୮୫ ପ୍ରତିଶତ ହିତାଧିକାରୀଙ୍କୁ ମିଳିଲାଣି ସହାୟତା

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୮୫ ପ୍ରତିଶତ ହିତାଧିକାରୀଙ୍କୁ ବାତ୍ୟା ଫନି ସହାୟତା ଯୋଗାଇ ଦିଆଗଲାଣି। ମୋଟ୍ ୬୭ଟି ସହାୟତା କେନ୍ଦ୍ରରେ ୭୬୫୯୬ ଜଣ ହିତାଧିକାରୀଙ୍କୁ ରିଲିଫ୍ ବଣ୍ଟନ କରାଯାଇଛି। ତେଣୁ ଏବେ ୩୦ଟି ସହାୟତା କେନ୍ଦ୍ରକୁ ବନ୍ଦ କରିବାକୁ ବିଏମ୍‌ସି ପ୍ରଶାସନ ନିଷ୍ପତ୍ତି ନେଇଛି। ଇନ୍‌ଫୋସିଟି, କୁଆଖାଇ, ଚନ୍ଦ୍ରଶେଖରପୁର, ବାଣୀବିହାର, ଇସ୍କନ, ସଚିବାଳୟ ମାର୍ଗ, ଖଣ୍ଡଗିରି, ଓୟୁଏଟି, ଏୟାର୍‌ପୋର୍ଟ, କଟକ ରୋଡ୍‌ ଆଦି ସେକ୍ଟରରେ ୩୦ଟି କେନ୍ଦ୍ରକୁ ବନ୍ଦ କରାଯିବ। ବନ୍ଦ ହେଉଥିବା କେନ୍ଦ୍ରରେ ଯଦି କୌଣସି ହିତାଧିକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଥିବେ, ସେମାନେ ବିଏମ୍‌ସିର ନିକଟସ୍ଥ ଜୋନ୍ କାର୍ଯ୍ୟାଳୟରୁ ଫନି ସହାୟତା ପାଇପାରିବେ ବୋଲି ସୂଚନା ଦିଆଯାଇଛି।

ପରିମଳ କାର୍ଯ୍ୟକ୍ରମ ଉପରେ ମିଳିଥିବା ସୂଚନାନୁସାରେ ବର୍ତ୍ତମାନ ଅଳିଆ ଆବର୍ଜନା ଉଠାଇବା ପାଇଁ ୨୪ ଘଣ୍ଟିଆ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ପର୍ଯ୍ୟନ୍ତ ମୋଟ୍ ୧୩୫୦ ଟ୍ରିପ୍ ଅଳିଆ ଆବର୍ଜନା ଉଠି ସାରିଲାଣି। ଯୁଦ୍ଧକାଳୀନ ଭିତ୍ତିରେ ସହରର ସମସ୍ତ ଗଳିକନ୍ଦିରୁ ଅଳିଆ ଉଠାଇବା ପାଇଁ ପଦ‌କ୍ଷେପ ଗ୍ରହଣ କରାଯାଉଛି। ଅଳିଆ ସଫା ସହିତ ଏବେ ବି ଭଙ୍ଗା ଗଛ କଟା କାର୍ଯ୍ୟକ୍ରମ ଜାରି ରହିଛି। ମଶା ଦାଉରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଫଗିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ତେଣୁ ବିଏମ୍‌ସିକୁ ଏନ୍‌ଏସ୍‌ଏସ୍‌ ଓ ସ୍କାଉଟ୍‌ ସହଯୋଗର ହାତ ବଢ଼ାଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ଓ ସ୍କାଉଟ୍‌ ପକ୍ଷରୁ ପ୍ରାୟ ୨୫୦ ଜଣ ସ୍ବେଚ୍ଛାସେବୀ ଏହି ସଚେତନତା କାର୍ଯ୍ୟକ୍ରମ‌ରେ ସାମିଲ୍ ହୋଇଛନ୍ତି। ସେମାନେ ବସ୍ତିରୁ ବସ୍ତି ବୁଲି ବୁଲି ଲୋକଙ୍କ ଭିତରେ ସ୍ବାସ୍ଥ୍ୟ ସଚେତନତା ପ୍ରଚାର କରିବେ। ପରିବେଶ ସଫା ରଖିବା ସହ ଖାଦ୍ୟ ଓ ପାନୀୟର ସୁରକ୍ଷିତ ବ୍ୟବହାର ଉପରେ ସେମାନେ କାର୍ଯ୍ୟ କରିବେ। ବିଶେଷକରି ସଂକ୍ରାମକ ରୋଗର ପ୍ରତିଷେଧକ ବ୍ୟବସ୍ଥା ଉପରେ ଏହି ସ୍ବେଚ୍ଛାସେବୀମାନେ ଲୋକଙ୍କ ନିକଟରେ ସଚେତନତା ବାର୍ତ୍ତା ପହଞ୍ଚାଇବେ।

ସମ୍ବନ୍ଧିତ ଖବର