ବାତ୍ୟାରେ ୪, ୬୨୦ ହେକ୍ଟର ଫସଲ ନଷ୍ଟ

ବାଲିଅନ୍ତା : ବାତ୍ୟା ‘ଫନି’ ମାଡ଼ରେ ସମଗ୍ର ବାଲିଅନ୍ତା ବ୍ଲକରେ ୪ ହଜାର ୬୨୦ ହେକ୍ଟର ରବି ଫସଲ ନଷ୍ଟ ହୋଇଯାଇଥିବା ବ୍ଲକ କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ କ୍ଷୟକ୍ଷତି ଆକଳନ ରିପୋର୍ଟରେ ଦର୍ଶାଯାଇଛି। ୯୦ ପ୍ରତିଶତ ଧାନ ଫସଲ ଥୁଣ୍ଟା ହୋଇଯାଇଥିବା କୃଷି ଅଧିକାରୀମାନେ ରିପୋର୍ଟ କରିଥିବା ବେଳେ ୩୦୦ ହେକ୍ଟର ବିଭିନ୍ନ ପନିପରିବା ଫସଲ ସମେତ ତୈଳଜାତୀୟ ଫସଲ ରାଶି ଓ ସୂର୍ଯ୍ୟମୁଖୀ ଚାଷ ମଧ୍ୟ ଉଜୁଡ଼ି ଯାଇଛି। ସେହିପରି ମୁଗ, କୋଳଥ, ବିରି ଫସଲ ପଚିଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ଚାଷକାର୍ଯ୍ୟ ଉପରେ ନିର୍ଭର କରି ପରିବାର ଚଳାଉଥିବା ଲୋକଙ୍କ ଆର୍ଥିକ ମେରୁଦଣ୍ଡ ପୂରା ଭାଙ୍ଗି ଯାଇଛି। ଏଭଳି ସ୍ଥିତିରେ ବାଲିଅନ୍ତା ବ୍ଲକରେ ୧୨ଟି କୃଷି ସେବା ସମବାୟ ସମିତି ଓ ଅନ୍ୟାନ୍ୟ ବ୍ୟାଙ୍କମାନଙ୍କରୁ ଋଣ ଆଣି ଚାଷ କାର୍ଯ୍ୟ କରିଥିବା ରଣପୁର ଗ୍ରାମର ବିନୋଦ ପରିଡ଼ାଙ୍କ ସହିତ ଗ୍ରାମର ସମସ୍ତ ଚାଷୀ ଏବେ କୃଷି ଋଣ ସୁଝିବେ କେମିତି ବୋଲି ପ୍ରଶ୍ନ କରିଛନ୍ତି। ସରକାର ସଂପୃକ୍ତ ଚାଷୀଙ୍କ ଋଣଛାଡ଼ ଦିଗରେ ଯଦି କୌଣସି ପଦକ୍ଷେପ ଗ୍ରହଣ ନ’କରନ୍ତି ତା ହେଲେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଚାଷୀ ଆତ୍ମହତ୍ୟା ଘଟଣାକୁ ଏଡ଼ାଇ ଦିଆଯାଇନପାରେ ବୋଲି କହିଛନ୍ତି ପୂରଣପଧାନ ପଞ୍ଚାୟତ ଅଞ୍ଚଳର ଶିକ୍ଷାବିତ ନରେନ୍ଦ୍ର ନାଥ ସାମନ୍ତରାୟ। ଅନ୍ୟପକ୍ଷରେ ଏ ସଂପର୍କରେ ପ୍ରତାପରୁଦ୍ରପୁର ସେବା ସମବାୟ ସମିତିର ସଂପାଦକ ବିଶ୍ବନାଥ ପଣ୍ଡାଙ୍କୁ ପଚାରିବାରେ ଚାଷୀଙ୍କ କୃଷିଋଣ ଛାଡ଼ ସଂପର୍କରେ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସି ନଥିବା କହିଛନ୍ତି। କୃଷିଋଣ ଛାଡ଼ ‌କରିବା କ୍ଷେତ୍ରରେ ସରକାର ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର