ସ୍ବଚ୍ଛ ସହର ପାଇଁ ବିଏମ୍‌ସିର ୯୦ ଦିନର ନକ୍ସା, ସ୍ୱଚ୍ଛତାର ସାଥୀ ହେବେ ନାଗରିକ

ଭୁବନେଶ୍ୱର: ସ୍ୱଚ୍ଛତାର ସଚେତନତାକୁ ସବୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନକ୍ସା ପ୍ରସ୍ତୁତ କରାଯାଇଛି। ଶିକ୍ଷା, ସୂଚନା ଓ ଯୋଗାଯୋଗର ବିଭିନ୍ନ ମାଧ୍ୟମକୁ ଭିତ୍ତି କରି ଏହା ପ୍ରସ୍ତୁତ ହୋଇଛି। ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ‘ମୁଁ ସଫେଇବାଲା’ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ଏହି ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ କର୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି। ୯୦ ଦିନ ପାଇଁ ପ୍ରସ୍ତୁତ ହୋଇଥିବା ଏହି ନକ୍ସା ଆସନ୍ତା ସପ୍ତାହରୁ ସହରର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେବ।

କାର୍ଯ୍ୟକ୍ରମକୁ ସମୟାଭିମୁଖୀ ଓ ଆଭିମୁଖ୍ୟ ଉପଯୋଗୀ କରି ଲୋକମାନଙ୍କ ପାଖରେ ପହଞ୍ଚାଇବା ଲାଗି ବିଏମ୍‌ସି କର୍ତ୍ତୃପକ୍ଷ ଏକ କମିଟି ଗଠନ କରିଛନ୍ତି। ଉକ୍ତ କମିଟିର ନିଷ୍ପତ୍ତି ଅନୁସାରେ ‘ମୁଁ ସଫେଇବାଲା’ ଓ ‘ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦’କୁ ଦୃଷ୍ଟି ଦେଇ ବିଭିନ୍ନ ଯୋଗାଯୋଗ ଓ ସଚେତନତା କାର୍ଯ୍ୟକ୍ରମ କରାଯିବ। ସମାଜରେ ଥିବା ବିଭିନ୍ନ ଶ୍ରେଣୀ ଯଥା ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଆବାସିକ ସଂଘ, ବ୍ୟାବସାୟିକ ପ୍ରତିଷ୍ଠାନ, ରାସ୍ତାକଡ଼ ବ୍ୟବସାୟୀ, ବହୁଳ ବର୍ଜ୍ୟ ଉତ୍ପନ୍ନକାରୀ ଓ ଅନ୍ୟାନ୍ୟ ଅନୁଷ୍ଠାନଙ୍କ ପାଇଁ ଉପଯୋଗୀ ହେବା ଭଳି ବିଭିନ୍ନ ଯୋଗାଯୋଗ ମାଧ୍ୟମରେ ଏହି ସଚେତନତା ଅଭିଯାନ ଚାଲିବ। ବିଏମ୍‌ସିର ତିନୋଟି ଜୋନ୍‌ରେ ପରିମଳ ସଚେତନତା ରଥ ବୁଲାଇବାକୁ ସ୍ଥିର ହୋଇଛି। ବସ୍ତି, ବଜାର ଓ ବିଭିନ୍ନ ଅନୁଷ୍ଠାନକୁ ଯାଇ ପ୍ରତିଦିନ ନାଗରିକମାନଙ୍କୁ ପରିମଳ ସଚେତନ କରାଯାଇ ସେମାନଙ୍କ ମଧ୍ୟରେ ପରିମଳ ସହଯୋଗୀ ଆଚରଣ ଅଣାଯିବ। ଏଥିସହ ଏକ ହଜାର ଟିଣ ବୋର୍ଡକୁ ୩୭୭ଟି ଅଙ୍ଗନବାଡ଼ି, ୧୯୨ଟି ବିଦ୍ୟାଳୟ, ୧୮୦ଟି ଶୌଚାଳୟ ଓ ବିଭିନ୍ନ ଭେଣ୍ଡିଂ ଜୋନରେ ଲଗାଯିବ। ପ୍ରତ୍ୟେକ ୱାର୍ଡରେ ଓ ଲୋକାରଣ୍ୟ ସ୍ଥାନରେ ମିନି ହୋର୍ଡିଂ ଲାଗିବ। ସମସ୍ତ ସିନେମା ହଲରେ ପରିମଳ ଆଚରଣ ଶୁଦ୍ଧି ଜନିତ ବୃତ୍ତଚିତ୍ର ପ୍ରଦର୍ଶନ କରାଯିବ। ଏଫଏମ୍ ରେଡିଓରେ ପ୍ରଚାର, ପଥପ୍ରାନ୍ତ ନାଟକ, ଶିଶୁ ଉପଯୋଗୀ ପ୍ରତିଯୋଗିତା ଇତ୍ୟାଦି କରାଇ ସମସ୍ତଙ୍କୁ ପରିମଳରେ ଅଙ୍ଗୀକାରବଦ୍ଧ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ଅତରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ଏହି କମିଟିରେ ଯନ୍ତ୍ରୀ ଦେବସୁନ୍ଦର ମହାପାତ୍ର, ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର, ଉପଆୟୁକ୍ତ ଶ୍ୟାମସୁନ୍ଦର ସେଠୀ ଓ ଶୁଭେନ୍ଦୁ ସାହୁ ରହିଛନ୍ତି।

ସମ୍ବନ୍ଧିତ ଖବର