ସୁଶାନ୍ତ ନାୟକ ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିିଛି

ଭୁବନେଶ୍ବର: କ୍ୟାପିଟାଲ ଥାନା ଜିଇଡି ବସ୍ତିରେ ସୁଶାନ୍ତ ନାୟକଙ୍କୁ ନିର୍ମମ ହତ୍ୟାକାଣ୍ଡ ଘଟଣାରେ ୩ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ। ଅଭିଯୁକ୍ତମାନେ ନିର୍ମମ ଭାବେ ହାଣିଲେ, ଜଙ୍ଗଲରେ ଲୁଚିଲେ, ପୁଲିସ ଗୋଡ଼ାଇବାରୁ ମାଲଦ ଓ ପରେ ଦାରିଙ୍ଗବାଡି ଚାଲିଗଲେ। ଏବେ ଏହି ନିର୍ମମ ହତ୍ୟାକାଣ୍ଡ ଘଟଣାରେ ୩ ଅଭିଯୁକ୍ତଙ୍କୁ ସ୍ପେଶାଲ ସ୍କ୍ବାର୍ଡ ସହାୟତାରେ ଗିରଫ କରିଛି ପୁଲିସ।

ଏ ନେଇ ନିଜର ପ୍ରତିକ୍ରିୟା ରଖି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ‘ଗତ ମେ ୨୪ ତାରିଖ ଭୋର୍ ସମୟରେ କ୍ୟାପିଟାଲ ଥାନା ଅଧୀନରେ ଥିବା ଜିଇଡି ବସ୍ତିରେ ପୂର୍ବ ଶତ୍ରୁତାକୁ ନେଇ ସୁଶାନ୍ତ ନାୟକଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତମାନେ। ଭୋର ୪ଟା ସମୟରେ ସ୍ତ୍ରୀକୁ କାମରେ ଛାଡି ଫେରିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା।  ଏପ୍ରିଲ ୨୬ ତାରିଖରେ ମଧ୍ୟ ଏକ ମାମଲା ଥିଲା ଯେ ଅଭିଯୁକ୍ତମାନେ ସୁଶାନ୍ତଙ୍କ ସମ୍ପର୍କୀୟ ଜଣେ ଝିଆରୀକୁ ଅସଦାଚରଣ କରିଥିଲେ। ଏ ନେଇ ସେ ଏତଲା ଦେବାରୁ ଗତ ୨୪ ତାରିଖରେ ସୁଶାନ୍ତଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ ସୁବାଷ ନାୟକ। ପୂର୍ବରୁ ସୁଜିତ୍ ନାୟକ ନାମକ ଜଣେ ବ୍ୟକ୍ତି କୋର୍ଟରେ ଆତ୍ମସମର୍ପଣ କରିଥିଲେ। ପରେ ପୁଲିସ ତାଙ୍କୁ ରିମାଣ୍ଡରେ ଆଣି ଫରେଷ୍ଟ ପାର୍କ ପାଖ ଏକ ସ୍ଥାନରୁ ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା।’

ଅନ୍ୟପଟେ ବାକି କିଛି ସାମଗ୍ରୀ ଜଙ୍କିଆ ନିକଟ ମଲାଗୁଣି ନଦୀରୁ ମିଳିଥିବା ସୂଚନା ରହିଥିଲା। ପୁଲିସ ଆଜି ସକାଳୁ ଅଭିଯୁକ୍ତଙ୍କୁ ନେଇ ମଲାଗୁଣି ନଦୀରୁ ଗୋଟେ ଖଣ୍ଡା, ଚାପଡ଼, ଛୁରୀ ଉଦ୍ଧାର କରିଛି ବୋଲି ସେ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର