ଉତ୍କଳ ବିଶ୍ୱବିଦ୍ୟାଳୟର ୭୫ତମ ପ୍ରତିଷ୍ଠା ଦିବସ : ବିଶ୍ୱବିଦ୍ୟାଳୟକୁ ପ୍ରଚୁର ଅର୍ଥ ଲୋଡ଼ା

ଭୁବନେଶ୍ୱର : ଭିତ୍ତିଭୂମି ଓ ଗବେଷଣାକୁ ସୁଦୃଢ଼ କରିବା ଲାଗି ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ ପ୍ରଚୁର ଅର୍ଥ ଆବଶ୍ୟକ। ହେଲେ ତାହା ମିଳିପାରୁନି। ଏ ଦିଗରେ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବା ଆବଶ୍ୟକ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ୭୫ତମ ପ୍ରତିଷ୍ଠା ଉତ୍ସବରେ ଆଜି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱବିିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅଧ୍ୟକ୍ଷ ବୀରେନ୍ଦ୍ର ସିଂ ଚୌହ୍ଵାନ କହିଛନ୍ତି।

ଶ୍ରୀ ଚୌହ୍ଵାନ କହିଲେ, ୭୦ ବର୍ଷ ତଳେ ଦେଶରେ ୨୦ ବିଶ୍ୱବିଦ୍ୟାଳୟ, ୧୮୦ କଲେଜ, ପ୍ରାୟ ଏକ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଥିଲେ। ଏବେ ୮୫୦ ବିଶ୍ୱବିଦ୍ୟାଳୟ, ୩୫ ହଜାରରୁ ଅଧିକ କଲେଜ, ୩.୬୫ କୋଟିରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି। ୭୦ ବର୍ଷ ମଧ୍ୟରେ ଭିତ୍ତିଭୂମି ବିକାଶ ହୋଇଛି। ଛାତ୍ରୀମାନେ ଗାଁ ଓ ଘରୁ ବାହାରି ସ୍କୁଲ, କଲେଜକୁ ଆସିଛନ୍ତି। ନାରୀ ଶିକ୍ଷାରେ ବି ପ୍ରସାର ହୋଇଛି। ଉଚ୍ଚଶିକ୍ଷା ଭିତ୍ତିଭୂମିରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ତଥାପି ଉଚ୍ଚଶିକ୍ଷାକୁ ନେଇ ବାରମ୍ବାର ବି ପ୍ରଶ୍ନ ଉଠୁଛି। ଗୁଣାତ୍ମକ ଶିକ୍ଷାରେ ଆମେ ପଛରେ କାହିଁକି? ବିଶ୍ୱର ଶ୍ରେଷ୍ଠ ୨୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ କାହିଁକି ସ୍ଥାନ ମିଳୁନି? ଛାତ୍ରଛାତ୍ରୀ କାହିଁକି ମୁହଁ ଫେରାଇ ନେଉଛନ୍ତି? ଏଭଳି ଅନେକ ପ୍ରଶ୍ନ ଉଠୁଛି। ତା’ ସାଙ୍ଗକୁ ଦେଶରେ ପରିବେଶ ସମସ୍ୟା, ପୁଷ୍ଟିହୀନତା, ସ୍ୱାସ୍ଥ୍ୟ ପରି ସମସ୍ୟା ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏସବୁର ସମାଧାନ ଯୁବପିଢ଼ିଙ୍କ କାନ୍ଧରେ। ସେମାନେ ହିଁ ଦେଶକୁ ଆଗକୁ ନେଇପାରିବେ। କୌଣସି ଜଣେ ବ୍ୟକ୍ତି ଚାହିଁଲେ ପରିବର୍ତନ ଆସିପାରିବ ନାହିଁ। ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ, ସରକାରଙ୍କ ସହଯୋଗ ଆବଶ୍ୟକ। ଛାତ୍ରଛାତ୍ରୀ ଏ ଦିଗରେ ଆମ୍ବାସଡର ହେବାକୁ ସେ ଆହ୍ଵାନ ଦେଇଥିଲେ।

ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଏସ୍‌.ସି. ଜମିର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଉତ୍କଳ ରାଜ୍ୟର ମୂଳ ବିଶ୍ୱବିଦ୍ୟାଳୟ। ଏଠାକାର ଅନେକ ଛାତ୍ରଛାତ୍ରୀ ଅଧୁନିକ ଓଡ଼ିଶା ନିର୍ମାଣରେ ଉଲ୍ଲେଖନୀୟ ନେତୃତ୍ୱ ନେଇଛନ୍ତି। ବିଶ୍ୱବିଦ୍ୟାଳୟରେ ଅନୁକୂଳ ପରିବେଶ ନିର୍ମାଣ ହେବା ଦରକାର। ଯେଉଁଠି ମୁକ୍ତ ଚିନ୍ତନ ଓ ଅନେ୍ଵଷଣ ବାତାବରଣ ସୃଷ୍ଟି ହୋଇପାରିବ। ଶିକ୍ଷାଦାନ ବ୍ୟତୀତ ଅନେ୍ଵଷଣ, ଉଦ୍‌ଭାବନ ଏବଂ ଆବିଷ୍କାର ଜ୍ଞାନ ମିଳିବା ଦରକାର। ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଉପରେ ବିଶ୍ୱବିଦ୍ୟାଳୟ ଗୁରୁତ୍ୱ ଦେବା ଆବଶ୍ୟକ। ଚାହିଦା ମୁତାବକ ପ୍ରଶିକ୍ଷିତ, ମାନବ ସମ୍ବଳ ଯୋଗାଣ ନିମନ୍ତେ ବ୍ୟବସ୍ଥା କରାଯାଉ। ଛାତ୍ରଛାତ୍ରୀ ଅନୁସନ୍ଧିତ୍ସୁ ହୋଇ ବିଶ୍ୱକୁ ଜାଣିବା ସହ ଚିନ୍ତନକୁ ସମୃଦ୍ଧ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ପ୍ଲାଟିନମ ଜୁବିଲି ଏକାଡେମିକ୍‌ ବ୍ଲକ୍‌ ଏବଂ ହେରିଟେଜ୍‌ ହଲ୍‌ ରାଜ୍ୟପାଳଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା।

ବିଶ୍ୱବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଅଧ୍ୟକ୍ଷତା କରି କହିଲେ, ଉଚ୍ଚଶିକ୍ଷାକୁ ଅଗକୁ ନେବା କ୍ଷେତ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଦ୍ୱିତୀୟ। ଏହାର ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା ହୋଇସାରିଥିବାରୁ ସେଠାରେ ଭବିଷ୍ୟତ ସୃଷ୍ଟି କରିବା ଆମମାନଙ୍କ ଲାଗି ଆହ୍ଵାନ। ଅନ୍ତର୍ଜାତୀୟ ସଂସ୍ଥା ସହ ରାଜିନାମା କରାଯାଉ। ପୂର୍ବ ଏବଂ ପଶ୍ଚିମ ଦେଶ ସହ ଯୋଡ଼ିହେବାକୁ ପ୍ରୟାସ ହେଉଛି। ପ୍ଲାଟିନମ୍‌ ଜୁବିଲି ଅଡିଟୋରିୟମ୍‌ ଏବଂ ଅନ୍ତର୍ଜାତୀୟସ୍ତରର ହଷ୍ଟେଲ ପ୍ରତିଷ୍ଠା ଦିଗରେ ସହଯୋଗ କରିବାକୁ ୟୁଜିସି ଅଧ୍ୟକ୍ଷ, ରାଜ୍ୟପାଳଙ୍କୁ ସେ ଅନୁରୋଧ କରିଥିଲେ।

ବିଶ୍ୱବିଦ୍ୟାଳୟ କୁଳସଚିବ ବିଦ୍ୟାଧର ପ୍ରଧାନ ବାର୍ଷିକ ବିବରଣୀ ପାଠ କରି ଗତ ଏକ ବର୍ଷରେ ଗବେଷଣା, ଶିକ୍ଷାଦାନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ପ୍ରଫେସର ଚିନ୍ମୟ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଏବଂ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ସିଡିସି ନିର୍ଦେଶକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଆଗରେ: ବୀରେନ୍ଦ୍ର ସିଂ ଚୌହାନ

ଉଚ୍ଚଶିକ୍ଷାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି ବିଶ୍ୱବିିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)। ବିଶ୍ୱର ଶ୍ରେଷ୍ଠ ୨୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୧୦ ଶିକ୍ଷାନୁଷ୍ଠାନକୁ ସାମିଲ କରିବା ଲକ୍ଷ୍ୟରେ ରହିଛି ୟୁଜିସି। ଏଥିସହ ଶିକ୍ଷାନୁଷ୍ଠାନରେ ଗବେଷଣା ଓ ଭିତ୍ତିଭୂମିର ବିକାଶ, ଶିକ୍ଷାଦାନ ପ୍ରଣାଳୀରେ ସଂସ୍କାର ଆଣିବା ଲାଗି କିଭଳି ଯୋଜନା କରାଯାଉଛି ସେନେଇ ୟୁଜିସି ଅଧ୍ୟକ୍ଷ ବୀରେନ୍ଦ୍ର ସିଂ ଚୌହ୍ଵାନଙ୍କ ସହ କେଶବ ପାଣିଙ୍କ ସ୍ୱତନ୍ତ୍ର ସାକ୍ଷାତକାର।

ଓଡ଼ିଶାର ଉଚ୍ଚଶିକ୍ଷା ସ୍ଥିତି ନେଇ କ’ଣ କହିବେ?
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବହୁତ ଆଗରେ ରହିଛି। ଏଠାରୁ ଭଲ ଛାତ୍ରଛାତ୍ରୀ ସୃଷ୍ଟି ହେଉଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନ ରହିଛି। ନାଇଜର, ଆଇଆଇଟି, ଏମ୍‌ସ, ଏକାଧିକ ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଶିକ୍ଷା ହବ୍‌ ପାଲଟିଛି ଭୁବନେଶ୍ୱର। ଏହାକୁ ଆଗକୁ ନେବା ଲାଗି ରାଜ୍ୟପାଳଙ୍କ ସହ ଆଲୋଚନା କରିଛି।

ଭିତ୍ତିଭୂମି ନ ଥାଇ କେତେକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ନାମ ଲେଖାଉଛନ୍ତି। ଏହାକୁ ରୋକିବା ଲାଗି କିଭଳି ପଦକ୍ଷେପ ନେଉଛି ୟୁଜିସି?
ଗତ କିଛି ବର୍ଷ ହେଲା ଏହା ଚିନ୍ତାଜନକ ବିଷୟ ହୋଇଛି। କେତେକ ଶିକ୍ଷାନୁଷ୍ଠାନ ଶିକ୍ଷାକୁ ରୋଜଗାରର ମାଧ୍ୟମ କରୁଛନ୍ତି। ସେମାନଙ୍କ ଉପରେ ରୋକ୍‌ ଲଗାଇବାକୁ ୟୁଜିସି ପଦକ୍ଷେପ ନେଇଛି। ଯେଉଁ ଶିକ୍ଷାନୁଷ୍ଠାନ ୟୁଜିସି ଅନୁବନ୍ଧିତ ହୋଇଛନ୍ତି ସେମାନଙ୍କ ତାଲିକା େଓ୍ଵବସାଇଟ୍‌ରେ ପ୍ରକାଶ ପାଇଛି। ନାମଲେଖା ପୂର୍ବରୁ ଛାତ୍ରଛାତ୍ରୀ ଅନୁବନ୍ଧିତ ଶିକ୍ଷାନୁଷ୍ଠାନ ସମ୍ପର୍କରେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଉଛି।

ବିଶ୍ୱର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ଶିକ୍ଷାନୁଷ୍ଠାନକୁ ସାମିଲ କରିବାକୁ କି ପଦକ୍ଷେପ ନିଆଯାଉଛି?
ଏଥିପାଇଁ ଗବେଷଣାକୁ ବୃଦ୍ଧି କରିବାକୁ ପଡ଼ିବ। ଅଧିକ ବଜେଟ୍‌ର ବି ଆବଶ୍ୟକତା ରହିଛି। ତାହାକୁ ଦୃଷ୍ଟିରେ ରଖି ଦେଶର ୧୦ଟି ପ୍ରମୁଖ ଶିକ୍ଷାନୁଷ୍ଠାନକୁ ଚିହ୍ନଟ କରାଯାଇ ତାହାର ବିକାଶ ଲାଗି ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨ରୁ ୩ ମାସରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

କେତେକ ବିଶ୍ୱବିଦ୍ୟାଳୟକୁ ୟୁଜିସିରୁ ପାଣ୍ଠି ମିଳୁ ନାହିଁ କହିଁକି?
ପାଣ୍ଠି ପାଇବା ଲାଗି ମାନଦଣ୍ଡ ସ୍ଥିର ହୋଇଛି। ଗୋଟିଏ ବିଶ୍ୱବିଦ୍ୟାଳୟ ଲାଗି ସର୍ବନିମ୍ନ ଯୋଗ୍ୟତା ୟୁଜିସିର ୧୨(ବି)ରେ ସାମିଲ ହେବା ଦରକାର। ବିଶ୍ୱବିଦ୍ୟାଳୟ ଅଧୀନ କଲେଜକୁ ସ୍ଥାୟୀ ଅନୁମତି, ପର୍ଯ୍ୟାପ୍ତ ଭିତ୍ତିଭୂମି, ଅଧ୍ୟାପକ ରହିବା ଦରକାର। ଏ ଦିଗରେ ସର୍ତ ପୂରଣ କରୁ ନ ଥିବା ବିଶ୍ୱବିଦ୍ୟାଳୟକୁ ପାଣ୍ଠି ଦିଆଯାଉନି।

କ୍ୟାମ୍ପସ୍‌ରେ ଛାତ୍ର ଅଶାନ୍ତି ନେଇ କ’ଣ କହିବେ?
ଛାତ୍ରଛାତ୍ରୀ ଭାବିବା ଦରକାର ଯେ ସେମାନେ ହେଉଛନ୍ତି ଦେଶର ଭବିଷ୍ୟତ। କ୍ୟାମ୍ପସ୍‌ରେ ରହୁଛନ୍ତି। ଦେଶର ୫ ପ୍ରତିଶତ ଲୋକ କ୍ୟାମ୍ପସ୍‌ ସହ ଜଡ଼ିତ। ସରକାର କ୍ୟାମ୍ପସ୍‌ର ବିକାଶ, ଛାତ୍ରଛାତ୍ରୀଙ୍କ ଶିକ୍ଷା ଲାଗି ଅର୍ଥ ବି ଦେଉଛନ୍ତି। ତେଣୁ ବିଶ୍ୱବିଦ୍ୟାଳୟର ସମ୍ମାନ ହାନି ଲାଗି କ୍ୟାମ୍ପସ୍‌ରେ ଅଶାନ୍ତି ସୃଷ୍ଟି କରାଯିବା କଥା ନୁହେଁ। ଶାନ୍ତି ନ ରହିଲେ କ୍ୟାମ୍ପସ୍‌ରେ ଶିକ୍ଷାଦାନ ଓ ଗବେଷଣା ହୋଇପାରିବ ନାହିଁ।

ଶିକ୍ଷାନୁଷ୍ଠାନ ଲାଗି ନାକ୍‌ ମାନ୍ୟତା କେତେ ଜରୁରୀ?
ସମସ୍ତ ବିଶ୍ୱବିଦ୍ୟାଳୟକୁ ନାକ୍‌ ମାନ୍ୟତା ଲାଗି ବାଧ୍ୟତାମୂଳକ କରାଯାଇଛି। ଦୁଇ ବର୍ଷ ତଳେ ଏନେଇ ନିୟମ ବି ପ୍ରସ୍ତୁତ ହୋଇଥିଲା। ତାହାକୁ ଲାଗୁ କରିବାକୁ ବାରମ୍ବାର କୁହାଯାଉଛି। ଯେଉଁମାନେ ନାକ୍‌ ମାନ୍ୟତା ପାଇନାହାନ୍ତି ସେମାନେ ଅର୍ଥ ହରାଉଛନ୍ତି।

ସମ୍ବନ୍ଧିତ ଖବର