙ୍କ ମା’ର ନିର୍ଯାତନା ସଂପର୍କରେ କହିଥିଲା। ତା’ର ମୂଳ ଘର ପୁରୀ ହୋଇଥିବା ବେଳେ ଭରତପୁରରେ ରହୁଥିବା କହିଥିଲା। ଏନେଇ ପ୍ରଥମେ ପୁରୀ ଗୋପ ଥାନାରେ ଏତଲା ହେବା ପରେ ନାବାଳିକାକୁ ଶିଶୁ ସୁରକ୍ଷା କମିଟିରେ ହାଜର କରାଯାଇଥିଲା। ପରେ ତାକୁ ନେଇ ସିଡବ୍ଲୁସି ଭରତପୁର ଥାନାରେ ଅଭିଯୋଗ କରିବାରୁ ଆଜି ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ନିକଟରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ଜଣେ ନାବା​ଳିକା ଓ ତାଙ୍କ ଭାଇ ନିଜ ମା’ ବିରୋଧରେ ଏଭଳି ସଂଗିନ ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର